ଆଡିଲେଡରେ ଜିତିବା ମ୍ୟାଚକୁ ହାରିଗଲା ଟିମ ଇଣ୍ଡିଆ, ୩୬ ରନରେ ଦ୍ୱିତୀୟ ଇନିଂସରେ ଅଲଆଉଟ୍ , ଟେଷ୍ଟ କ୍ରିକେଟରେ ସବୁଠାରୁ କମ୍ ରନର ଅଲୋଡା ରେକର୍ଡ କଲା କୋହଲି ବାହିନୀ ।

223

କନକ ବ୍ୟୁରୋ: ଆଡିଲେଡରେ ଟିମ ଇଣ୍ଡିଆର ଦୟନୀୟ ପ୍ରଦର୍ଶନ । ଦି୍ୱତୀୟ ଇନିଂସରେ କୌଣସି ଭାରତୀୟ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିଲେନି । ମାତ୍ର ୩୬ ରନରେ ଅଲଆଉଟ୍ ହେଲା ଟିମଇଣ୍ଡିଆ । ଟେଷ୍ଟ କ୍ରିକେଟରେ ସବୁଠାରୁ କମ୍ ସ୍କୋରର ଅଲୋଡା ରେକର୍ଡ ଅର୍ଜନ କଲା କୋହଲି ବାହିନୀ । ୯୦ ରନର ଟାର୍ଗେଟକୁ ୨ ୱିକେଟରେ ହାସଲ କରି ସହଜରେ ମ୍ୟାଚ ଜିତିଗଲା କଙ୍ଗାରୁ ଦଳ । ଅଢେଇ ଦିନରେ ଆଡିଲେଡ୍ ଟେଷ୍ଟ ସରିବା ପରେ ବିଭିନ୍ନ ମହଲରୁ କ୍ୟାପଟେନ୍ କୋହଲିଙ୍କୁ କରାଯାଉଛି ସମାଲୋଚନା ।

ଆଡିଲେଡରେ ଅଲୋଡା ରେକର୍ଡ
ଟେଷ୍ଟରେ ଟିମଇଣ୍ଡିଆର ସର୍ବନିମ୍ନ ସ୍କୋର
ଦ୍ୱିତୀୟ ଇନିଂସରେ ୩୬ ରନରେ ଅଲଆଉଟ୍

ଅଷ୍ଟ୍ରେଲିଆ ଗସ୍ତରେ ଟିମଇଣ୍ଡିଆର ଟେଷ୍ଟ ସିରିଜ ଏପରି ଭାବରେ ଆରମ୍ଭ ହେବ ଭାରତୀୟ କ୍ରିକେଟ୍ ପ୍ରେମୀ କେବେ କଳ୍ପନା କରିନଥିଲେ । ଖେଳର ଦ୍ୱିତୀୟ ଦିନ ସୁଦ୍ଧା ଭାରତର ପଲା ଭାରୀ ଥିବା ବେଳେ ତୃତୀୟ ଦିନରେ ବାଜି ପଲଟାଇ ମ୍ୟାଚ୍ ଜିତି ନେଇଛି ଘରୋଇ ଦଳ ।

ଆଡିଲେଡ୍ ଟେଷ୍ଟର ତୃତୀୟ ଦିନ
ତାସ୍ ପତା ପରି ଖସିପଡିଲା ବ୍ୟାଟିଂ ଲାଇନ୍
ଦ୍ୱିତୀୟ ଇନିଂସରେ ଭାରତ ୩୬ ରନରେ ଅଲଆଉଟ୍
କୌଣସି ବ୍ୟାଟସ୍ ମ୍ୟାନ୍ ଛୁଇଁ ପାରିଲେନି ଦୁଇ ଅଙ୍କ

ଭାରତୀୟ ଦଳ ମାତ୍ର ୩୬ ରନରେ ଅଲଆଉଟ୍ ହେବା ହିଁ ସବୁଠାରୁ ଚର୍ଚାର କାରଣ ହୋଇଛି । କାରଣ ଏହା ହିଁ ଟେଷ୍ଟ କ୍ରିକେଟରେ ଭାରତର ସର୍ବନିମ୍ନ ସ୍କୋର । ଟେଷ୍ଟ କ୍ରିକେଟରେ ସବୁଠାରୁ କମ୍ ସ୍କୋର ଇଂଲଣ୍ଡ ନାଁରେ ରହିଛି । ୧୯୫୫ ମସିହାରେ ଇଂଲଣ୍ଡ ମାତ୍ର ୨୬ ରନରେ ଅଲଆଉଟ୍ ହୋଇଥିଲ।।

ଟିମଇଣ୍ଡିଆର ଦ୍ୱିତୀୟ ଇନିଂସରେ ବ୍ୟାଟସ୍ ମ୍ୟାନଙ୍କ ସ୍କୋର
ପୃଥ୍ୱୀ ସ ୪, ମୟଙ୍କ ୯, ବୁମରା ୨, ପୂଜାରା ୦, କୋହଲି ୪
ରାହାଣେ ୦, ହନୁମା ବିହାରୀ ୮, ରିଦ୍ଧିମାନ ଶାହା ୪, ଅଶ୍ୱିନ୍ ୦
ଉମେଶ ଯାଦବ ୪, ସାମି ୧ ରନ୍ ରିଟାୟାର୍ଡ ହର୍ଟ

ହାଜଲଉଡ୍ ୫ ଓ ପ୍ୟାଟ କମିନ୍ସ ୪ଟି ୱିକେଟ୍ ଦଖଲ କରିବା ପରେ ଆଡିଲେଡରେ ମାଟି କାମୁଡିଥିଲା ଟିମଇଣ୍ଡିଆ । ମ୍ୟାଚ୍ ବାକି ଥିଲା ଅଢେଇ ଦିନ । ହାତ ଟେକିଦେଲା କୋହଲି ବାହିନୀ

ଦ୍ୱିତୀୟ ଦିନରେ ବୁମରାଙ୍କୁ କ୍ୟାପଟେନ୍ କୋହଲି ନାଇଟ୍ ୱାଚ୍ ମ୍ୟାନ୍ ପଠାଇବା ନିଷ୍ପତିକୁ ସମାଲୋଚନା କରିଛନ୍ତି ପୂର୍ବତନ କ୍ରିକେଟର । କାରଣ ଅଶ୍ୱିନ୍, ଉମେଶ କିଂବା ସାମିଙ୍କ ମଧ୍ୟରୁ ଜଣଙ୍କୁ ପଠାଇଥିଲେ ତୃତୀୟ ଦିନ ଫଳାଫଳ ଭିନ୍ନ ଆସିଥାନ୍ତା ବୋଲି ଯୁକ୍ତି ବାଢିଛନ୍ତି ପ୍ରଜ୍ଞାନ ଓଝା ।

ପୂଜାରାଙ୍କ ଓି୍ୱକେଟ୍ ବଂଚାଇବାକୁ ବୁମରାଙ୍କୁ ନାଇଟ୍ ୱାଚ୍ ମ୍ୟାଚ୍ ପଠାଇଥିଲେ କୋହଲି । ସେହି ପୂଜାରା କିନ୍ତୁ ଫେଲ୍ ମାରିଲେ । ମାତ୍ର ୮ଟି ବଲ ଖେଳି ସେ ଖାତା ଖୋଲିନପାରି ପ୍ୟାଭିଲିୟନ୍ ଫେରିଯାଇଥିଲେ । ଏହା ପରେ ଭୁଷୁଡିପଡିଥିଲା ଭାରତୀୟ ଦଳ । ୯୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ମାତ୍ର ୨ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି, ଅଢେଇ ଦିନରେ ଜିତିଥିଲା ଆଡିଲେଡ୍ ଟେଷ୍ଟ । ଏହି ବିଜୟ ସହିତ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି କଙ୍ଗାରୁ ଦଳ ।