ଚର୍ଚ୍ଚାରେ ମାଲକାନଗିରିର ମଲାଲା: ସ୍ୱାଭିମାନ ଅଂଚଳ ଗୋରାସେତୁ ଗାଁରେ ଶିକ୍ଷାର ଆଲୋକ ବାଂଟୁଛନ୍ତି କୁସ୍ମଣୀ ଖିଲୋ; ଶିକ୍ଷକଙ୍କ ପାଦ ପଡୁନଥବା ଅଂଚଳରେ କୁନି କୁନି ପିଲାଙ୍କୁ ପଢାଉଛନ୍ତି ପାଠ

135

କନକ ବ୍ୟୁରୋ: ମଲାଲା । ଏହି ନାଁଟି ଶୁଣିବା କ୍ଷଣି ମନ ଚାଲିଯାଏ ପାକିସ୍ତାନରେ ସେହି ଯୁବତୀଙ୍କ ପାଖକୁ । ଯିଏ ଆତଙ୍କର ଉପତ୍ୟାକାରେ ଶିକ୍ଷା ବାଂଟିବା ପାଇଁ ଗୁଳି ଖାଇଥିଲେ । ପରେ ନୋବେଲ ପୁରସ୍କାର ପାଇଁ ଶାରା ବିଶ୍ୱାରେ ପରିତିର ହୋଇଥିଲେ ମଲାଲା ୟୁସୁଫଜାଇ । ହେଲେ ଆଜି ଆମେ ଦେଖିବା ମାଲକାନଗିରିର ମଲାଲାଙ୍କୁ । ଯିଏ ମନରେ କୌଣସି ଆଶା ନରଖି ମାଓ ଉପଦ୍ରୁତ ଅଂଚଳରେ ଶିକ୍ଷାର ଆଲୋକ ବୁଣିଛନ୍ତି । ଶିକ୍ଷକଙ୍କ ପାଦ ପଡୁନଥବା ଅଂଚଳରେ କୁନି କୁନି ପିଲାଙ୍କୁ ପାଠ ପଢାଉଛନ୍ତି ।

ମାଲକାନଗିରି ସ୍ୱାଭିମାନ ଅଂଚଳର ଗୋରାସେତୁ ଗାଁ । ଲାଲଗଡ ଭାବେ ପରିଚିତ ଏହି ଅଂଚଳରେ ଆଗରୁ ମାଓବାଦୀଙ୍କ ବନ୍ଧୁକ ଗର୍ଜୁଥିଲା । ହେଲେ ଏବେ ଶୁଭୁଛି କୁନି କୁନି ପିଲାଙ୍କ ଅ-ଆ ଡାକ, ପାଠପଢା ସ୍ୱର । ଶିକ୍ଷକମାନେ ଗାଁକୁ ଆସି ପିଲାଙ୍କୁ ବହି ଓ ସ୍କୁଲ ୟୁନିଫର୍ମ ଧରାଇ ଫଟୋ ଉଠାଇ ଫେରିଯାଆନ୍ତି । ଆଉ ପିଲାମାନେ ବହିର ଚିତ୍ର ଦେଖି ଚିରି ଫିଙ୍ଗି ଦେଉଥିଲେ, ହେଲେ ଏବେ ଚିତ୍ର ବଦଳିଛି, କାରଣ ଶିକ୍ଷାର ଆଲୋକ ବାଂଟୁୁଛନ୍ତି ସ୍ୱାଭିମାନ ଅଂଚଳର ମଲାଲା କୁଷ୍ମଣୀ ଖିଲୋ ।

ଗୋରାସେତୁ ଗାଁର ଯୁକ୍ତ ୩ରେ ପାଠ ପଢୁଥିବା ଝିଅ କୁଷ୍ମଣୀ ଖିଲୋ ଦିନରେ ବିଲ, ବାଡିରେ କାମ କରନ୍ତି ଆଉ ରାତିରେ ଛୋଟଛୋଟ ପିଲାଙ୍କୁ ପାଠ ପଢାନ୍ତି । କରୋନା କାଳରେ ଏକ ପରିତ୍ୟକ୍ତ ଘରେ ପ୍ରାୟ ୪୦ ଜଣ ପିଲାଙ୍କୁ ପାଠ ପଢାଇବା ସହିତ ଶାନ୍ତି ଓ ମୈତ୍ରୀର ବାର୍ତା ଦେଉଛନ୍ତି କୁଷ୍ମଣୀ । ଠିକ ଯେମିତି ଆତଙ୍କର ଉପତ୍ୟକା ପାକିସ୍ତାନରେ ଶିକ୍ଷାର ଆଲୋକ ବାଂଟୁଥିଲେ ମଲାଲା ୟୁସୁଫଜାଇ ।