କନକ ବ୍ୟୁରୋ: ଆଜି ବାରବାଟୀ ମୁକାବିଲା । ଦିନିକିଆ ଶୃଙ୍ଖଳାର ନିର୍ଣ୍ଣାୟକ ମ୍ୟାଚ ପାଇଁ ପଡିଆକୁ ଓହ୍ଲାଇବେ ଭାରତ ଓ ୱେଷ୍ଟଇଣ୍ଡିଜ । ଆଜିର ମ୍ୟାଚ ଜିଣି ଶୃଙ୍ଖଳା ହାତେଇବାକୁ ଉଭୟ ଦଳ ପ୍ରୟାସ କରିବେ । ଆଉ ବାରବାଟୀରେ ଏକ ହାଇଭୋଲଟେଜ ମୁକାବିଲା ଦେଖିବାକୁ ଉକ୍ରଣ୍ଠାର ସହ ଅପେକ୍ଷା କରିଛନ୍ତି କ୍ରିକେଟପ୍ରେମୀ । ଏପଟେ, ବାରବାଟୀ ଲଢେଇ ପାଇଁ  ବାହାରି ଯାଇଛନ୍ତି ଯୋଦ୍ଧା । ପ୍ରଥମେ ୱେଷ୍ଟଇଣ୍ଡିଜ ଟିମ୍ କଟକ ଅଭିମୁଖେ ବାହାରିଥିବା ବେଳେ ତା ପଛେ ପଛେ ବାହାରିଥିଲେ ବିରାଟ ବାହିନୀ ।

Advertisment

publive-image

ତେବେ ଖେଳାଳିଙ୍କ ସୁରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଦୁଇ ଦଳର ଖେଳାଳି ଭୁବନେଶ୍ୱର ମେ ଫେୟାର ହୋଟେଲରୁ ପ୍ରାୟ ୧୧ଟାରେ ବାରବାଟୀ ଅଭିମୁଖେ ବାହାରିଥିଲେ । କଡା ସୁରକ୍ଷା ବଳୟରେ ଖେଳାଳିମାନେ ବାରବାଟୀ ଅଭିମୁଖେ ବାହାରିଛନ୍ତି । ଆଉ ଖେଳାଳିଙ୍କ ଗୋଟିଏ ଝଲକ ଦେଖିବାକୁ ହୋଟେଲ ବାହାରେ, ରାସ୍ତାରେ ପ୍ରଶଂସକଙ୍କ ଭିଡ ଦେଖିବାକୁ ମିଳିଛି ।  ଏପରିକି ଭାରତୀୟ ଦଳର ବସଟି ଗଲାବେଳେ ଗାଡି ପଛରେ ବହୁ ସଂଖ୍ୟକ ପ୍ରଂଶସକ ଦୌଡୁଥୁବାର ମଧ୍ୟ ଦେଖିବାକୁ ମିଳିଛି । ସେପଟେ, ଭିଡକୁ ଆଖିରେ ରଖି ପୁଲିସ ପ୍ରଶାସନ ତରଫରୁ ସୁରକ୍ଷାକୁ କଡାକଡି କରାଯାଇଛି ।

publive-image

ଓଡିଆ କ୍ରିକେଟ ଫ୍ୟାନଙ୍କ ପାଇଁ ବିରଳ ସୁଯୋଗ ଆଣିଦେବ ବାରବାଟୀ ଗ୍ରାଉଣ୍ଡ । କାରଣ ସିରିଜ ବିଜୟ ପାଇଁ ଆଜି କଟକ ବାରବାଟୀ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ୍ । ଦୁଇ ଦଳ ମଧ୍ୟରେ ଆଜି ଖେଳିଯିବ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ । ଅପରାହ୍ନ ସାଢେ ଗୋଟାଏରେ ଏହି ମ୍ୟାଚ ଖେଳାଯିବ । ପ୍ରଥମ ଦୁଇଟି ମ୍ୟାଚ ପରେ ସିରିଜ ୧-୧ରେ ବରାବର ଥିବାରୁ ବାରବାଟୀ ମ୍ୟାଚର ଗୁରୁତ୍ୱ ବଢିଯାଇଛି । ଏଠାରେ ଯିଏ ଜିତିବ, ସିରିଜ ସିଏ କବଜା କରିବ । ତେଣୁ ଓଡିଆ ଦର୍ଶକ ବାରବାଟୀରେ ଏକ ରୋମାଂଚକର ମ୍ୟାଚ ଦେଖିବାକୁ ପାଇବେ । ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ୱେଷ୍ଟଇଣ୍ଡିଜ ବିସ୍ମିିତ କଲାଭଳି ପ୍ରଦର୍ଶନ କରିଥିଲେ ମଧ୍ୟ ବିଶାଖପାଟଣାରେ ଟିମ୍ ଇଣ୍ଡିଆ ଅଲରାଉଣ୍ଡ ଖେଳ ପ୍ରଦର୍ଶନ କରି ସଫଳ ପ୍ରତ୍ୟାବର୍ତନ କରିଥିଲା । କ୍ୟାପଟେନ୍ କୋହଲିଙ୍କ ‘ଡକ୍’ ଆଉଟକୁ ଛାଡିଦେଲେ ଅନ୍ୟ ସମସ୍ତ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ ଚମକ୍ରାର ଖେଳ ପ୍ରଦର୍ଶନ କରିଥିଲେ । ଭାରତ ଏହା ପୂର୍ବରୁ କ୍ରମାଗତ ୯ ଥର ଦ୍ୱିପାକ୍ଷୀକ ସିରିଜ ବିଜୟୀ ହୋଇଛି । ତେଣୁ ବାରବାଟୀ ମ୍ୟାଚ ଜିତି ଦଳ ଏହି ସଂଖ୍ୟାକୁ ୧୦ରେ ପହଂଚାଇବାକୁ ଚେଷ୍ଟା କରିବ । ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜକୁ ୨-୧ରେ କବଜା କରିଥିଲା କୋହଲି ବାହିନୀ ।