ମାଟ୍ରିକ ପାସ ପରେ ଏବେ ଯୁକ୍ତ ଦୁଇ ଆଡମିସନ ଚିନ୍ତା । ଏତେ ସଂଖ୍ୟକ ପିଲା କେଉଁଠି ପଢିବେ ପାଠ । ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କିମ୍ବା ସ୍ୱତନ୍ତ୍ର ପଦ୍ଧତି ଆପଣାଇବାକୁ ଦାବି ।

503

କନକ ବ୍ୟୁରୋ: କରୋନା କାଳରେ ଚଳିତ ବର୍ଷର ମାଟ୍ରିକ ଫଳ ରାଜ୍ୟ ଇତିହାସରେ ରେକର୍ଡ ସୃଷ୍ଟି କରିଛି । ବିନା ପରୀକ୍ଷାରେ ୯୭.୮୯ ପ୍ରତିଶତ ପିଲା ପାସ କରିଛନ୍ତି । ଏତେ ସଂଖ୍ୟକ ପିଲା ପାସ୍ କରିଛନ୍ତି ସତ, ହେଲେ ଏମାନେ ଏବେ ପଢିବେ କେଉଁଠାରେ । ଏହାକୁ ନେଇ ମାଟ୍ରିକ ପାସ୍ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଏଥର ୬ ଲକ୍ଷ ରୁ ଅଧିକ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏହା ମଧ୍ୟରୁ ଏ ୧ ଅପେକ୍ଷା ଅଧିକ ପିଲା ଏ ୨, ବି ୧, ବି ୨, ସି, ଡି, ଇ ଗ୍ରେଡରେ ପାସ୍ କରିଛନ୍ତି । ଏପରି ସ୍ଥିତିରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ମନ ପସନ୍ଦର କଲେଜ ମିଳିବା କଷ୍ଟକର ହୋଇଯିବ ।

କାରଣ ମାଟ୍ରିକ ପରେ ଛାତ୍ରଛାତ୍ରୀ ଯୁକ୍ତ ଦୁଇ, ଆଇଟିଆଇ କିମ୍ବା ଡିପ୍ଲୋମାରେ ନାମ ଲେଖାଇଥାନ୍ତି । ରାଜ୍ୟର ସରକାରୀ ଜୁନିୟର କଲେଜରେ ୪ ଲକ୍ଷ ୩୩ ହଜାର ୧୨୨ ସିଟ୍ ରହିଛି । ପ୍ରାୟ ୧ ଲକ୍ଷ ଆଇଟିଆଇ ଓ ଡିପ୍ଲୋମା ସିଟ୍ ରହିଛି । ବିନା ପରୀକ୍ଷାରେ ଏତେ ମାତ୍ରାରେ ଫଳ ଆସିଥିବାରୁ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ସିଟ୍ ମିଳିବା ନେଇ ଅଡୁଆ ହୋଇପାରେ ବୋଲି ଆଶଙ୍କା କରୁଛନ୍ତି ଶିକ୍ଷାବିତ । ସେହିପରି ବିନା ପରୀକ୍ଷାରେ ଫଳ ଆସିଥିବାରୁ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗୀତା ମୂଳକ ପାଠ୍ୟକ୍ରମର ଅଧ୍ୟବସାୟ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବ ନାହିଁ ବୋଲି କହିଛନ୍ତି ଶିକ୍ଷାବିତ । ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କିମ୍ବା କୌଣସି ସ୍ୱତନ୍ତ୍ର ପଦ୍ଧତି କରିବାକୁ ଦାବି ହୋଇଛି ।