ଜୁଲାଇ ୨୪ରେ ଯୁକ୍ତ ୩ ପରୀକ୍ଷା: ୨୦ ଅଗଷ୍ଟରେ ହେବ ପିଜି ସେମିଷ୍ଟାର ପରୀକ୍ଷା; କାଲିଠାରୁ ୩୦% କର୍ମଚାରୀଙ୍କୁ ନେଇ କାମ ଆରମ୍ଭ କରିବାକୁ କଲେଜମାନଙ୍କୁ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ

1,659

କନକ ବ୍ୟୁରୋ: ଜୁଲାଇ ୨୪ ରେ ହେବ ଯୁକ୍ତ ୩ ଶେଷ ବର୍ଷ ପରୀକ୍ଷା । ତାଲାବନ୍ଦ କଟକଣା ଯୋଗୁଁ ସ୍ଥଗିତ ରଖାଯାଇଥିବା ଯୁକ୍ତ ୩ ପରୀକ୍ଷା ଜୁଲାଇ ୨୪ ତାରିଖରେ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ । ସେହିଭଳି ଅଗଷ୍ଟ ୨୦ରେ ପିଜି ଶେଷ ସେମିଷ୍ଟାର ପରୀକ୍ଷା ହେବ ଏବଂ ପିଜି ଆଡମିସନ ପାଇଁ ଏକକ ପରୀକ୍ଷା ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଅନୁଷ୍ଠିତ ହେବା ନେଇ ସ୍ପଷ୍ଟ କରିଛନ୍ତ ବିଭାଗୀୟ ।

ଏଥିପାଇଁ ଆସନ୍ତାକାଲିଠାରୁ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ରାଜ୍ୟରେ ଥିବା ଉଭୟ ବିଶ୍ୱବିଦ୍ୟାଲୟ ଓ ଅଟୋନୋମୋସ କଲେଜଗୁଡିକରେ କାମ ଆରମ୍ଭ ହେବ ଏବଂ ନଭେମ୍ବରରୁ ପିଜି କ୍ଲାସ ଆରମ୍ଭ ହେବା ନେଇ ଆଜି ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ଆଲୋଚନା ପରେ ସୂଚନା ଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ତେବେ ରାଜ୍ୟ ସରକାରଙ୍କ କୋଭିଡ ୧୯ ଗାଇଡଲାଇନ୍ସ ଅନୁସାରେ ସମସ୍ତ ନିଷ୍ପତି ନିଆଯିବା ସହ ପ୍ରତି ୧୫ ଦିନରେ ଥରେ କୁଳପତିମାନଙ୍କ ସହ ଆଲୋଚନା ହେବ ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

ଆଜି ଲୋକସେବା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ସହ ଏକ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୁଳପତିଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ତେବେ ଜୁନ ୧୭ ଯାଏ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ୟୁଜିସି ଗାଇଡଲାଇନ ମୁତାବକ ରାଜ୍ୟରେ ଚଳିତ ଶିକ୍ଷା ବର୍ଷ କେବେ ଓ କିପରି ଆରମ୍ଭ ହେବ ଏବଂ ପରୀକ୍ଷା ପରିଚାଳନା କିପରି ହେବ ସେ ବିଚାର ବିମର୍ଷ ହୋଇଥିଲା । ଏବଂ ବୈଠକ ଶେଷ ପରେ ଜୁଲାଇ ୨୪ରେ ଯୁକ୍ତ ୩ ପରୀକ୍ଷା ହେବା ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସ୍ପଷ୍ଟ କରିଛନ୍ତି ।