କିପରି ହେବ ଯୁକ୍ତ ଦୁଇ ନାମ ଲେଖା । ମେଧାବୀଙ୍କୁ ଭଲ ଶିକ୍ଷାନୁଷ୍ଠାନରେ ଆଡମିସନ ସୁଯୋଗ ଦେବା ପାଇଁ ପ୍ରବେଶିକା ପରୀକ୍ଷାକୁ ନେଇ ଚର୍ଚ୍ଚା । ମନ୍ତ୍ରୀ କହିଲେ, ମାଟ୍ରିକ ରେଜଲ୍ଟ ବାହାରିବା ପରେ ହେବ ନିଷ୍ପତି

175

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା ବାତିଲ ହୋଇଥିବାରୁ କିପରି ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ହେବ, ସେ ନେଇ ଚୂଡ଼ାନ୍ତ ପଦ୍ଧତି ନିର୍ଦ୍ଧାରଣ କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ନବମ ଓ ଦଶମ ଶ୍ରେଣୀ ଅଭ୍ୟାସ ପରୀକ୍ଷା ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯିବ ଏବଂ ସେମାନଙ୍କୁ ଗ୍ରେଡେସନ୍ ଦିଆଯିବ । ତେବେ ମେଧାବୀ ଛାତ୍ରଛାତ୍ରୀମାନେ ଯେପରି ଭଲ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାରେ ଅସୁବିଧାର ସମୁଖୀନ ହେବେନାହିଁ, ସେଥିପାଇଁ ପ୍ରବେଶିକା ପରୀକ୍ଷା ହେବ ବୋଲି ଚର୍ଚ୍ଚା ହେଉଛି । କାରଣ ଯେଉଁ ପଦ୍ଧତିରେ ମୂଲ୍ୟାୟନ ହେବ, ସେଥିରେ ସଂପୂର୍ଣ୍ଣ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ରହିଛି ।

ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ । ସେ କହିଛନ୍ତି, ଏନେଇ ବର୍ତମାନ କୌଣସି ନିଷ୍ପତି ନିଆଯାଇନାହିଁ । ରେଜଲ୍ଟ ଆସିବା ପରେ ଏନେଇ ନିଷ୍ପତି ନିଆଯିବ । ଏଥିସହ ଯେଉଁମାନେ ମାଟ୍ରିକ ରେଜଲ୍ଟରେ ସନ୍ତୁଷ୍ଟ ହେବେ ନାହିଁ ସେମାନେ ପୁଣି ପରୀକ୍ଷା ଦେଇପାରିବେ ।

ତେବେ କିଛି ଛାତ୍ରଛାତ୍ରୀ ଓ ଅଭିଭାବକ ପ୍ରବେଶିକା ପରୀକ୍ଷାକୁ ବିରୋଧ କରିଛନ୍ତି । ସେମାନଙ୍କ ମତ ହେଉଛି, ଯଦି ପ୍ରବେଶିକା ପରୀକ୍ଷା ହେବ, ତେବେ ମୂଲ୍ୟାୟନର ଗୁରୁତ୍ୱ ରହିବ ନାହିଁ । ଛାତ୍ରଛାତ୍ରୀମାନେ ଏଂଟ୍ରାନ୍ସ ପାଇଁ ଦଶମ ଶ୍ରେଣୀ ପାଠ ପଢ଼ିବେ ନା ପ୍ଲସ-୨ ପାଠ ପଢ଼ିବେ, ଏ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବ ।

ଜୁନ ୩୦ ତାରିଖ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କହିଛି ମାଦ୍ରମିକ ଶିକ୍ଷା ପରିଷଦ । ଏହା ପରେ ଯୁକ୍ତ ୨ ପାଇଁ ଆଡମିସନ ହେବ । ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ନୂଆ ପଦ୍ଧତି ଅନୁଯାୟୀ ଯେଉଁ ମାର୍କ ମିଳିବ, ସେହି ଆଧାରରେ ଯୁକ୍ତ-୨ ଆଡମିସନ ହେବ ନା ପ୍ରବେଶିକା ପରୀକ୍ଷା ଜରିଆରେ ନାମଲେଖା ହେବ ।