ଜୀବନକୁ ବଳିପଡିଛି ଯନ୍ତ୍ରଣା…ଇଚ୍ଛାମୃତ୍ୟୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅଜଣା ରୋଗରେ ଆକ୍ରାନ୍ତ ଆଦିବାସୀ ଯୁବତୀ…ମାଥିଲିରୁ ଆସିଲା ଚମ୍ପାର କରୁଣ କାହାଣୀ

737

କନକ ବ୍ୟୁରୋ: ୧୩ ବର୍ଷ ହେବ ଅଜଣା ରୋଗରେ ଶଯ୍ୟାଶାୟୀ ହୋଇପଡିଛନ୍ତି ଆଦିବାସୀ ଯୁବତୀ । ଶୈଶବ ଅବସ୍ଥାରେ ରୋଗାଗ୍ରସ୍ତ ହୋଇ କିଶୋରି ବୟସରେ ମୃତ୍ୟୁକୁ ଅପେକ୍ଷା କରିଛନ୍ତି । ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ସର୍ଗିଗୁଡା ଗାଁର ୨୪ ବର୍ଷୀୟ ଚମ୍ପା କାଲାକୁରା ଅସହ୍ୟ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଇଚ୍ଛା ମୃତ୍ୟୁ ପାଇଁ ଲିଖିତ ନିବେଦନ କରିଛନ୍ତି । ଏପରି ହୃଦୟ ବିଦାରକ ଓ ରୋଗରେ ପଡି ଅର୍ଥ ନଥିବାରୁ ଉଚ୍ଚ ଚିକିତ୍ସିତ ହୋଇନପାରୁନଥିବା ଜମ ଯନ୍ତ୍ରଣାରୁ ବଂଚିବା ଅପେକ୍ଷା ଇଚ୍ଛା ମୃତ୍ୟୁ ଭଲ ବୋଲି କହିଛନ୍ତି ଚମ୍ପା କାଲାକୁରା ।

ଶଯ୍ୟାଶାୟୀ ଯୁବତୀଙ୍କ ଜୀବନ । ଆଖିରେ ଆଖିଏ ସ୍ୱପ୍ନ, ହେଲେ ସ୍ୱପ୍ନ ସାକାର କରିବା ପାଇଁ ଶରୀର ଶକ୍ତି ନାହିଁ । ଆଉ ଏବେ ଜୀବନକୁ ବଳି ପଡିଛି ଯନ୍ତ୍ରଣା । ନିଜ ଦୁଃଖ ବଖାଣିବା ପାଇଁ ମଧ୍ୟ ଦେହରେ ବଳ ନାହିଁ । ପୁଣି ଥରେ ଠିଆ ହେବେ, ଅନ୍ୟମାନଙ୍କ ଭଳି ଜୀବନ ଜିଇଁବେ, ଦିନକୁ ଦିନ ସେ ଆଶା ମରି ମରି ଯାଉଛି । ଅଜଣା ରୋଗରେ ଅସହ୍ୟ ଯନ୍ତ୍ରଣା ଛଟପଟ ହେଉଥିବା ଯୁବତୀ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି । ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇଚ୍ଛା ମୃତ୍ୟୁ ପାଇଁ ନିବେଦନ କରିଛନ୍ତି ମାଲକାନଗିରି ମାଥିଲି ବ୍ଲକ ସର୍ଗିଗୁଡା ଗାଁର ଚମ୍ପା କାଲାକୁରା ।

୨୪ ବର୍ଷିୟ ଚମ୍ପାଙ୍କ ଶରୀର ଦିନକୁ ଦିନ କ୍ଷୀଣ ହେବାରେ ଲାଗିଛି । ଶଯ୍ୟାଶାୟୀ ଝିଅର ସବୁ କାମ ମାଆ କରୁଛନ୍ତି । ଯେଉଁ ବୟସରେ ଝିଅ ମାଆର ସେବା କରିବା କଥା ସେହି ବୟସରେ ଝିଅର ସେବା ମାଆ କରୁଛି । ଚମ୍ପା ଜନ୍ମରୁ ଏମିତି ନୁହନ୍ତି । ସମସ୍ତଙ୍କ ପରି ସେ ବି ମାଥିଲି ଭେଜାଗୁଡା ସ୍କୁଲରେ ପାଠ ପଡୁଥିଲେ । ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ଅର୍ଥାତ୍ ଚମ୍ପାଙ୍କୁ ଯେତେବେଳେ ୧୧ ବର୍ଷ, ସେତିକି ତାଙ୍କୁ ଗ୍ରାସ କଲା ଅଜଣା ରୋଗ । ଯେଉଁଥିରେ ସେ ୧୩ ବର୍ଷ ହେବ ଘାଂଟି ହେଉଛନ୍ତି । ପରିବାର ଲୋକ ଚମ୍ପାକୁ ଭଲ କରିବା ପାଇଁ ବହୁ ଡାକ୍ତରଖାନା ବୁଲିଛନ୍ତି, ହେଲେ କିଛି ଲାଭ ହୋଇନାହିଁ ।

 

 

ଆର୍ଥିକ ଅନଟନ ଭିତରେ ଝିଅର ଚିକିତ୍ସା କରିପାରୁନାହାନ୍ତି ପରିବାର । ଯମ ଜନ୍ତ୍ରଣା ଭୋଗିବା ଅପେକ୍ଷା ଇଚ୍ଛା ମୃତ୍ୟୁର ସହାୟତା ଲୋଡିଛନ୍ତି ଚମ୍ପା । ତେବେ ଏନେଇ ପ୍ରଶାସନ ଅବଗତ ରହିଛି । ତୁରନ୍ତୁ ଚମ୍ପାଙ୍କୁ ଉଦ୍ଧାର କରି ସରକାରୀ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମାଥିଲି ବିଡିଓ କହିଛନ୍ତି ।