ଦାଉ ସାଧୁଛି ଲଘୁଚାପ ବର୍ଷା : ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା, ଗମନାଗମନ ଠପ୍;ବିଭିନ୍ନ ସ୍ଥାନରେ ଭାସିଯାଇ ପ୍ରାଣ ହରାଇଲେ ୫ ଜଣ

906

କନକ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଲଗାତର ବର୍ଷା ଯୋଗୁ ବେହାଲ ହୋଇଛି ଦକ୍ଷିଣରୁ ପଶ୍ଚିମ ଓଡ଼ିଶା । କେଉଁଠି ପୋଲ ଉପରେ ପାଣି ଚାଲୁଛି ତ ପୁଣି କେଉଁଠି ଧୋଇ ହୋଇଯାଇଛି ଡାଇଭର୍ସନ ରୋଡ । ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାରେ ଭୀଷଣରୁ ଅତି ଭିଷଣ ବର୍ଷା ହୋଇଛି । ସେହିପରି ଖୋର୍ଦ୍ଧା, ପୁରୀ, ନୟାଗଡ, କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ଏହି ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଆଜି ବରଗଡ, ସମ୍ବଲପୁର, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଓ ୧୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ପ୍ରବଳ ବର୍ଷାରେ କଳାହାଣ୍ଡି ଜିଲ୍ଲା ୧୩୦-ସି ଜାତୀୟ ରାଜପଥର ବଡବସୁଲ ହାଲେର ନାଳାର ଡାଇଭର୍ସନ ରୋଡ ଧୋଇ ହୋଇଯାଇଛି । ଫଳରେ ଜୁନାଗଡ ଅଞ୍ଚଳରୁ ଛତିଶଗଡକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ଏପଟେ ଧର୍ମଗଡରୁ ଭବାନୀପାଟଣାକୁ ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଜୟପୁରରେ ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଗୁପ୍ତେଶ୍ୱର ଯିବା ରାସ୍ତାରେ ମାଟି ଅତଡା ଧସିବାରୁ ଯାତାୟତ ଠପ୍ ହୋଇପଡିଛି । ବୋଲବମ ଭକ୍ତକୁ ସେହି ରାସ୍ତାରେ ଯିବାକୁ ପ୍ରଶାସନ ମନା କରିଥିବା ବେଳେ ରାସ୍ତାରେ ଅଟକି ରହିଛି ଶହ ଶହ ଗାଡିି । ଲଗାଣ ବର୍ଷା ଯୋଗୁଁ ନଈ ନାଳରେ ଜଳସ୍ତର ବଢୁଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ଅଘଟଣର ଖବର ଆସିଛି ।

ସମ୍ବଲପୁର ଝାଙ୍କରାଣୀ ମନ୍ଦିର ନିକଟରେ ଭୋଜି କରିବାକୁ ଆସିଥିବା ୩ଜଣ ଯୁବକ ଗୋଧୋଇବା ବେଳେ ନଈରେ ଭାସି ଯାଇଛନ୍ତି । ଜଣେ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମାଲକାନଗିରି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ କାର୍କାଗୁଡାର ନାଳରେ ଭାସିଯାଇ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ବୁଗୁଡ଼ା ବ୍ଲକ୍ ଭାମସିଆଳି ଗାଁରେ କେନାଲରେ ଜଣେ ଭାସି ଯାଇ ପ୍ରାଣ ହରାଇଛନ୍ତି ଜଣେ ଯୁବକ । କଟକ ମାହାଙ୍ଗା ନିକଟ ଗୋକର୍ଣ୍ଣେଶ୍ୱର ମନ୍ଦିରରେ ଜଳାଭିଷେକ ପାଇଁ ଆସିଥିବା ଜଣେ କାଉଡିଆ ଗୋବରୀ ନଦୀରେ ବୁଡି ପ୍ରାଣ ହରାଇଛନ୍ତି ।