ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର କରିଥିବା ପୋଲିସକର୍ମୀଙ୍କ ବିରୋଧରେ ଏତଲା । ତଦନ୍ତ ଦାବି ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦୁଇ ଓକିଲ ।

839

କନକ ବ୍ୟୁରୋ : ହାଇଦ୍ରାବାଦ ଗଣଦୁଷ୍କର୍ମରେ ସାମିଲ ଥିବା ୪ ଅଭିଯୁକ୍ତଙ୍କୁ ପୁଲିସ ଏନକାଉଣ୍ଟର କରିବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । କେତେକ ଏହାକୁ ସମର୍ଥନ କରୁଥିବା ବେଳେ କେତେକ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଶନିବାର ଏହି ଏନକାଉଣ୍ଟରେ ସାମିଲ ଥିବା ପୁଲିସକର୍ମୀଙ୍କ ବିରୋଧରେ ଏତଲା ରୁଜୁ ଓ ତଦନ୍ତ ଦାବି କରି ଦୁଇ ଜଣ ଓକିଲ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଏହି ଘଟଣାର  ତଦନ୍ତ କରାଯିବା ସହ ଏନକାଉଣ୍ଟର କରିଥିବା ପୁଲିସକର୍ମୀଙ୍କ ବିରୋଧରେ ଏତଲା ରୁଜୁ କରାଯାଉ ବୋଲି ଆବେଦନ କରିଛନ୍ତି ଓକିଲ ଜିଏସ୍ ମଣି ଓ ପ୍ରଦୀପ କୁମାର ଯାଦବ । ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ୨୦୧୪ ଗାଇଡଲାଇନକୁ ପାଳନ କରାଯାଇ ନଥିବା ଅଭିଯୋଗ କରି ଦୁହେଁ ଏଭଳି ଆବେଦନ କରିଛନ୍ତି ।

ସୂଚନା ମୁତାବକ, ହାଇଦ୍ରାବାଦର ମହିଳା ଡାକ୍ତରଙ୍କ ସହ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ୪ଅଭିଯୁକ୍ତଙ୍କୁ ନେଇ ପୁଲିସ ଘଟଣାସ୍ଥଳକୁ ଯାଇଥିବା ବେଳେ ସେଠାରୁ ସେମାନେ ଫେରାର ହେବା ପାଇଁ ଉଦ୍ୟମ କରିଥିଲେ । ଏହା ସହ ଅଭିଯୁକ୍ତମାନେ ପୁଲିସର ବନ୍ଧୁକ ଛଡ଼ାଇ ତାଙ୍କୁ ଆକ୍ରମଣ କରିବା ସହ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ଯାହା ଫଳରେ ପୁଲିସ ଆତ୍ମରକ୍ଷା ପାଇଁ ପ୍ରତିଆକ୍ରମଣ କରିଥିଲା, ଯେଉଁଥିରେ ୪ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିଲା ।