ଯୁକ୍ତ ୨ ମୂଲ୍ୟାୟନକୁ ନେଇ ବିଶେଷଜ୍ଞ କମିଟିର ପ୍ରଥମ ବୈଠକ : ହେଉଥିବା ଆଲୋଚନା ବାବଦରେ ବାହାରେ ମୁହଁ ନଖୋଲିବାକୁ ସଦସ୍ୟଙ୍କୁ ତାଗିଦ୍

146

କନକ ବ୍ୟୁରୋ : ଯୁକ୍ତ ଦୁଇ ପରୀକ୍ଷା ବାତିଲ ପରେ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ପାଇଁ ଗଠିତ ହୋଇଥିବା ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ବସିଛି । ପ୍ରାୟ ୩ ଘଂଟା ଧରି ବସିଥିବା ପ୍ରଥମ ବୈଠକରେ ବିକଳ୍ପ ମୂଲ୍ୟାୟନ ନେଇ ବିସ୍ତୃତ ଆଲୋଚନା କରାଯାଇଛି । ସଦସ୍ୟମାନେ ନିଜ ନିଜର ମତାମତ ରଖିଛନ୍ତି । ପୁଣିଥରେ ବୈଠକ ବସି ଏହା ଉପରେ ଆଲୋଚନା କରାଯିବ ।

ସେପଟେ ସରକାରଙ୍କ ପକ୍ଷରୁ କମିଟିକୁ ୧୦ ଦିନ ସମୟ ଦିଆଯାଇଛି । ଜୁନ୍ ୧୫ ତାରିଖରେ କମିଟି ରିପୋର୍ଟ ଦାଲଖ କରିବେ । ହେଲେ ଏହି କମିଟିରେ ସଦସ୍ୟ ଚୟନକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶିକ୍ଷକ ସଂଗଠନ । କମିଟିରେ ଜଣେ ମାତ୍ର ଧନ୍ଦାମୂଳକ ଶିକ୍ଷକଙ୍କୁ ସାମିଲ କରାଯାଇ ନାହିଁ । ଉପାନ୍ତ ଅଂଚଳ କିମ୍ବା ଛୋଟ କଲେଜର ଜଣେ ହେଲେ ଅଧ୍ୟକ୍ଷଙ୍କୁ ଏହି କମିଟିରେ ରଖାଯାଇ ନାହିଁ । ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ୩ଶହରୁ ଅଧିକ ଘରୋଇ କଲେଜ ରହିଥିଲେ ମଧ୍ୟ ଜଣେ ବି ଅଧ୍ୟକ୍ଷ କମିଟିରେ ନାହାନ୍ତି ।

ତେଣୁ ଶିକ୍ଷକ ସଂଗଠନଗୁଡିକର ଆଶଙ୍କା, କମିଟିକ ସଦସ୍ୟମାନେ ଏବେ କେବଳ ସରକାରଙ୍କ ହଁରେ ହଁ ମାରିବେ । ଅନ୍ୟ ପକ୍ଷରେ ବୈଠକରେ କଣ ଆଲୋଚନା ହେଉଛି, ତାକୁ ନେଇ ବାହାରେ ପ୍ରକାଶ ନକରିବାକୁ କମିଟି ସଦସ୍ୟମାଙ୍କୁ ତାଗିଦ କରାଯାଇଛି । ତେଣୁ ଏହିଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଆରମ୍ଭରୁ ବିବାଦରେ ଛନ୍ଦି ହୋଇଯାଇଛି, ଯୁକ୍ତ ଦୁଇ ମୂଲ୍ୟାୟନ ପାଇଁ ଗଠିତ ରାଜ୍ୟ ସରକାରଙ୍କ ୧୪ ଜଣିଆ ବିଶେଷଜ୍ଞ କମିଟି ।