କନକ ବ୍ୟୁରୋ: ବେଳେ ବେଳେ ବ୍ରେକିଂ ନ୍ୟୁଜକୁ ନେଇ ଆମେ ସବୁବେଳେ ବ୍ୟସ୍ତ ରହିଥାଉ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଖବର ଦେଖାଇବୁ, ସତ କାହାଣୀ କହିବୁ ଯାହାକୁ ଶୁଣିଲା ପରେ ଆପଣ ଘଡିଏ ଅଟକିଯିବେ । ଇଏ ଏମିତି ଏକ ଖବର ଯାହା ପାଇଁ ସାମ୍ବାଦିକତାର ଶବ୍ଦ ଲୋଡା ପଡିବନି... ମୃତ୍ୟୁକୁ ଆଗରେ ଦେଖି କେମିତି ଜଣେ ମଣିଷ ଜୀବନର ଗୀତ ଗାଇପାରେ ? ସେ ମଲା ପରେ କେମିତି କାଳିଆକୁ ତା ପରିବାରର ଦାୟିତ୍ୱ ନେବାକୁ ନେହୁରା ହୋଇପାରେ ? ଗୀତର ଗୋଟେ ଗୋଟେ ଧାଡି ମୃତ୍ୟୁ ମିଶା ଜୀବନର ଜଣାଣ କରୁଛି । ତେବେ ଶୁଣନ୍ତୁ, ନିଜ କଣ୍ଠରୁ ଜଣେ କର୍କଟ ରୋଗୀର କୋହଭରା ଗୀତ...

Advertisment

ହାରିଲି କେତେ ମୁଁ ଜିତିଲି କେତେ, ସବୁର ହିସାବ ଅଛି ତୋ ହାତେ... ଏ ଗୀତ ଗାଇଲା ବେଳେ ନିଜ ଲୁହ କୋହକୁ ସମ୍ଭାଳି ପାରୁନାହାନ୍ତି କଣ୍ଠଶିଳ୍ପୀ ତଥା କର୍କଟରୋଗୀ । କେମିତି ବା ସମ୍ଭାଳିବେ, ଏଇଟା ଖାଲି ସଂଗୀତ ନୁହେଁ ନିଜ ଜୀବନର ଚିରନ୍ତନ ସତ୍ୟ । କ୍ୟାନ୍ସରର ୪ର୍ଥ ଷ୍ଟେଜରେ ଛିଡା ହୋଇ ଜୀବନ ପାଇଁ ଭିକ୍ଷା ମାଗୁଛନ୍ତି ଧର୍ମଶାଳାର ଧ୍ରୁବାନନ୍ଦ ଦାସ । ମୃତ୍ୟୁ ଜୀବନର ଘରେ କବାଟ ଠକଠକ କଲାଣି... କାଳରୂପୀ କ୍ୟାନ୍ସର ଜୀବନ ଉପରେ ମୃତ୍ୟୁର ଧଳା କପଡା ଘୋଡାଇ ବି ସାରିଲାଣି । ନିରୁପାୟ ଡାକ୍ତର ମଧ୍ୟ ଚମକ୍ରାରିତା ଆଶାରେ ହାତଟେକି ଦେଇ ଡେଟ୍ ଦେଇ ସାରିଲେଣି । ହେଲେ ବିଶ୍ୱର ବଡ ଡାକ୍ତର ମହାପ୍ରଭୁ ଜଗନ୍ନାଥ ଧ୍ରୁବଙ୍କ କୋହଭରା ନେହୁରା ଶୁଣିବାକୁ ହୁଏତ ତାଙ୍କ ମୃତ୍ୟୁର ତାରିଖ କିଛି ସମୟ ଗଡେଇ ଦେଇଛନ୍ତି ।

ଜଣେ କର୍କଟ ରୋଗୀ କଳା ସାଆନ୍ତଙ୍କ ପାଇଁ ଗୀତ ଗାଇଲା ବେଳେ ତାଙ୍କ କଣ୍ଠ କୋହରେ ଭରି ଯାଉଛି, ଆଖି ବି ଲୁହରେ ଛଳଛଳ ହୋଇଯାଉଛି... କାରଣ ସେ ଆଗୁଆ ପାଇ ସାରିଲେଣି ମୃତ୍ୟୁର ଆଭାସ । ତେଣୁ ସେ ଗଲା ପରେ ତାଙ୍କ ସଂସାର ରଥକୁ ସୁରୁଖୁରରେ ଗଡେଇ ନେବାକୁ ଜଗା ପାଖେ ଗୁହାରୀ କରୁଛନ୍ତି ଧ୍ରୁବ ।

ସେପଟେ ବାପାଙ୍କ ପାଇଁ ସେପାରିରୁ ଡାକ ଆସିବା ପରେ ଧ୍ରୁବଙ୍କ କୁନି ଝିଅ ତାଙ୍କୁ ଧରି କାନ୍ଦୁଛି । ବାପା ଆଜି ଅଛନ୍ତି କାଲି କି ନଥିବେ ଏ କଥାକୁ ହୁଏତ ତା ଅବୁଝା ମଥାରେ ବୁଝିସାରିଲାଣି ଝିଅ । ତେଣୁ ବାପାଙ୍କୁ ନହରେଇବାକୁ, ସେମାନଙ୍କୁ ଛାଡି ନଯିବାକୁ ବାପାଙ୍କ ପାଖେ ଅଳି ଅଝଟ କରୁଛି । ବାପାଙ୍କ ଲୁହ ପୋଛି ଦେଉଛି, ଆଖିର ଲୁହକୁ ପୋଛି ଗେଲ କରି ପକାଉଛି । ଆଉ କହୁଛି, ବାପା ତମେ ଆମକୁ ଛାଡି କୁଆଡେ ଯିବ ? ତମେ ଗଲା ପରେ ଆମେ କେମିତି ବଞ୍ଚିବୁ? ତମ ବିନା କେମିତି ଚଳିବୁ ? କୁନିଝିଅର ଅକୁହା କଥାକୁ ବୁଝି ବାପା କଳା ସାଆନ୍ତଙ୍କ ପାଖେ ଶେଷ ବିନତି କରିଛନ୍ତି ।

ଅନେକ ଥର ଆମେ ଆପଣଙ୍କୁ କ୍ୟାନସରର କେତେ କେତେ କାହାଣୀ ଦେଖାଇଛୁ । କେତେବେଳେ କ୍ୟାନସର କାହାକୁ ହରାଇଛି ତ କେତେବେଳେ କ୍ୟାନସକୁ ଆଉ କିଏ ହରାଇଛି । ଜୀବନର ବାଜି ଜିତି ଜିନ୍ଦାବାଦ କହିଥିବା ଅନେକ କ୍ୟାନସର ବିଜୟୀଙ୍କ କାହାଣୀ ଆମେ ଦେଖାଇଛୁ ହେଲେ ରକ୍ତ କର୍କଟରେ ପୀଡିତ ଧ୍ରୁବାନନ୍ଦଙ୍କ କାହାଣୀ ଛାତିରୁ ଥରାଇ ଦେଉଛି ।

ଜୀବନ ମୃତ୍ୟୁ ଜଗାକୁ ଜଣା । ଯେତେବେଳେ ଦ୍ୱିତୀୟ ଭଗବାନ ହାର ମାନନ୍ତି । ସେତେବେଳେ ଦାରୁଦିଅଁଧାରୀ ଡାକ୍ତର ଚମକ୍ରାର କରନ୍ତି । କାଳିଆର କରିସ୍ମା ଆଗରେ କେତେ କେତେ କର୍କଟ ଯାଇଛି । କେତେ କାଳରୂପୀ ରୋଗ କାଳିଆ କୃପାରୁ ଭଲ ବି ହୋଇଛି । ହୁଏତ ଆଶାର ଦିଶା ଫାଉଣ୍ଡେସନ ସହାୟତାରେ କର୍କଟ ପୀଡିତ ଧ୍ରୁବାନନ୍ଦ ନିଜ କୋହକୁ କାଳିଆ କାନରେ ପକେଇବାକୁ ପ୍ରୟାସ କରିଛନ୍ତି । ଧ୍ରୁବଙ୍କୁ ଜୀବନ ଦେବାକୁ ଆପଣ କିମ୍ବା ମୋ ହାତରେ କିଛି ନଥାଇ ପାରେ କିନ୍ତୁ କୁହାଯାଏ ପ୍ରାର୍ଥନାରେ ପୁନଃର୍ଜନ୍ମ ମିଳିଥାଏ, ଯମ ବି ଦୂରେଇଯାଏ । ଆସନ୍ତୁ ଧ୍ରୁବାନନ୍ଦଙ୍କ ଆୟୁଷ ପାଇଁ ଆଶାବାଡି ସାଜିବା । ନିଜ ସକ୍ଷମ ଅନୁସାରେ, ଯିଏ ଯେତେ ପାରିବା । ଆପଣ ଯଦି ଧ୍ରୁବାନନ୍ଦ ଦାସଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି । ତେବେ ତାଙ୍କ ଆକାଉଣ୍ଟ ନମ୍ବରରେ ସାହାଯ୍ୟ କରି ପାରିବେ । ଆଉ ତାଙ୍କୁ ନୂଆ ଜୀବନ ଦେବାରେ ସୂତ୍ରଧର ସାଜିବେ ।

publive-image