ଜୀବନ ସହ ସଂଗ୍ରାମ କରୁଛନ୍ତି ଅଭିଷେକ । ଟଙ୍କା ନାହିଁ ବୋଲି ହୋଇପାରିଲାନି ଏୟାର ଆମ୍ବୁଲାନ୍ସରେ କୋଲକାତା ସ୍ଥାନାନ୍ତର । ସଡକ ପଥରେ ଯିବା ଜୀବନ ପ୍ରତି ବିପଦ । ସାହାଯ୍ୟ କରିବାକୁ ହାତ ଯୋଡିଲା ପରିବାର…

684

କନକ ବ୍ୟୁରୋ: ମୋ ପୁଅକୁ ବଞ୍ଚାଇଦିଅ ବାପା, ମୋ ପୁଅର ଜୀବନ ଏବେ ଆପଣମାନଙ୍କ ହାତରେ । ଆମ ପାଖରେ ଟଙ୍କାଟିଏ ନାହିଁ । ପୁଅର ଅବସ୍ଥା ଭାରି ଖରାପ । ସମସ୍ତଙ୍କୁ ନେହୁରା ହେଉଛି ଟଙ୍କା ଦିଅନ୍ତୁ ମୋ ପୁଅକୁ ବଞ୍ଚାଇ ଦିଅନ୍ତୁ… ମୃତ୍ୟୁ ସହ ସଂଗ୍ରାମ କରୁଥିବା ଅଭିଷେକ ମହାପାତ୍ରଙ୍କ ପାଇଁ କାନ୍ଦି କାନ୍ଦି ନେହୁରା ହେଉଛି ଗୋଟେ ଅସହାୟ ମାଆ ।

ଖାଲି ମାଆ ନୁହେଁ ସ୍ୱାମୀ ପାଇଁ ସ୍ତ୍ରୀ ବି କାନ୍ଦି କାନ୍ଦି ସାହାଯ୍ୟ ଭିକ୍ଷା ମାଗିଛି । ଓଡିଶାବାସୀଙ୍କୁ ଅନୁରୋଧ ମୋ ସ୍ୱାମୀଙ୍କୁ ବଞ୍ଚାଇଦିଅ । ଆପଣଙ୍କ ଗୋଟିଏ ଗୋଟିଏ ଟଙ୍କା ଆମ ପାଇଁ ମୂଲ୍ୟବାନ । ଦୟାକରି ସାହାଯ୍ୟ କର… ସାହାଯ୍ୟ କର ବୋଲି କହିଛନ୍ତି ଅଭିଷେକଙ୍କ ପତ୍ନୀ ।

ତେବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ୨୮ ବର୍ଷୀୟ ଅଭିଷେକ ମହାପାତ୍ର । ଅଧାରେ ରହିଲା ଅଭିଷେକଙ୍କୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତର ପ୍ରକ୍ରିୟା । ଗୁରୁତର ଅଭିଷେକଙ୍କୁ ସ୍ଥାନାନ୍ତର ପାଇଁ ଯୋଗାଡ ହୋଇପାରିଲାନି ଟଙ୍କା । ସଡକ ପଥରେ ସ୍ଥାନାନ୍ତର ହେଲେ ଜୀବନ ପ୍ରତି ବିପଦ ଥିବା କହିଲେ ଏକମୋ ଡାକ୍ତରୀ ଟିମ୍ । ଭେଣ୍ଟିଲେଟରରେ ଥିବା ଅଭିଷେକଙ୍କ ପାଇଁ ଆବଶ୍ୟକ ଏକମୋ ଚିକିତ୍ସା । ତେବେ ଆଜି ଭୁବନେଶ୍ୱରରୁ ଏୟାର ଆମ୍ବୁଲାନ୍ସରେ କୋଲକାତା ସ୍ଥାନାନ୍ତର ହୋଇଥାନ୍ତେ । ମାତ୍ର ଟଙ୍କା ନଥିବାରୁ ଅଧାରେ ରହିଲା ସ୍ଥାନାନ୍ତର ।

ତେବେ ଜୀବନ ସହ ଯୁଦ୍ଧ କରୁଥିବା ଅଭିଷେକଙ୍କ ପାଇଁ ଆଗେଇ ଆସିବାକୁ ଅନୁରୋଧ । ଆପଣ ଯଦି ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଗୁଗୁଲ ପେ ନମ୍ବର- ୯୫୮୩୫୯୬୮୮୬ରେ ସହାୟତା କରନ୍ତୁ । ଫୋନ ପେ- ୯୫୮୩୫୯୬୮୮୬ରେ ବି ଟଙ୍କା ଦେଇ ସହଯୋଗ କରିପାରିବେ । ଆସନ୍ତୁ ଅଭିଷେକଙ୍କ ପାଇଁ ନୂଆ ଏକ ଅଭିଯାନ କରିବା । ତାଙ୍କ ଜୀବନ ବଞ୍ଚାଇବା ।