ମୂଲ୍ୟାୟନକୁ ନେଇ ଅସନ୍ତୁଷ : ହାତ କାଟି ଦେଲେ ଯୁକ୍ତ ଦୁଇ ଡ୍ରପ ଆଉଟ ଛାତ୍ରୀ

91

କନକ ବ୍ୟୁରୋ : ରେଗୁଲାର ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ନ କରାଇ ପାସ୍‌ କରିଦେଲ । ଆମ ବେଳକୁ କାହିଁକି ପାନ୍ତରଅନ୍ତର କରୁଛ ? ଆମକୁ ବି ବିନା ପରୀକ୍ଷାରେ ମାଟ୍ରିକ୍‌ ମାର୍କ ଆଧାରରେ ଯୁକ୍ତ୨ ପାସ୍‌ କରାଅ। ନ ହେଲେ ଆତ୍ମହତ୍ୟା କରିବି। ଏମିତି କହି ସୋମବାର ଦିନ ଜଣେ ଏକ୍ସ-ରେଗୁଲାର ଛାତ୍ରୀ କାଉନସିଲ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ ବେଳେ ନିଜ ହାତ କାଟି ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ଉକ୍ତ ଛାତ୍ରୀ ଜଣକ ହାତ କାଟି ପରିଷଦ କର୍ତୃପକ୍ଷଙ୍କ ଉପରେ ଚାପ ସୃଷ୍ଟି କରିବାକୁ ପ୍ରୟାସ କରିଛନ୍ତି । ମାତ୍ର ଉପସ୍ଥିତ ପୁଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ ଏବଂ ପରେ ତାଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।

ପରିଷଦ ଘେରାଉ କରିଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ ହେଉଛି ଯେ ଯୁକ୍ତ୨ ପରୀକ୍ଷା ଫଳରେ ପାତରଅନ୍ତର ହୋଇଛି। ଯୁକ୍ତ୨ ଏକ୍ସ-ରେଗୁଲାର ଓ ଅଧାରୁ ପାଠ ଛାଡ଼ିଥିବା ତଥା ଡ୍ରପ୍‌ଆଉଟ୍‌ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନରେ ପକ୍ଷପାତିତା କରାଯାଇଛି । ପରିଷଦ କର୍ତୃପକ୍ଷଙ୍କ ଅପାରଗତା ପାଇଁ ଏଭଳି ସମସ୍ୟା ହୋଇଛି । ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏଥିସହ ଦଶମ ଶ୍ରେଣୀ ମାର୍କ ଆଧାରରେ ମୂଲ୍ୟାୟନ କରାଯାଉ। ପରୀକ୍ଷା ଦେବା ପାଇଁ ଆମ ପାଖରେ ଶକ୍ତି ନାହିଁ । ତେଣୁ ଯେକୌଣସି ପ୍ରକାରେ ଆମକୁ ପାସ୍‌ କରାଅ । ନ ହେଲେ ପରିଷଦ ଆଗରୁ ହଟିବୁ ନାହିଁ । ନ ହେଲେ ଅଫ୍‌ଲାଇନ୍‌ରେ ହେବାକୁ ଥିବା ପରୀକ୍ଷାକୁ ଆହୁରି ୧୫ ଦିନ ଘୁଞ୍ଚାଯାଉ । ପରୀକ୍ଷା ମଧ୍ୟରେ ୫ ଦିନ ବ୍ୟବଧାନ ଓ ୩ଟି ବିଷୟରେ ପରୀକ୍ଷା କରିବା ଭଳି ବିଭିନ୍ନ ଦାବି କରିଥିଲେ। ଛାତ୍ରଛାତ୍ରୀମାନେ ପ୍ରାୟ ଦେଢ଼ ଘଣ୍ଟା ଧରି ବସିଥିଲେ ମଧ୍ୟ ଧାରଣା ସ୍ଥଳକୁ ପରିଷଦର କୌଣସି ଅଧିକାରୀ ଆସି ନ ଥିଲେ। ଏତିକିବେଳେ ଗଞ୍ଜାମ ଜିଲ୍ଲାର ଏହି ଛାତ୍ରୀ ଜଣକ ବ୍ଲେଡ୍‌ରେ ନିଜ ହାତକୁ କାଟିବା ପରେ ପୁଲିସ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ଧାରଣାସ୍ଥଳରୁ ହଟାଇଥିଲା ।