ସରକାରୀ ନିର୍ଦ୍ଧାରିତ ଏମଏସପି ଠାରୁ ଅଧିକ ଦାମରେ କପା ବିକିଲେ ଚାଷୀ । ଅଧିକ ଦାମରେ କିଣିନେଲେ ଆନ୍ଧ୍ର ବ୍ୟବସାୟୀ ।

132

କନକ ବ୍ୟୁରୋ : କପା ଏକ ଅର୍ଥକାରୀ ଫସଲ ରୂପେ ଖ୍ୟାତି ଲାଭ କରିଥିବା ବେଳେ କପା ଚାଷ କରି ଚାଷୀ ଏବେ ହରଡଘଣାରେ । ଅମଳ କପାକୁ ଚାଷୀ ମଣ୍ଡିରେ ବିକ୍ରି କରି ଦୁଇ ପଇସା ରୋଜଗାର କରିବା ନେଇ ଆଶା ରଖିଥିବା ଚାଷୀ ଏବେ ଚିନ୍ତାରେ । ମଣ୍ଡିରେ କପାର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ଖୋଲା ବଜାର ଠାରୁ କମ ରହିଛି । ଫଳରେ ଓଡ଼ିଶା ଚାଷୀ ଆନ୍ଧ୍ର ବ୍ୟବସାୟୀଙ୍କ ନିକଟରେ ସମର୍ପି ଦେଉଛନ୍ତି ନିଜର ଉତ୍ପାଦିତ କପା ।

ରାଜ୍ୟରେ ଧାନ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ରେ ଧାନ ବିକିବା ପାଇଁ ଲଢେଇ କରୁଥିବା ବେଳେ ଓଡ଼ିଶା ରାୟଗଡ଼ାର କପା ଚାଷୀ ଏମଏସପିରେ କପା ବିକିବାକୁ କୁଣ୍ଠାବୋଧ କରୁଛନ୍ତି । କାରଣ ଏମଏସପି ଦର କମ ଅଛି ଏବଂ ସେମାନେ ଅଧିକା ଦାମରେ ବାହାର ଲୋକଙ୍କୁ ବିକ୍ରି କରୁଛନ୍ତି । ସରକାରୀ ମଣ୍ଡିରେ କପା କୁଇଣ୍ଟାଲ ପିଛା ଏମଏସପି ୬ ହଜାର ୨୫ ଟଙ୍କା ରହିଛି, ହେଲେ ଆନ୍ଧ୍ର ବ୍ୟବସାୟୀଙ୍କୁ କପା କୁଇଣ୍ଟାଲ ପିଛା ୭ ହଜାର ୫ ଶହରୁ ଅଧିକ ଟଙ୍କାରେ ବିକ୍ରି କରୁଛନ୍ତି ଚାଷୀ ।

ରାୟଗଡ଼ା ଜିଲ୍ଲାର ଗୁଣୁପୁର ସମେତ ରାୟଗଡା, ମୁନିଗୁଡା, ପଦ୍ମପୁର, ଗୁଡାରି, ରାମାନାଗୁଡା ବ୍ଲକ ଅଞ୍ଚଳରେ ପାଖାପାଖି ୪୫.୮୪ହଜାର ହେକ୍ଟର ଜମିରେ କପା ଚାଷ କରାଯାଇଛି । ଗୁଣୁପୁରରେ ୭ ହଜାର ୧୦୦, ରାମାନାଗୁଡାରେ ୯ହଜାର, ଗୁଡାରିରେ ୩ହଜାର ୮୦୦ ଓ ପଦ୍ମପୁରରେ ୨ହଜାର ୭୦୦ ହେକ୍ଟର ଜମିରେ ଏଥର କପା ଚାଷ ହୋଇଛି । ଆନ୍ଧ୍ରର ବ୍ୟବସାୟୀ ଓଡ଼ିଶା ସରକାରଙ୍କ କୁଇଣ୍ଟାଲ ପିଛା ଏମଏସପି ଠାରୁ ପାଖାପାଖି ଦେଢ ହଜାର ଅଧିକ ଟଙ୍କାରେ କପା କିଣୁଛନ୍ତି । ଅଧିକ ଲାଭ ଆଶାରେ ଚାଷୀ ଆନ୍ଧ୍ର ବ୍ୟବସାୟୀଙ୍କୁ ବିକ୍ରି କରୁଛନ୍ତି ସତ ହେଲେ ଟଙ୍କା ପାଇବା ଉପରେ ସେମାନଙ୍କର ସନ୍ଦେହ ରହୁଛି । ଅମଳ କପାକୁ ଅଧିକ ଦିନ ସଂରକ୍ଷିତ କରିପାରିଲେ ପରେ ଅଧିକ ଦାମରେ ଚାଷୀ ବିକ୍ରି କରିପାରନ୍ତା । ହେଲେ ଋଣ କରି କପା ଚାଷ କରିଥିବା ଚାଷୀ ଅମଳ କପାକୁ ଘରେ ରଖିବା ଅବସ୍ଥାରେ ନାହିଁ । ତେଣୁ ଯଥାଶିଘ୍ର ବିକ୍ରି ପାଇଁ ଚେଷ୍ଟା କରୁଛନ୍ତି ।