କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁବେଳେ ଦେଶର ଲୋକତାନ୍ତ୍ରିକ ସଂସ୍ଥା ଉପରେ କେନ୍ଦ୍ର ସରକାରଙ୍କ ଚାପକୁ ନେଇ ଅଭିଯୋଗ କରିଆସୁଛନ୍ତି । ଏହାସହ ସେ ଏବେ ଦାବି କରିଛନ୍ତି କି ଯଦି ଦେଶରେ ଏହି ପ୍ରକ୍ରିୟା ଜାରି ରହିବ ତେବେ ଆଗାମୀ ଦିନରେ ଦେଶରେ ରାଷ୍ଟ୍ରପତି ଶାସନ ଲାଗୁହେବା ନିଶ୍ଚିନ୍ତ । ଏନେଇ ଏବେ ସେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଲୋକତନ୍ତ୍ରର ସୁରକ୍ଷିତ ରଖିବାକୁ ନିବେଦନ କରିଛନ୍ତି ।

Advertisment

ସୂଚନା ମୁତାବକ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ୟୁ ୟୁ ଲଲିତ ଆଜି କୋଲକତାର ରାଷ୍ଟ୍ରୀୟ ନ୍ୟାୟିକ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଦିକ୍ଷାନ୍ତ ସମାରୋହରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମମତା ବାନାର୍ଜୀ ଏଭଳି କହିଛନ୍ତି ।

ମମତା ବାନାର୍ଜୀ ତାଙ୍କ ଉଦବୋଧନରେ କହିଛନ୍ତି କି ସମାଜର ଏକ ନିର୍ଦ୍ଦିଷ୍ଟ ବର୍ଗ ଲୋକତାନ୍ତ୍ରିକ ଶକ୍ତି ଉପରେ ଦଖଲ କରିସାରିଛନ୍ତି । ଦିକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଥିବା ମମତା ବାନାର୍ଜୀ ମୁଖ୍ୟ ବିଚାରପତିଙ୍କୁ ନିବେଦନ କରିଛନ୍ତି କି ଏଭଳି ପରିସ୍ଥିତିରେ ଲୋକତନ୍ତ୍ରକୁ ରକ୍ଷା କରିବା ନ୍ୟାୟପାଳିକାର ଦାୟିତ୍ୱ ହେଉ ।

ଅନ୍ୟପଟେ ଗଣମାଧ୍ୟମର ପକ୍ଷପାତିତାକୁ ନେଇ ମମତା ବାନାର୍ଜୀ କହିଥିଲେ ଯେ ଗଣମାଧ୍ୟମ କଣ କାହାକୁ ବି ଗାଳିଦେଇ ପାରିବ ? ଗଣମାଧ୍ୟମ କଣ କାହା ଉପରେ ଅଭିଯୋଗ ଆଣିପାରିବ ? ଆମର ପ୍ରତିଷ୍ଠା ଆମର ସମ୍ମାନ , ତେଣୁ ସମ୍ମାନ ଲୁଟିନେଲେ ସବୁକଥା ସରିଯାଏ ବୋଲି ସେ କହିଛନ୍ତି ।