କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ପଞ୍ଚମ ତଥା ଶେଷ ଟେଷ୍ଟ ରଦ୍ଦ ହେବା ପରେ ଏହାକୁ ନେଇ ବିଭିନ୍ନ ପ୍ରକାର ଚର୍ଚ୍ଚା ହେଉଛି । ମ୍ୟାଚକୁ କାହିଁକି ରଦ୍ଦ କରାଗଲା ବୋଲି କିଛି କ୍ରିକେଟପ୍ରେମୀ ପ୍ରଶ୍ନ କରୁଛନ୍ତି । ଏପରିକି ଆଇପିଏଲ ପାଇଁ ଶେଷ ଟେଷ୍ଟ ମ୍ୟାଚ୍ ରଦ୍ଦ ହେଲା ବୋଲି ଇଂଲଣ୍ଡର ଗଣମାଧ୍ୟମ ଖବର ପ୍ରକାଶିତ କରୁଛି । ଏପରିକି କିଛି ଗଣମାଧ୍ୟମ ମ୍ୟାଚ୍ ରଦ୍ଦ ହେବା ପଛରେ ରବି ଶାସ୍ତ୍ରୀଙ୍କ ବହି ଉନ୍ମୋଚନ ସମାରୋହକୁ ଦାୟୀ କରୁଛନ୍ତି । ଗତକାଲି ଶାସ୍ତ୍ରୀ ଏହି ପ୍ରସଙ୍ଗରେ ମୁହଁ ଖୋଲିଥିଲେ ଏବଂ କହିଥିଲେ, ପୂରା ଲଣ୍ଡନରେ କୌଣସି କଟକଣା ନାହିଁ । ତେଣୁ ତାଙ୍କ ଉପରେ ଦୋଷ ଦେବା ଠିକ୍ ନୁହେଁ ।
ଅନ୍ୟପଟେ ବିଳମ୍ବରେ ହେଉ ପଛେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । କାହିଁକି ମ୍ୟାଚ୍ ରଦ୍ଦ କରାଗଲା ତାହା ପଛର ପୂରା କାହାଣୀ କହିଛନ୍ତି ଗାଙ୍ଗୁଲି । ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି ମ୍ୟାଚ୍ ଖେଳିବାକୁ ଭାରତୀୟ ଖେଳାଳୀ ମନା କରିଥିଲେ, ଯେଉଁଥିପାଇଁ ପଞ୍ଚମ ଟେଷ୍ଟକୁ ରଦ୍ଦ କରିବାକୁ ପଡିଲା । କିନ୍ତୁ ଏଥିପାଇଁ ଖେଳାଳୀଙ୍କୁ ଦୋଷ ଦେଇ ହେବ ନାହିଁ । ଫିଜିଓ ଯୋଗେଶ ପରମାର ଖେଳାଳୀଙ୍କ ସଂସ୍ପର୍ଶରେ ଆସଥିଲେ । ଆଉ ଯେତେବେଳେ ଯୋଗେଶ କରୋନାରେ ଆକ୍ରାନ୍ତ ଥିବା ଜାଣିବାକୁ ମିଳିଲା ସେତେବେଳେ ଅନ୍ୟ ଖେଳାଳୀ ଚକିତ ହୋଇଯାଇଥିଲେ । ଏପରିକି ଖେଳାଳୀଙ୍କ ମଧ୍ୟରେ ଭୟ ରହିଥିଲା ଯେ, କାଳେ ସେମାନେ କରୋନାରେ ସଂକ୍ରମିତ ହୋଇଯିବେନି ତ? ଯେଉଁଥିପାଇଁ ଏଭଳି ନିଷ୍ପତ୍ତି ନେଇଥିଲେ ଖେଳାଳୀ ।
ତେବେ ଏହି ଟେଷ୍ଟ ମ୍ୟାଚ୍ ରଦ୍ଦ ହେବା କାରଣରୁ ଇସିବିକୁ କ୍ଷତି ହୋଇଛି ନିଶ୍ଚୟ । ତେବେ ପରିସ୍ଥିତି ଟିକିଏ ବଦଳିଲେ ଏ ବାବଦରେ ଆଗାମୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ସୌରଭ । ଇଂଲଣ୍ଡ କ୍ରିକେଟ ବୋର୍ଡକୁ କିଛି ସମୟ ନେବାକୁ ବିକଳ୍ପ ଦିଆଯାଇଛି, ଆସନ୍ତା ସେପ୍ଟେମ୍ବର ୨୨ରେ ଲଣ୍ଡନରେ ପହଞ୍ଚିବା ପରେ ପରବର୍ତ୍ତୀ ଆଲୋଚନା ହେବ ବୋଲି ସୌରଭ କହିଛନ୍ତି । ମ୍ୟାଚକୁ ସ୍ଥଗିତ କିମ୍ବା ରଦ୍ଦ କରିବା ଏତେ ସହଜ ହୋଇନଥାଏ ଏବଂ ଆଗକୁ ଏଭଳି ସ୍ଥିତି ମଧ୍ୟ ଉପୁଜିବନି ବୋଲି କହିଛନ୍ତି ଗାଙ୍ଗୁଲି ।