କନକ ବ୍ୟୁରୋ: ଦୁଇ ଦିନିଆ ଚୀନ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜିଠାରୁ ଦୁଇ ଦିନ ଧରି ସେ ଚୀନର ବୁହାନରେ ରାଷ୍ଟ୍ରପତି ସି ଜିନପିଙ୍ଗ ସହ ଅନୌପଚାରିକ ଶିଖର ବୈଠକରେ ସାମିଲ ହୋଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ । ୧୯୫୪ ପରେ ପ୍ରଥମ ଥର ପାଇଁ ହେବ ଅନୌପଚାରିକ କଥାବର୍ତା । ଦୁଇ ରାଷ୍ଟ୍ରର ବିକାଶ ଦିଗରେ ଉଭୟ ନେତା ଆଲୋଚନା କରିବେ । ତେବେ ଗସ୍ତ ପୂର୍ବରୁ ମୋଦି ତାଙ୍କ ଟ୍ୱିଟର ଆକାଉଂଟରେ ଏନେଇ ସୂଚନା ଦେଇଛନ୍ତି । ଦୁଇ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷୀକ ଆଲୋଚନା ହେବ ବୋଲି ସେ କହିଛନ୍ତି । ଏହାସହ ଉଭୟ ଦେଶର ବିକାଶ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ମୋଦି ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ଏହି ଅନୌପଚାରିକ ଶିଖର ବୈଠକ ପାଇଁ କୌଣସି ପ୍ରସଙ୍ଗ ଧାର୍ଯ୍ୟ କରାଯାଇନାହିଁ । ଏବଂ କୌଣସି ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହେବନାହିଁ । ବେଶ ଗୁରୁତ୍ୱପୁର୍ଣ୍ଣ ମନେ କରାଯାଉଥିବା ଉଭୟ ନେତାଙ୍କ ବୈଠକ ଉପରେ ଏବେ ସାରା ବିଶ୍ୱର ନଜର ରହିଛି । ଗତବର୍ଷ ଡୋକଲାମ ଗତିରୋଧ ଯୋଗୁଁ ପ୍ରାୟ ୭୩ଦିନ ଧରି ଉଭୟ ଦେଶର ସେନା ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ସମ୍ପର୍କରେ ବେଶ ତିକ୍ତତା ଦେଖାଯାଇଥିଲା । ତେବେ ଏହି ବୈଠକ ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ସୁଧୁରିବ ବୋଲି ଆଶା କରାଯାଉଛି ।
ସେପଟେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତ ପାଇଁ ଚଳଚଞ୍ଚଳ ହୋଇ ଉଠିଛି କେନ୍ଦ୍ରୀୟ ଚୀନରେ ଅବସ୍ଥିତ ପର୍ଯ୍ୟଟନ ସହର ଉହାନ। କାରଣ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଏହି ଦୁଇ ଦିନିଆ ଚୀନ୍ ଗସ୍ତ କାଳରେ ଏହି ଉହାନ୍ ସହରରେ ହିଁ ଅବସ୍ଥାନ କରିବେ। ଏଥିପାଇଁ ଚୀନ୍ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଓ ଆୟୋଜନ କରାଯିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବହୁ ସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରାଯିବା ସହ ସମଗ୍ର ଉହାନ୍ ସହରକୁ ପୁଲିସ୍ ଛାଉଣିରେ ପରିଣତ କରି ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସାମୟିକ ଭାବେ ପର୍ଯ୍ୟଟକମାନଙ୍କ ପାଇଁ ଏହି ସହରକୁ ବନ୍ଦ କରି ଦିଆଯାଇଛି। ଏହି ଗସ୍ତ କାଳରେ ଦ୍ୱିପାକ୍ଷିକ ଆଲୋଚନା ପରେ ଉଭୟ ନେତା ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ଜିନପିଙ୍ଗ୍ ଇଷ୍ଟଲେକ୍ ହ୍ରଦରେ ଏକାଠି ନୌକା ବିହାର କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିବା ଜାଣିବାକୁ ମିଳିଛି । ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ, ଚୀନ୍ର ପର୍ଯ୍ୟଟନ ସହର ଉହାନର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଇଷ୍ଟଲେକ୍ ।