କନକ ବ୍ୟୁରୋ : ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଏଥର ସିବିଏସଇ ଢାଂଚାରେ ପାଠ୍ୟକ୍ରମ ସହ ପରୀକ୍ଷା ହୋଇଥିଲା । ଆଶା କରାଯାଉଥିଲା ପାସ ହାର ଅଧିକ ହେବ, ହେଲେ କମିଛି ପାସ ହାର । ତେବେ ୯୦ ପ୍ରତିଶତରୁ ଅଧକ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ।
ଚଳିତ ବର୍ଷ ପାସହାର ୭୬.୯୮ ପ୍ରତିଶତ ରହିଛି । ପାସ ହାରରେ ନୟାଗଡ ଆଗେରେ ଥିବାବେଳେ ଗଜପତି ଶେଷରେ ରହିଛି । ୯୫ ହଜାର ୯୬ ଜଣ ପରୀକ୍ଷା ଦେଇଥିବା ବେଳେ ୭୩ ହଜାର ୨୧୧ ଜଣ କୃତକାର୍ଯ୍ୟ ହୋଇଛନ୍ତି । ୪୨ ହଜାର ୮୮୬ ଜଣ ଛାତ୍ର ପାସ କରିଥିବା ବେଳେ ୩୦ ହଜାର ୩୨୫ ଜଣ ଛାତ୍ରୀ ପାସ କରିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୯ ହଜାର ୫୬୧ ପିଲା ପାସ କରିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ୨୪ ହଜାର ୧୬୪ ଜଣ ପିଲା ପାସ କରିଥିବା ବେଳେ ତୃତୀୟ ଶ୍ରେଣୀରେ ୨୮ ହଜାର ୯୬୮ ଜଣ ପାସ କରିଛନ୍ତି । ୪୧ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ସେମାନଙ୍କ ମଧ୍ୟରେ ୨୮ ଜଣ ଛାତ୍ର ଏବଂ ୧୩ ଜଣ ଛାତ୍ରୀ ଅଛନ୍ତି । ନୟାଗଡ ଜିଲ୍ଲାରେ ପାସ ହାର ସର୍ବାଧିକ ୯୨.୨୩ ପ୍ରତିଶତ ରହିଥିବା ବେଳେ ଗଜପତିରେ ସର୍ବନିମ୍ନ ୪୩.୪୩ ପ୍ରତିଶତ ରହିଛି ।
ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଉଭୟ ଅଭିଭାବକ ଓ ଛାତ୍ରଛାତ୍ରୀ ଦ୍ୱନ୍ଦ ଭିତରେ ରହିଥିଲେ । ପ୍ରଥମେ ଅଧ୍ୟାପକ ମାନଙ୍କ ଆନ୍ଦୋଳନ ପରେ ଖାତା ମୂଲ୍ୟାୟନକୁ ଅଧ୍ୟାପକଙ୍କ ବିରୋଧ ପରେ ପରୀକ୍ଷା ଫଳ ଠିକ ସମୟରେ ପ୍ରକାଶ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ସିବିଏସଇ ଢାଂଚାରେ ପାଠ୍ୟକ୍ରମ ଲାଗୁ ହେବା ପରେ ଚଳିତ ବର୍ଷ ସେହି ଆଧାରରେ ପରୀକ୍ଷା ହୋଇଥିଲା । ଗତବର୍ଷର ପାସ୍ ହାର ୮୧ ପ୍ରତିଶତକୁ ବଢିବ ବୋଲି ଆଶା କରାଯାଉଥିଲା ।
ପରୀକ୍ଷା ଖାତା ରିଚେକିଂ ଲାଗି ଜୁନ ୪ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଏବଂ ଏହି ଆବେଦନ କେବଳ ଅନଲାଇନ ମାଧ୍ୟମରେ କରାଯିବ । ନିର୍ଦ୍ଧାରିତ ତାରିଖ ପରେ ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି ସିଏଚଏସଇ ସ୍ପଷ୍ଟ କରିଛି ।