ଦିଲ୍ଲୀରେ ସମ୍ପୂର୍ଣ୍ଣ ଲକଡାଉନ ପରେ ପ୍ରବାସୀଙ୍କ ଘର ବାହୁଡା : ଟ୍ରେନ ଓ ବସ୍ ଷ୍ଟାଣ୍ଡରେ ହଜାର ହଜାର ଲୋକଙ୍କ ଭିଡ

 ସେପଟେ ମୁମ୍ବାଇରେ ସଂକ୍ରମଣ ବଢୁଥିବା ଦେଖି ଗାଁ ମୁହାଁ ପ୍ରବାସୀ ଶ୍ରମିକ

180

କନକ ବ୍ୟୁରୋ : ସଂକ୍ରମଣ ବଢୁଥିବାରୁ ଦିଲ୍ଲୀରେ ଲାଗିଛି ସଂପୂର୍ଣ୍ଣ ଲକଡାଉନ । ସୋମବାର ରାତି ୧୦ଟାରୁ ଆରମ୍ଭ ହୋଇଥିବା ଲକଡାଉନ ଏପ୍ରିଲ ୨୬ ତାରିଖ ଯାଏଁ ବଳବତର ରହିବ । ଦିଲ୍ଲୀରେ ୬ ଦିନିଆ ଲକଡାଉନ ଘୋଷଣା ପରେ ଘର ମୁହାଁ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଫଳରେ ଟ୍ରେନ ଓ ବସ୍ ଷ୍ଟାଣ୍ଡରେ ହଜାର ହଜାର ଶ୍ରମିକଙ୍କ ଭିଡ ଜମିବାରେ ଲାଗିଛି । ଦିଲ୍ଲୀର ଆନନ୍ଦ ବିହାର, କୋଶାମ୍ବି, ବସ୍ ଷ୍ଟେସନରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ୟୁପି, ବିହାର ସମେତ ଦେଶର ବିଭିନ୍ନ ସ୍ଥାନର ଶ୍ରମିକ ଘରକୁ ଫେରିବାକୁ ବସଷ୍ଟାଣ୍ଡରେ ଭିଡ ଜମାଇଥିଲେ । ସେପଟେ ମୁମ୍ବାଇରେ ସଂକ୍ରମଣ ବଢୁଥିବା ଦେଖି ଗାଁ ମୁହାଁ ହୋଇଛନ୍ତି ପ୍ରବାସୀ ଶ୍ରମିକ ।

କରୋନା ନିଆଁ ଏବେ ପ୍ରଚଣ୍ଡ ତୀବ୍ରତା ସହିତ ଦ୍ରୁତ ଗତିରେ ବିଭିନ୍ନ ରାଜ୍ୟକୁ ବ୍ୟାପିବାରେ ଲାଗିଛି। ଏଥିରେ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଛତିଶଗଡ଼, ପଞ୍ଜାବ, ହରିଆଣା, ଗୁଜରାଟ ସମେତ ୧୨ଟି ରାଜ୍ୟ।ପରିସ୍ଥିତି ଅଣାୟତ୍ତ ହେବାକୁ ଯାଉଥିବା ବେଳେ କିଛି ରାଜ୍ୟ ବିଶେଷ ତତ୍ପରତା ପ୍ରକାଶ କରୁନଥିବାରୁ ହାଇକୋର୍ଟଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ଉତ୍ତର ପ୍ରଦେଶରେ ପରିସ୍ଥିତି ଭୟଙ୍କର ହେଉଛି,କିନ୍ତୁ ଏହାର ମୁକାବିଲାରେ ରାଜ୍ୟ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାକୁ ନେଇ ଆହ୍ଲାବାଦ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି ଯେ କରୋନା ଭୟାବହତା ଦୃଷ୍ଟିରୁ ୫ଟି ସହରରେ ଲକ୍ ଡାଉନ୍ ଘୋଷଣା କରାଯାଉ ଏବଂ ସାରା ରାଜ୍ୟରେ ସ୍କୁଲ ବନ୍ଦ କରାଯାଉ । ଏହି ସହରଗୁଡ଼ିକ ‌ହେଲା ଲକ୍ଷ୍ନୌ, ପ୍ରୟାଗରାଜ, ବାରାଣାସୀ, କାନପୁର ଏବଂ ‌ଗୋରଖପୁର। କିନ୍ତୁ ହାଇକୋର୍ଟର ଏହି ଆଦେଶ ମାନିବାକୁ ମନା କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର। ସରକାରଙ୍କର ଜଣେ ଅଧିକାରୀ କହିଛନ୍ତି ଯେ ସରକାର କଠୋର କଟକଣା ଜାରି କରିବେ, କିନ୍ତୁ ଲକ୍ ଡାଉନ୍ ଘୋଷଣା କରିବାର ପ୍ରଶ୍ନ ଉଠୁନାହିଁ। ମହାରାଷ୍ଟ୍ର ପରେ ସର୍ବାଧିକ କ୍ଷତିଗ୍ରସ୍ତ ଉତ୍ତର ପ୍ରଦେଶ ସରକାରଙ୍କର ଏଭଳି ଆଭିମୁଖ୍ୟ ସମସ୍ତଙ୍କୁ ଆଶ୍ଚାର୍ଯ୍ୟ କରିଛି। ରାଜ୍ୟରେ ଏବେ ଦୈନିକ ସଂକ୍ରମଣ ୩୦ ହଜାର ଟପିଥିବା ବେଳେ ଶହେରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି।