ଆଜିଠୁ ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା : ୧୮୦ କେନ୍ଦ୍ରରେ ୧୩୯୦ ଛାତ୍ରଛାତ୍ରୀ; ପରୀକ୍ଷାର୍ଥୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

264

କନକ ବ୍ୟୁରୋ : ଆଜିଠାରୁ ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଆରମ୍ଭ । ନଭେମ୍ବର ୧୧ରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଥିଓରି ଓ ୧୨ ତାରିଖ‌ରେ ପ୍ରାକ୍ଟିକାଲ/ପ୍ରୋଜେକ୍ଟ ପେପର୍‌ ପରୀକ୍ଷା କରାଯିବ । ଏକାଥରେ ରେଗୁଲାର, ଏକ୍ସ-ରେଗୁଲାର ଓ ଡିଷ୍ଟାନ୍ସ ଏଜୁକେସନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ । ଥିଓରି ବିଷୟଗୁଡ଼ିକର ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବ । ପରୀକ୍ଷା ପାଇଁ ସାରା ରାଜ୍ୟରେ ୧୮୦ଟି କେନ୍ଦ୍ର ହୋଇଛି । ଯେଉଁଥିରେ ୧୩୯୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ । ପରୀକ୍ଷା ପାଇଁ ସମସ୍ତ କେନ୍ଦ୍ରରେ ପୁଲିସ ମୁତୟନ ରହିବେ ।

ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଯାଇଛି । ପ୍ରବେଶ ସମୟରେ ଫାଟକ ନିକଟରେ ଯେପରି ଭିଡ଼ ନ ହୁଏ ସେଥିପ୍ରତି ଦୃଷ୍ଟି ହେବାକୁ ସମସ୍ତ ପରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ନିର୍ଦେଶ ଦିଆଯାଇଛି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ ପରୀକ୍ଷା ପରିଚାଳନା କରାଯିବ । ପରୀକ୍ଷାର୍ଥୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ପରୀକ୍ଷା କେନ୍ଦ୍ରକୁ ଆସିବା ସମୟରେ ଛାତ୍ରଛାତ୍ରୀ ସାଙ୍ଗରେ ଆଡମିଟ୍‌ କାର୍ଡ ଓ ଫଟୋ ପରିଚୟପତ୍ର ଆଣିବେ ।

ଯେଉଁ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ/ପ୍ରୋଜେକ୍ଟ ‌ପେପର୍‌ରେ ପାସ୍‌ କରିଥିବେ ହେଲେ ଥିଓରି ପରୀକ୍ଷାରେ ଫେଲ୍‌ କିମ୍ବା ଅନୁପସ୍ଥିତ ଥିବେ ସେମାନେ କେବଳ ଥିଓରି ପରୀକ୍ଷାରେ ଅଂଶଗ୍ରହଣ କରିବେ । ସେମାନଙ୍କର ପ୍ରାକ୍ଟିକାଲ/ପ୍ରୋଜେକ୍ଟ ପେପର୍‌ ପରୀକ୍ଷା ଦେବାର କୌଣସି ଆବଶ୍ୟକତା ନାହିଁ। ଥିଓରି ପରୀକ୍ଷାରେ ପାସ୍‌ କରି ପ୍ରାକ୍ଟିକାଲ ପରୀକ୍ଷାରେ ଫେଲ୍‌ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଉଭୟ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷା ଦେବାକୁ ପଡ଼ିବ। ଉଭୟ ଥିଓରି ଓ ପ୍ରାକ୍ଟିକାଲ ପରୀକ୍ଷାରେ ଫେଲ୍‌ ହୋଇଥିବା ପରୀକ୍ଷାର୍ଥୀ ଉଭୟ ପରୀକ୍ଷା ଦେବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।