କନକ ବ୍ୟୁରୋ : ସୁନାର ଶ୍ରୀଲଙ୍କା ଏବେ ଶ୍ରୀହୀନ । ଶ୍ରୀଲଙ୍କାରେ ଏବେ ଆର୍ଥିକ ସ୍ଥିତି ଉତ୍କଟ ରୂପ ଧାରଣ କରିଛି । ଶ୍ରୀଲଙ୍କାର ଅର୍ଥନୀତି ଏତେ ମାତ୍ରାରେ ଦୁର୍ବଳ ହୋଇ ପଡିଛି ଯେ ଦେଶରେ ଏବେ ରାଜ କରୁଛି ମହଙ୍ଗା । ଭୋକ ଉପରେ ଭାରି ପଡୁଛି ମହଙ୍ଗା । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲମ୍ବା ଲାଇନରେ ଛିଡା ହେବା ସତ୍ତେ୍ୱ ମଧ୍ୟ ଅନେକଙ୍କୁ ନିରାଶ ହେବାକୁ ପଡୁଛି । କାରଣ ଦର ଯେଉଁଭଳି ଆକାଶଛୁଆଁ ହୋଇଛି ସେଥିରେ କୌଣସି ସାମଗ୍ରୀ କିଣିବା ସାଧାରଣ ଲୋକ ପକ୍ଷେ ସମ୍ଭବପର ହୋଇ ପାରୁନାହିଁ । ଆଉ ଏଭଳି ସ୍ଥିତିରେ ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହଯୋଗ ଲୋଡିଛନ୍ତି ଶ୍ରୀଲଙ୍କାର ବିରୋଧୀ ଦଳ ନେତା ।
ଶ୍ରୀଲଙ୍କାର ବିରୋଧୀ ଦଳ ନେତା ସାଜିଥ ପ୍ରେମଦାସା କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଯେତେ ସମ୍ଭବ ଶ୍ରୀଲଙ୍କାକୁ ସହାୟତା କରନ୍ତୁ । କାରଣ ଶ୍ରୀଲଙ୍କା ଆମର ମାତୃଭୂମି ଓ ଆମ ମାତୃଭୂମିକୁ ଯେକୌଣସି ମୂଲ୍ୟରେ ଆମେ ବଞ୍ଚାଇବାକୁ ଚାହୁଁଛୁ ।
Colombo | "Please try and help Sri Lanka to the maximum possible extent. This is our motherland, we need to save our motherland," Sajith Premadasa, LoP in Sri Lanka gives a message to Prime Minister Narendra Modi pic.twitter.com/vy92IESJIO
— ANI (@ANI) April 4, 2022
ଏହାସହ ଶ୍ରୀଲଙ୍କାରେ ଏବେ ଦେଖାଦେଇଥିବା ରାଜନୈତିକ ଓ ଆର୍ଥିକ ସଙ୍କଟକୁ ନେଇ ପ୍ରେମଦାସା କହିଛନ୍ତି, ଏଥିପାଇଁ ରାଜପକ୍ଷେ ପରିବାର ସମ୍ପୂର୍ଣ୍ଣ ରୂପେ ଦାୟୀ । ରାଜପକ୍ଷେ ସରକାରରୁ ମନ୍ତ୍ରୀ ମାନେ ସାମୂହିକ ଭାବେ ଇସ୍ତଫା ଘଟଣା ଏକ ଡ୍ରାମା । ଆଉ ଏଭଳି କରି ଶ୍ରୀଲଙ୍କାବାସୀଙ୍କୁ ଭୁଆଁ ବୁଲା ଯାଉଛି । ଏହାଦ୍ୱାରା କୌଣସି ସମସ୍ୟାର ସମାଧାନ ହେଉନାହିଁ । ଦେଶକୁ ଏବେ ବୃହତ୍ତ ପରିବର୍ତ୍ତନର ଆବଶ୍ୟକତା ରହିଛି । ଯାହା ଶ୍ରୀଲଙ୍କାକୁ ଏହି ସଙ୍କଟରୁ ଉଦ୍ଧାର କରିବ ଏବଂ ନୂଆ ଶ୍ରୀଲଙ୍କା ଗଠନ ଦିଗରେ କାର୍ଯ୍ୟ କରିବ ।
ସଙ୍କଟରେ ପଡିଥିବା ପଡୋଶୀ ଶ୍ରୀଲଙ୍କାରେ ସ୍ଥିତି ଏତେ ଉତ୍କଟ ରୂପ ଧାରଣ କରିଛି ଯେ, ଦେଶରେ
- ୧୨ରୁ ୧୩ ଘଣ୍ଟା ବିଦ୍ୟୁତ୍ କାଟ୍ ହେଉଛି
- ସହରର ଷ୍ଟ୍ରିଟ୍ ଲାଇଟ୍ ବନ୍ଦ ରହିଛି
- ୩୦ ପ୍ରତିଶତ ମହଙ୍ଗା ହୋଇଛି ଔଷଧ
- ପେଟ୍ରୋଲ ପମ୍ପରେ ସେନାର ଯବାନ ମୁତୟନ ହୋଇଛନ୍ତି
- ପେଟ୍ରୋଲ ଓ ଡିଜେଲ ଦର ୩ରୁ ୪ ଗୁଣା ବୃଦ୍ଧି ପାଇଛି
- ଚାଉଳ କିଲୋ ୫ ଶହ ଟଙ୍କାରେ ପହଂଚିଛି
- ଚିନି କିଲୋ ୨୯୦ ଟଙ୍କାରେ ମିଳୁଛି
- ଶହେ ଟଙ୍କା ଦେଲେ ମିଳୁଛି ଗୋଟେ କପ୍ ଚା’
- ଏଲପିଜି ସିଲିଣ୍ଡର ଦର ୪ ହଜାର ୧୧୯ ଟଙ୍କା ରହିଛି
ଏଭଳି ମହଙ୍ଗା ମାଡ ଭିତରେ ଜଣେ ସାଧାରଣ ଶ୍ରୀଲଙ୍କାବାସୀ ଏବେ ବଞ୍ଚିବା କଷ୍ଟକର ହୋଇପଡିଛି । ଅନ୍ୟପଟେ ଶ୍ରୀଲଙ୍କାର ସଙ୍କଟ ବେଳେ ସାଥ୍ ଦେଇଛି ଭାରତ । ଶ୍ରୀଲଙ୍କାକୁ ୪୦ ହଜାର ଟନ୍ ଚାଉଳ ପଠାଇବା ସହ ସିଂହଳୀବାସୀଙ୍କର ପେଟ ଭରିଛି ।