କନକ ବ୍ୟୁରୋ : ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ ଖାଲି ଥିବା ସିଟ୍ରେ ନାମଲେଖା ଲାଗି ଦ୍ବିତୀୟ ପର୍ଯ୍ୟାୟ କଟ୍ ଅଫ ମାର୍କ ପ୍ରକାଶ ପାଇଛି । ନାମଲେଖା ଲାଗି ୩୫ ହଜାର ୫୯୧ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛ। କଳା ବିଭାଗରେ ସର୍ବାଧିକ ୨୮ ହଜାର ୧୮୧, ବିଜ୍ଞାନରେ ୪ ହଜାର ୬୦୬, ବାଣିଜ୍ୟରେ ୨ ହଜାର, ସଂସ୍କୃତରେ ୩୬୯ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ୩୭୧ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିରେ ୧୭ ହଜାର ୮୦୬ ଜଣ ଛାତ୍ର, ୧୭ ହଜାର ୭୮୩ ଛାତ୍ରୀ, ଅନ୍ୟାନ୍ୟ ବର୍ଗର ୨ ଜଣ ରହିଛନ୍ତି। ଏପର୍ଯ୍ୟନ୍ତ ୧୯ ହଜାର ୪୭୬ ଜଣ ଛାତ୍ରଛାତ୍ରୀ ଆଦୌ ଚୟନ ହୋଇ ନାହାନ୍ତି। ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ଆସନ୍ତାକାଲି ଠାରୁ ୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।
ଦ୍ବିତୀୟ ପର୍ଯ୍ୟାୟରେ କଳା ବିଭାଗରେ ସାଧାରଣ ବର୍ଗର କଟ୍ ଅଫ୍ ମାର୍କ ତାଲିକାରେ ବିଜେବି ଜୁନିଅର କଲେଜ ଶୀର୍ଷରେ ରହିଛି। ଏଠାରେ କଟ୍ ଅଫ୍ ମାର୍କ ୭୦% ଥିବା ବେଳେ ରେଭେନ୍ସା କଲେଜର ୬୮.୪%, ଶୈଳବାଳା ମହିଳା ମହାବିଦ୍ୟାଳୟର ୬୭.୧୭%, ପୁରୀ ଏସ୍ସିଏସ୍ କଲେଜର ୬୪.୮୩%, ରାଉରକେଲା ସରକାରୀ କଲେଜର କଟ୍ ଅଫ୍ ମାର୍କ ୬୪.୬୭% ରହିଛି। ସେହିପରି ବିଜ୍ଞାନ ବିଭାଗରେ ରେଭେନ୍ସା କଲେଜର କଟ୍ ଅଫ୍ ମାର୍କ ୮୬.୩୩ % ରହିଥିବା ବେଳେ ବିଜେବି କଲେଜର ୮୬%, ବ୍ରହ୍ମପୁରସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିର, ନୀଳକଣ୍ଠନଗରର ୮୪.୮୩%, ବାଲେଶ୍ବର ଜିଲ୍ଲା ଉପେନ୍ଦ୍ର ନାଥ କଲେଜ, ସୋରର ୮୪%, ଭୁବନେଶ୍ବରସ୍ଥିତ ବେସିକ୍ ସାଇନ୍ସର କଟ୍ ଅଫ୍ ମାର୍କ ୮୧.୮୩% ରହିଛି। ବାଣିଜ୍ୟ ବିଭାଗରେ ଯାଜପୁର ଜିଲ୍ଲାର ବ୍ୟାସନଗର କଲେଜର ୭୯.୬୭%, ରେଭେନ୍ସା କଲେଜର ୭୩.୩୩%, ରାଉରକେଲା ସରକାରୀ କଲେଜର ୭୨.୩୩%, ବିଜେବି କଲେଜର ୭୦ ଓ ବ୍ରହ୍ମପୁରସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିର, ନୀଳକଣ୍ଠନଗରର କଟ୍ ଅଫ୍ ମାର୍କ ୬୮.୮% ରହିଛି।
ସୂଚନାଯୋଗ୍ୟ ଯେ, ୨୦୨୮ଟି ଯୁକ୍ତ୨ କଲେଜର ୪ ଲକ୍ଷ ୫୩ ହଜାର ୬୪୦ ସିଟ୍ ମଧ୍ୟରୁ ୨ ଲକ୍ଷ ୯୬ ହଜାର ୬୧ଟି ସିଟ୍ ପୂରଣ ହୋଇଛି। ଆହୁରି ୧ ଲକ୍ଷ ୫୭ ହଜାର ୫୭୯ ଖାଲି ପଡ଼ିଛି। ବିଜ୍ଞାନ ବିଭାଗରେ ସର୍ବାଧିକ ୭୪ ହଜାର ୪୮୧ ସିଟ୍ ଖାଲି ରହିଛି। କଳା ବିଭାଗରେ ୪୯ ହଜାର ୮୮୭, ବାଣିଜ୍ୟରେ ୨୨ ହଜାର ୪୩୯, ସଂସ୍କୃତରେ ୪ ହଜାର ୬୪୦, ଧନ୍ଦାମୂଳକ ଶିକ୍ଷାରେ ୬ହଜାର ୧୩୨ ସିଟ୍ ଖାଲିପଡ଼ିଛି।