ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ । ପାସହାର ୬୮.୬୬ ପ୍ରତିଶତ । ଛାତ୍ରଙ୍କ ତୁଳନାରେ ଛାତ୍ରୀ ଆଗୁଆ

128

କନକ ବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ । ୧୨,୩୨୧ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବାବେଳେ ସେଭିତରୁ ୮୪୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷାରେ ପାସହାର ରହିଛି ୬୮.୬୬ ପ୍ରତିଶତ । ତେବେ ଏହି ପରୀକ୍ଷାରେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନଙ୍କର ପ୍ରଦର୍ଶନ ଭଲ ରହିଛି ।

ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ମୋଟ ୧୨,୩୨୧ ଜଣ ଛାତ୍ରଛାତ୍ରୀ ଦେଇଥିଲେ । ସେ ଭିତରୁ ୮୪୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ କରିଛନ୍ତି । କଳାରେ ୬୩୧୦ ଜଣ ଛାତ୍ରଛାତ୍ରୀ ପାସ କରିଥିବାବେଳେ ବିଜ୍ଞାନରେ ୧୫୦୧, ବାଣିଜ୍ୟରେ ୪୨୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୨୨୭ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ପରୀକ୍ଷାରେ ଛାତ୍ରମାନଙ୍କ ପାସହାର ୬୨.୭ ପ୍ରତିଶତ ରହିଥିବାବେଳେ ଛାତ୍ରୀମାନଙ୍କର ପାସହାର ୬୭.୭୬ ପ୍ରତିଶତ ରହିଛି ।

ଗତ ଅକ୍ଟୋବର ମାସ ୧ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ହୋଇଥିଲା ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା । ରାଜ୍ୟର ପ୍ରାୟ ୧୩ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ । ଯେଉଁ ଛାତ୍ରଛାତ୍ରୀମାନେ ଯୁକ୍ତ ଦୁଇର ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିଲେ, ସେହି ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଅଫଲାଇନ୍ ପରୀକ୍ଷା କରାଯାଇଥିଲା । ଯାହାର ଫଳାଫଳ ଆଜି ପ୍ରକାଶ ପାଇଛି ।