ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା, ବିକଳ୍ପ ମୂଲ୍ୟାୟନ ଜରିଆରେ ଆସିବ ପରୀକ୍ଷା ଫଳ । ମୁଖ୍ୟମନ୍ତ୍ରୀ କହିଲେ, ପରୀକ୍ଷା ଅପେକ୍ଷା ପିଲାଙ୍କ ଜୀବନ ଅଧିକ ମୂଲ୍ୟବାନ ।

ରେଜଲ୍ଟକୁ ନେଇ ଅସନ୍ତୁଷ୍ଟ ଥିଲେ ପରବର୍ତୀ ସମୟରେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ ।

319

କନକ ବ୍ୟୁରୋ: ଦେଶରେ ସିବିଏସଇ ଯୁକ୍ତ ଦୁଇ ପରୀକ୍ଷା ବାତିଲ ପରେ ସମସ୍ତଙ୍କ ନଜର ରହିଥିଲା,ଆମ ରାଜ୍ୟ ଓଡିଶାରେ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ କଣ ନିଆଯିବ ନିଷ୍ପତ୍ତି । ଏହାକୁ ନେଇ ଅପେକ୍ଷା କରି ରହିଥିଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ଏହାରି ଭିତରେ ଆଜି ଯୁକ୍ତ ଦୁଇ ପରୀକ୍ଷା ବାତିଲ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି ଜୀବନ ଆଗ, ବାକି ସବୁ ପଛ। ତେବେ ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି କିପରି ଛାତ୍ରଛାତ୍ରୀଙ୍କ କରାଯିବ ମୂଲ୍ୟାୟନ । କାରଣ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜରେ ପ୍ରଥମ ବର୍ଷ ପରୀକ୍ଷା ହୋଇନାହିଁ । ଏଭଳି ସ୍ଥିତିରେ କାହାକୁ ଆଧାର କରି ମୂଲ୍ୟାଙ୍କନ କରାଯିବ , ତାକୁ ନେଇ ଦ୍ୱନ୍ଦ୍ୱ ରହିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବ୍ରିଫରେ କୁହାଯାଇଛି , ଜୀବନ ଆଗ ଆଉ ସବୁ ପଛ । ଜୀବନ ସୁରକ୍ଷିତ ରହିଲେ ଆଗକୁ ଅନନ୍ତ ସମ୍ଭାବନା ରହିବ ଏବଂ ସମାଜ ଓ ସଭ୍ୟତା ଆଗକୁ ବଢିବ । ଆମ ପିଲାମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପରୀକ୍ଷା ଠାରୁ ବହୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ପରୀକ୍ଷା କରାଯାଇଥିଲେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତେ । ତେଣୁ ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ।

ସିବିଏସଇର ଯୁକ୍ତ ଦୁଇ ପରୀକ୍ଷା ବାତିଲ ନେଇ ନିଜେ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ଓଡିଶାରେ ବି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ ନେଇ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୂଲ୍ୟାଙ୍କନ କେମିତି ହେବ  ତାହା ସବୁଠୁ ବଡ ପ୍ରଶ୍ନ । ପ୍ରେସ ରିଲିଜରେ ନବୀନ କହିଛନ୍ତି-ଦ୍ୱାଦଶ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଦକ୍ଷତାର ମୂଲ୍ୟାୟନ ବିଶେଷଜ୍ଞ ମାନଙ୍କ ପରାମର୍ଶକ୍ରମେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଉତ୍ତମ ଭାବରେ ନିର୍ଧାରିତ ମାପଦଣ୍ଡ ଦ୍ୱାରା ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କରାଯିବ । ମୂଲ୍ୟାଙ୍କନ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏକ ମାପଦଣ୍ଡ ପ୍ରସ୍ତୁତ କରିବ ଏବଂ ଏହି ମାପଦଣ୍ଡ ଅନୁସାରେ ଛାତ୍ରଛାତ୍ରୀଙ୍କୁ ନମ୍ବର ମିଳିବ  ।

ଏବେ ସବୁଠାରୁ ବଡ ପ୍ରଶ୍ନ ହେଲା ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷା ହୋଇନାହିଁ , କେବଳ କିଛି ଘରୋଇ ଓ ଆବାସିକ ଯୁକ୍ତ  ଦୁଇ କଲେଜରେ ପ୍ରଥମ ବର୍ଷ ପରୀକ୍ଷା ହୋଇଛି । ଏଭଳି ସ୍ଥିତିରେ କେଉଁ ଆଧାରରେ ମୂଲ୍ୟାଙ୍କନ ପାଇଁ ମାପଦଣ୍ଡ ନିର୍ଧାରଣ କରିବେ ତାହା ସବୁଠାରୁ ବଡ ପ୍ରଶ୍ନ । ମ୍ୟାଟ୍ରିକ ପରୀକ୍ଷାର ନମ୍ବରକୁ ଆଧାର କରି ମୂଲ୍ୟାଙ୍କନର ମାପଦଣ୍ଡ ନିର୍ଧାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।