ପ୍ଲିଜ ଦିଲ୍ଲୀ ବଜେଟକୁ ରୋକନ୍ତୁ ନାହିଁ, ଦୟାକରି ବଜେଟକୁ ପାସ୍ କରିବାକୁ ଦିଅନ୍ତୁ । ପ୍ରଧାନମନ୍ତ୍ରୀ ଚିଠି ଲେଖି ଜଣାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

90

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଚିଠିରେ କେଜ୍ରିୱାଲ ଲେଖିଛନ୍ତି, ପ୍ଲିଜ୍ ଦିଲ୍ଲୀ ବଜେଟକୁ ରୋକନ୍ତୁ ନାହିଁ । ଆପଣ ଦିଲ୍ଲୀବାସୀଙ୍କ ଉପରେ କାହିଁକି ଏତେ ନାରାଜ? ସ୍ୱାଧୀନତାର ୭ ଦଶନ୍ଧି ପରେ ଏଭଳି କେବେ ଦେଖିବାକୁ ମିଳିନଥିଲା । ପ୍ରଥମଥର ପାଇଁ କୌଣସି ରାଜ୍ୟର ବଜେଟକୁ ରୋକାଯାଉଛି । ଦିଲ୍ଲୀବାସୀ ଆପଣଙ୍କୁ ହାତଯୋଡି ପ୍ରାର୍ଥନା କରୁଛନ୍ତି ଯେ, ଦୟାକରି ବଜେଟକୁ ପାସ୍ କରିବାକୁ ଦିଅନ୍ତୁ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗୃହ ମନ୍ତ୍ରାଳୟ ଆପ୍ ସରକାରକୁ ସ୍ପଷ୍ଟୀକରଣ ମାଗିଛି ଯେ ବଜେଟ ପ୍ରସ୍ତାବରେ ବିଜ୍ଞାପନ ବାବଦକୁ ଏତେ ଟଙ୍କା କାହିଁକି ରଖାଯାଇଛି । ଭିତ୍ତିଭୂମି ଓ ବିକାଶ କାର୍ଯ୍ୟ ପାଇଁ କମ ଟଙ୍କା ଆବଣ୍ଟିତ ହୋଇଥିବା ବେଳେ ବିଜ୍ଞାପନ ବାବଦକୁ ଏତେ ଟଙ୍କା କାହିଁକି ଖର୍ଚ୍ଚ କରାଯାଉଛି । ତେବେ ଆପ୍ ସରକାର ପକ୍ଷରୁ କୁହାଯାଇଛି ଯେ, ଗୃହ ମନ୍ତ୍ରାଳୟ ସମ୍ପୂର୍ଣ୍ଣ ଭାବେ ମିଛ କହୁଛି ।

ଦିଲ୍ଲୀର ଅର୍ଥମନ୍ତ୍ରୀ କୈଳାଶ ଗେହଲଟ କହିଛନ୍ତି, ଭାରତ ଇତିହାସରେ ପ୍ରଥମ ଥର ପାଇଁ କେନ୍ଦ୍ରର ଗୃହ ମନ୍ତ୍ରାଳୟ ଦିଲ୍ଲୀ ସରକାରକୁ ବଜେଟ ପାରିତ କରିବାକୁ ରୋକୁଛି । ଏହା ଜାଣିଶୁଣି କରାଯାଉଛି । କେନ୍ଦ୍ର ସରକାର ଗତ ୧୭ ତାରିଖରେ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ବଜେଟକୁ ମଞ୍ଜୁରି ଦେବାକୁ ମନା କରିଥିଲେ । ଦିଲ୍ଲୀର ବଜେଟ ୭୮୮୦୦ କୋଟି ରହିଛି । ଯେଉଁଥିରେ ଭିତ୍ତିଭୂମି ବିକାଶ ପାଇଁ ୨୨୦୦୦ କୋଟି ଖର୍ଚ୍ଚ ହେବ । ସେହିଭଳି ବିଜ୍ଞାପନ ବାବଦକୁ ୫୫୦ କୋଟି ଖର୍ଚ୍ଚ ହେବ । ଗତବର୍ଷ ମଧ୍ୟ ବିଜ୍ଞାପନ ବାବଦକୁ ଏତିକି ଟଙ୍କା ଖର୍ଚ୍ଚ ହୋଇଥିଲା । ତେଣୁ ବଜେଟରେ ବିଜ୍ଞାପନ ବାବଦରେ ଅଧିକ ଟଙ୍କା ବ୍ୟୟବରାଦ କରାଯାଇନାହିଁ ବୋଲି ଆପ୍ ସରକାର ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି ।