ଯୁକ୍ତ୩ ନାମଲେଖା ପ୍ରକ୍ରିୟା ଆରମ୍ଭ : ପ୍ରଥମ ଦିନରେ ୮ ହଜାର ଆବେଦନ; ଆବେଦନ ପାଇଁ ୨୨ ଯାଏ ସମୟ, ୨୮ରେ ମେରିଟ୍ ଲିଷ୍ଟ
କନକ ବ୍ୟୁରୋ : ରାଜ୍ୟରେ ଥିବା ଯୁକ୍ତ୩ କଲେଜ (ଡିଗ୍ରି କଲେଜ, ସେଲ୍ଫ ଫାଇନାସିଂ କଲେଜ, ସଂସ୍କୃତ କଲେଜ)ରେ ନାମଲେଖା ପାଇଁ ଆଜିଠୁ ଆବେଦନ ଆରମ୍ଭ ହୋଇଛି। ପୂର୍ବାହ୍ନ ୧୧ଟାରୁ ଛାତ୍ରଛାତ୍ରୀ www.dheodisha.gov.in www.samsodisha.gov.in ୱେବସାଇଟ୍ରେ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ) ପୂରଣ କରି ଆବେଦନ କରିଛନ୍ତି। ପ୍ରଥମ ଦିନରେ ୧୩ ହଜାର ୬୨ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ୮ ହଜାର ୫୦୦ରୁ ଅଧିକ ଆବେଦନ କରିଛନ୍ତି। ଏଥର କେବଳ ଅନ୍ଲାଇନ୍ରେ ଆବେଦନ ଓ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେଉଛି। ସେପ୍ଟେମ୍ବର ୨୨ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Kanak News is now on WhatsApp
Join and get latest news updates delivered to you via WhatsApp
ସେପ୍ଟେମ୍ବର ୨୮ ତାରିଖ ପୂର୍ବାହ୍ନ ୧୧ଟାରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ। ୨୮ ତାରିଖରୁ ଅକ୍ଟୋବର ୧ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସାମ୍ସ ଆକାଉଣ୍ଟରେ ଅନ୍ଲାଇନ୍ରେ ନାମଲେଖା ଫି’ ଦାଖଲ କରିପାରିବେ। ୨୯ ତାରିଖରୁ ଅକ୍ଟୋବର ୨ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ସମ୍ପର୍କିତ ତଥ୍ୟ ଅନ୍ଲାଇନ୍ରେ ପ୍ରଦର୍ଶିତ ହେବ। ୩ ତାରିଖ ସନ୍ଧ୍ୟା ୫ଟାରେ କେତେ ଛାତ୍ରଛାତ୍ରୀ ନାମ ଲେଖାଇଲେ ସେ ସମ୍ପର୍କିତ ତଥ୍ୟ ୱେବ୍ସାଇଟ୍ରେ ଉଲ୍ଲେଖ କରାଯିବ। ଅକ୍ଟୋବର ୮ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ଏବଂ ଅକ୍ଟୋବର ୮ରୁ ୧୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ନାମଲେଖା ଫି’ ଦାଖଲ କରି ନାମ ଲେଖାଇ ପାରିବେ।
ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସମ୍ପର୍କରେ ଚୂଡ଼ାନ୍ତ ତଥ୍ୟ ଅକ୍ଟୋବର ୧୩ ତାରିଖ ଅପରାହ୍ନ ୫ଟାରେ ପ୍ରକାଶ ପାଇବ। ସ୍ପଟ୍ ନାମଲେଖା ସମ୍ପର୍କରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜଗୁଡିକୁ ସ୍ୱତନ୍ତ୍ର ଗାଇଡ୍ଲାଇନ୍ ପଠାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ଏଥର ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସାମ୍ସ ଇ-ଆଡମିସନ୍ ମାଧ୍ୟମରେ କରାଯାଉଛି। ତେଣୁ ଛାତ୍ରଛାତ୍ରୀ ଅନ୍ୟ କୌଣସି କଲେଜ କିମ୍ବା ୱେବସାଇଟ୍ ଉପରେ ବିଶ୍ୱାସ ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।