ଜନନୀ ଯନ୍ତ୍ରଣାର ହୃଦୟ ବିଦାରକ ଘଟଣା । ଆସିଲାନି ଆମ୍ବୁଲାନ୍ସ, ୨ କିଲୋମିଟର ବାଟ ଚାଲିଲେ ଗର୍ଭବତୀ, ନଦୀ ପାର ହେବା ପରେ ରାସ୍ତାକଡ଼ରେ ଜନ୍ମ ହେଲା ମୃତଶିଶୁ ।

273

କନକ ବ୍ୟୁରୋ : ଜନନୀ ଯନ୍ତ୍ରଣା କେତେ କଷ୍ଟ ଦାୟକ ହୋଇପାରେ ତାହା କୋରାପୁଟର ଏହି ଘଟଣା ଦେଖିଲେ ଆପଣ ସହଜରେ ବୁଝିପାରିବେ । ଗର୍ଭ ଯନ୍ତ୍ରଣାରେ ଛଟପଟ ଜଣେ ମହିଳା ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଆସିନଥିଲା । ଆଉ ତାପରେ ଯାହା ଘଟିଗଲା ତାହା ଅତ୍ୟନ୍ତ ଦୁଃଖଦାୟକ ।

ଜନନୀ ଯନ୍ତ୍ରଣାର ଏ କାହାଣୀ ଯେତିକି ସମ୍ବେଦନଶୀଳ ସେତିକି ହୃଦୟ ବିଦାରକ । କାରଣ ଏଠି ଦୁନିଆକୁ ଆସିବା ପୂର୍ବରୁ ଆଖି ବୁଜିଛି ଜଣେ ନିରିହ ଶିଶୁ । ଯନ୍ତ୍ରଣାରେ ଛଟପଟ ଗର୍ଭବତୀ । ଆସିଲାନି ଆମ୍ବୁଲାନ୍ସ, ଚାଲି ଚାଲି ମେଡିକାଲ ବାହାରିଲେ ଗର୍ଭବତୀ ।

ଏହି ଘଟଣା ହେଉଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ମାଝୀଗୁଡା ପଂଚାୟତର । ଏହି ଗାଁର ପଦ୍ମୀନି ଗୌଡଙ୍କ ଗର୍ଭଯନ୍ତ୍ରଣା ଯେତେବେଳେ ବଢିଥିଲା ସେତେବେଳେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ସେ । ହେଲେ ଆସିନଥିଲା ଆମ୍ବୁଲାନ୍ସ । ବଡ କଷ୍ଟରେ ଚାଲି ଚାଲି ବାହାରିଲେ ହସ୍ପିଟାଲ । ତେବେ ୨ କିଲୋମିଟର ଚାଲିବା ପରେ ଜାମଯୋଡି ନଦୀ ପାର ହୋଇ ଆଉ କିଛି ବାଟ ଯାଉ ଯାଉ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ଆଉ ରାସ୍ତାକଡରେ ଜନ୍ମ ହୋଇଥିଲା ମୃତ ଶିଶୁ ।

ଗତ ୨ ବର୍ଷ ହେଲା ନଦୀ ଉପରେ ପୋଲ ନିର୍ମାଣ ଚାଲିଛି କିନ୍ତୁ ଆଜି ଯାଏଁ କାମ ଶେଷ ହୋଇନାହିଁ । ଆଉ ଯାହାର ପରିଣାମ ହେଲା ଏହି ହୃଦୟ ବିଦାରକ ଘଟଣା । ସରକାର ବିକାଶର ପାଠ ପଢାଉଥିବା ବେଳେ ଆଜି ବି ରାସ୍ତାକଡରେ ଏମିତି ଅବସ୍ଥାରେ ଜନ୍ମନେଉଛି ଶିଶୁ, ଯାହା ଏକ ବ୍ୟବସ୍ଥିତ ସମାଜର ମୁଣ୍ଡକୁ ତଳକୁ କରିଦେଇଛି ।