ଦୁନିଆର ସବୁ ଦୁଃଖଠୁ ବଳିଗଲା ରାନୀର ଦୁଃଖ… ୭ ଦିନରେ ଆଖି ବୁଜିଲେ ବାପାମାଆ ଓ ଜେଜେମା । ୧୪ ମାସର କୁନି ଝିଅକୁ ଏକା କରିଦେଲା କରୋନା।

662

କନକ ବ୍ୟୁରୋ: ବାପା ଚାଲିଗଲେ, ମାଆ ଚାଲିଗଲା, ଜେଜେମା ବି ଆଖିବୁଜିଲା । ପରିବାରର ତିନି ତିନି ଜଣଙ୍କ ମୃତ୍ୟୁ ପରେ ଏବେ ପୂରା ଏକା ହୋଇଯାଇଛି ଏ କଅଁଳା ଶିଶୁ । ଆଗରେ କେହି ନାହିଁ, ପଛରେ ବି କେହି ନାହିଁ । ଝୁଣ୍ଟି ପଡିଲେ ଆହା ପଦେ କହି ଉଠାଇବାକୁ ନା ମାଆ ଅଛି ନା ପିଠିରେ ବସାଇ ହାତୀଘୋଡା ହେବାକୁ ଆଜି ବାପା ଅଛନ୍ତି । କୁନି ଝିଅ କରୋନାର କି ଦୋଷ କରିଥିଲା ଯେ ତାଠୁ ତା ପରିବାର ପୋଛିନେଲା, ତା ମୁଣ୍ଡ ଉପରୁ ବାପାମାଆଙ୍କ ହାତ ହଜେଇଦେଲା । ମୃତ୍ୟୁ କଣ ବୁଝି ନଥିବା ଶିଶୁଠୁ ମହାମାରୀ ମାବାପାଙ୍କୁ ନେଇ ମୃତ୍ୟୁର ଚିହ୍ନ ଚିହ୍ନେଇଦେଲା… କରୋନାର ହଜାର କାହାଣୀ ଭିତରେ ଏ କୁନିଝିଅର କାହାଣୀ ଆପଣଙ୍କୁ କନ୍ଦେଇ ଦେବ । ଯେଉଁଠି ୭ ଦିନ ଭିତରେ ବାପାମାଆ, ଜେଜେମା କରୋନାରେ ଚାଲିଗଲେ । ବୋଧହୁଏ ୟାଠୁ ବଡ ଦୁଃଖ ଦୁନିଆରେ ଆଉ କିଛି ନାହିଁ କୁନି ଝିଅ ପାଇଁ ।

ଯେଉଁ ବୟସରେ ମାଆର ମମତା ପାଇବା କଥା, ତା ଖନିମରା ପାଟିରେ ମାଆ ମାଆ ଡାକିବା କଥା । ସେହି ଡାକ ଶୁଣିବା ପାଇଁ ଆଜି ତା ମାଆ ତା ପାଖରେ ନାହିଁ । ଯେଉଁ ବୟସରେ ବାପାର ଆଙ୍ଗୁଳି ଧରି ବାଟ ଚାଲି ଶିଖିବା କଥା, ବାପାଙ୍କ ଆଦର୍ଶରେ ବଡ ହେବା କଥା… ବାପାଙ୍କ ସେ ଶକ୍ତ ଆଙ୍ଗୁଠି ଧରି ଚାଲିବାକୁ ଆଜି ବାପା ନାହାନ୍ତି… ଜେଜେମା ବି ଆରପାରିକୁ ଚାଲିଯାଇଛି । ଏବେ କିଏ ତାକୁ ଜହ୍ନମାମୁ କାହାଣୀ, ବୁଢି ଅସୁରୁଣୀ କାହାଣୀ, ବାଘ ମାମୁ ଗପ ଶୁଣେଇବ । କିଏ ତାକୁ ତେଲକଳା କରି ତା ମୁଣ୍ଡରେ କଳାଟିପା ଲଗେଇ ଦେବ । ଶୈଶବର ସବୁ ସୁଖ, ସବୁ ସ୍ନେହ ପାଇବାକୁ ବଞ୍ଚିତ ଆଜି ୧୪ ମାସର ରାନୀ । ସମ୍ପର୍କର ସଜ୍ଞା ଜାଣିନି, ପରିବାରର କଣ ପଢିନି… ଆଉ ନିଷ୍ଠୁର ସମୟ ତାକୁ ସର୍ବହରା କରିଦେଇଛି…

ଅନୁଗୁଳ ବଅଁରାପାଳ କୁକୁଡାଙ୍ଗ ଗାଁର ମଳୟ ବସନ୍ତ ଦେହୁରୀ । ମେ ୨୪ରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ପରେ ତାଙ୍କ ସ୍ତ୍ରୀ ପଜିଟିଭ ହୋଇଥିଲେ । ମାଆ ସୌଦାମିନୀଙ୍କୁ କଟକ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାରୁ କୁନି ଝିଅ ରାନୀଙ୍କୁ ମାମୁଘରେ ରଖାଯାଇଥିଲା । ଅନ୍ୟପଟେ ମଳୟଙ୍କ ମାଆ ବି କରୋନାର କବଳିତ ହୋଇଥିଲେ ବି କୁନି ଝିଅ ରାନୀ ସଂକ୍ରମଣ ସହ ଲଢି ସୁସ୍ଥ ହୋଇଥିଲା ।

ହେଲେ କରୋନାକୁ ହରାଇ ଆସିଥିବା କୁନି ଝିଅ ପାଇଁ ଯେ ବିଧାତା ହରାଇବାର, ହଜାଇବାର ଋତୁ ରଖିଥିଲେ ତାହା କେମିତି ଜାଣିବ ନିଷ୍ପାପ ଶିଶୁ ରାନୀ । ଜୁନ ୭ ତାରିଖରେ ରାନୀର ମାଆ କରୋନା ଯୁଦ୍ଧରେ ପ୍ରଥମେ ହାରିଯାଇଥିଲେ । ଆଉ ମାଆ ମୃତ୍ୟୁର ଠିକ ୭ ଦିନ ପରେ ରାନୀର ବାପା ଓ ଜେଜେମା ସାଙ୍ଗ ହୋଇ ଚାଲିଗଲେ । ଓଃ କି କରୁଣ ଏ କାହାଣୀ । ପରିବାରେ ୪ ଜଣରୁ ଡକାଡକି ହୋଇ ଚାଲିଗଲେ ସମସ୍ତେ । ଆଉ ସବୁଦିନ ପାଇଁ ଏକା ହୋଇଗଲା ୧୪ ମାସର କଅଁଳ କଢି ।

ବିବାହର ୭ ବର୍ଷ ପରେ ବାପାମାଆଙ୍କ ଠାରୁ ଜନ୍ମ ନେଇଥିଲା ରାନୀ । ଏଇ ଏପ୍ରିଲରେ ରାନୀର ପ୍ରଥମ ଜନ୍ମଦିନ ଧୁମଧାମରେ ପାଳନ ହୋଇଥିଲା । ହେଲେ କିଏ ଜାଣିଥିଲା ମାତ୍ର ତିନି ମାସ ଭିତରେ ତା ପରିବାରର ୩ ଜଣ ତାକୁ ଏକା କରି ଚାଲିଯିବେ ବୋଲି । ସେପଟେ ରାନୀର ଦାୟିତ୍ୱ ଏବେ ମାଉସୀ ଉପରେ । କୁନି ଝିଅର ମାଆ ସାଜିଛି ମାଉସୀ । ଯେଉଁ କଅଁଳ ହାତ ଆଜି ମାଆର ହାତଧରି ଗୋଡି ଚଲା ଦେଉଥାନ୍ତା ଆଜି ସେହି ହାତ ମାଉସୀକୁ ଜାବୁଡିଧରି ଜୀବନର ଅ, ଆ ଶିଖୁଛି…

ସତରେ ବାଲେଶ୍ୱର ଭୋଗରାଇର କୁନିଝିଅ କ୍ରିଷ୍ଣା ଠାରୁ ଅନୁଗୁଳର ୧୪ ମାସର କଅଁଳ କଢି ରାନୀର ଦୁଃଖ ଅତିଦାରୁଣ । ଆଶା କରିବା ବାପାମାଆ ଛେଉଣ୍ଡ ପିଲାର ଦାୟିତ୍ୱ କେହି ସହୃଦୟ ବ୍ୟକ୍ତି ନେବେ କିମ୍ବା ସରକାର ତାର ସବୁ ବୋଝ ବୋହି ସମୟର ପ୍ରତିକୂଳରେ ବଢୁଥିବା ରାନୀକୁ ଦିନେ ଭଲ ମଣିଷ ଭାବେ ଗଢି ତୋଳିବେ…