କନକ ବ୍ୟୁରୋ: ତୃତୀୟ ଲଘୁଚାପ ପ୍ରଭାବରେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକରେ ସର୍ବାଧିକ ୧୬୩ ମିମି ବର୍ଷା ରେକର୍ଡ ହୋଇଛି। ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କେଉଁଠି ଗଛ ଉପୁଡ଼ି ପଡ଼ିଛି ତ କେଉଁଠି ଘର ଭାଙ୍ଗି ଯାଇଛି । ପ୍ରବଳ ବର୍ଷା ଯୋଗୁ ବୋଦାପୁଟ ପଞ୍ଚାୟତର ମାଦି ପୋଲ ଉପରେ ୨ ଫୁଟ୍ ଉଚ୍ଚତାରେ ପାଣି ପ୍ରଭାବିତ ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ୭ ଖଣ୍ଡ ଗାଁର ଲୋକେ ଜଳବନ୍ଦୀ ଜୀବନ ବିତାଉଛନ୍ତି। ଚେରକା ପଞ୍ଚାୟତର ପରିଆଯୋଡ଼ି ନଦୀ ଫୁଲିବାରୁ ୩ଟି ଗ୍ରାମ କାଙ୍ଗୁଗୁଡା, ଡାଲିଆଗୁଡା ଏବଂ ଅଟାଳଗୁଡା ପାଣି ଘେରରେ ରହିଛି । ଅତିଆବଶ୍ୟକୀୟ ସାମଗ୍ରୀ ପାଇଁ ଲୋକେ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଥିବା ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟ ଏବଂ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଠପ୍ ହୋଇଯାଇଛି ।

କୋରାପୁଟ ଜିଲ୍ଲାର ଲମତାଫୁଟ ଓ ନନ୍ଦପୁର ବ୍ଲକରେ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ପାଣିରେ ନଦୀ ନଇ ନାଳ ପରିପୂର୍ଣ୍ଣ ହୋଇଯାଇଛି । ଭରା ନାଳ ଭିତରେ ପଶି ଛାତ୍ରଛାତ୍ରୀ ବିପଦ ସଙ୍କୂଳ ଭାବେ ବିଦ୍ୟାଳୟକୁ ଯାତାୟତ କରୁଛନ୍ତି । ରାସ୍ତା ଓ ନାଳ ଉପରେ ବନ୍ୟା ଜଳ ପ୍ରଭାହିତ ହେଉଥୁବାରୁ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷି ହୋଇଛି । ବାଦିଗଡ଼ ପଞ୍ଚାୟତ ଗୋଡିପୁଟ-ମାଛକୁଣ୍ଡ ରାସ୍ତାରେ ଦେଖୁବାକୁ ଏଭଳି ଦୃଶ୍ୟ । ଉଚ୍ଛୁଳା ନାଳ ପାରି ହୋଇ ପାଞ୍ଚ କିଲୋମିଟର ମାଛକୁଣ୍ତ ବିଦ୍ୟାଳୟକୁ ଯାଉଛନ୍ତି । ବିଦ୍ୟାଳୟ ଛୁଟି ହେବା ପରେ ପୁଣି ସେହି ପାଣିରେ ପଶି ଘରକୁ ଫେରୁଛନ୍ତି । ଗୋଡିପୁଟ-ମାଛକୁଣ୍ଡକୁ ସଂଯୋଗ କରୁଥିବା ରାସ୍ତାର ନାଳ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଅନେକ ଥର ଦାବି କରିଛନ୍ତି । ସରପଞ୍ଚ ଓ ବ୍ଲକ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରିଛନ୍ତି । କିନ୍ତୁ କୌଣସି ସୁଫଳ ମିଳିନାହିଁ । ଫଳରେ ବର୍ଷା ଦିନେ ପାଣିରେ ପଶି ଯିବା ଆସିବା କରିବାକୁ ପଡ଼ୁଛି । ସେପଟେ ଲଗାଣ ବର୍ଷାରେ ନନ୍ଦପୁର ବାଲଡା-ରୁକୁବା ରାସ୍ତାର କାଲାଡି ଗାଁ ନିକଟରେ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି । ବର୍ଷା ପାଣି ସହ ମାଟି ଅତଡା ଖସି ପାହାଡ଼ରୁ ରାସ୍ତା ଉପରକୁ ଚାଲି ଆସୁଛି। ଫଳରେ ନନ୍ଦକା ଓ ଖେମୁଣ୍ଡୁଗୁଡା ପଞ୍ଚାୟତକୁ ଯାତାୟତ ଠପ୍ ହୋଇପଡିଛି ।