ଆଜିଠୁ ଯୁକ୍ତ୩ ଦ୍ୱିତୀୟ ବର୍ଷ କ୍ଲାସରୁମ୍‌ ପାଠପଢ଼ା : ମାସ୍କ ପିନ୍ଧିବା ବା‌ଧ୍ୟତାମୂଳକ

189

କନକ ବ୍ୟୁରୋ : କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପରେ ଯୁକ୍ତ୩ ଦ୍ବିତୀୟ ବର୍ଷ ତଥା ୨୦୨୦-୨୧ ଶିକ୍ଷାବର୍ଷର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆଜିଠୁ ଆରମ୍ଭ ହେବ । କରୋନା କଟକଣା ମଧ୍ୟରେ ଛାତ୍ରଛାତ୍ରୀଙ୍କ କ୍ଲାସ କରାଯିବ । ମାସ୍କ ପିନ୍ଧିବାକୁ ବା‌ଧ୍ୟତାମୂଳକ କରାଯାଇଛି । କଣ୍ଟେନ୍‌ମେଣ୍ଟ ଜୋନ୍‌ ଭିତରେ ରହିଥିବା ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଆସିବେ ନାହିଁ ।

ନିୟମିତ ବ୍ୟବଧାନରେ ହ୍ୟାଣ୍ଡୱାସ୍‌ ତଥା ବିଶୋଧନ, କ୍ଲାସରୁମ୍‌, ଲାଇବ୍ରେରି, ଲାବରେଟୋରି ଆଦି ସ୍ଥାନରେ ସାମାଜିକ ଦୂରତା ଉପରେ ପ୍ରାଥମିକତା ଦିଆଯିବାକୁ କୁହାଯାଇଛି। କ୍ୟାମ୍ପସରେ ଛେପ ପକାଇବା ଉପରେ କଟକଣା ଲଗାଯାଇଛି। କାଶିବା, ଛିଙ୍କିବା ସମୟରେ ମୁହଁ ଓ ନାକକୁ ରୁମାଲରେ ଘୋଡ଼ାଇବାକୁ ପରାମର୍ଶ ଦିଆଯାଇଛି। ଅସୁସ୍ଥତା ଅନୁଭବ କଲେ କର୍ତୃପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି। କୌଣସି ପ୍ରକାର ଜରୁରୀ ଆବଶ୍ୟକତା ପଇଁ କ୍ୟାମ୍ପସରେ ଆଇସୋଲେସନ ରୁମ୍‌ ପ୍ରସ୍ତୁତ ରଖିବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି ।

କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବା ପୂର୍ବରୁ ସମସ୍ତ ଶିକ୍ଷାନୁଷ୍ଠାନ ହଷ୍ଟେଲ ଯୁକ୍ତ୩ ଦ୍ବିତୀୟ ବର୍ଷ ପିଲାଙ୍କ ପାଇଁ ଖୋଲାଯାଇଛି । କୋଭିଡ୍‌-୧୯ କଟକଣା ମଧ୍ୟରେ ହଷ୍ଟେଲ ଚାଲୁ ରଖିବାକୁ ପରାମର୍ଶ ଦିଆଯାଇଛି । ୨୦୨୧-୨୨ ଶିକ୍ଷାବର୍ଷରେ ସ୍ନାତକ ଓ ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ । ନାମଲେଖା ପ୍ରକ୍ରିୟା ଚାଲିଥିବାରୁ ଆସନ୍ତା ଅକ୍ଟୋବର ମାସରେ ଉକ୍ତ ଦୁଇ ଶ୍ରେଣୀଙ୍କ କ୍ଲାସରୁମ୍‌ ପାଠପଢ଼ା ନେଇ ଘୋଷଣା କରାଯିବ ବୋଲି ଜଣାପଡ଼ିଛି ।