ବଢିପାରେ ପ୍ଲାଟଫର୍ମ ଟିକେଟ୍ ଚାର୍ଜ । ଦେଶର ୧୦୦ରୁ ଅଧିକ ରେଳ ଷ୍ଟେସନରେ ଦୁଇଗୁଣା ହୋଇପାରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ।

546

ନକ ବ୍ୟୁରୋ: ଦେଶର ୧୦୦ ରୁ ଅଧିକ ରେଳ ଷ୍ଟେସନରେ ୟୁଜର ଡେଭଲପମେଣ୍ଟ ଫି ସ୍କିମ୍ କାର୍ଯ୍ୟକାରୀ କରିବାକୁ ଭାରତୀୟ ରେଳ ପ୍ରସ୍ତୁତ ହେଉଛି । ଏହା ଅଧୀନରେ, ଏହି ଷ୍ଟେସନରେ ଆସୁଥିବା ଉପଭୋକ୍ତାଙ୍କ ଠାରୁ ୟୁଜର ଚାର୍ଜ ନିଆଯିବ । ବାସ୍ତବରେ, ରେଳବାଇ ଚଳିତବର୍ଷ ନଭେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ଦେଶର ୧୨୧ ଷ୍ଟେସନରେ ୟୁଡିଏଫ(ୟୁଜର୍ ଡେଭଲପମେଣ୍ଟ ଫି) କାର୍ଯ୍ୟକାରୀ କରିବ । ଅଧିକାଂଶ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ୍ ମୂଲ୍ୟ ୧୦ ଟଙ୍କା ଥିବାବେଳେ ୟୁଡିଏଫ ଲାଗୁହେଲେ ଏହାର ମୂଲ୍ୟ ୨୦ ଟଙ୍କାକୁ ବୃଦ୍ଧି କରାଯିବ । ଅର୍ଥାତ୍ ଲୋକମାନେ ଷ୍ଟେସନ ଭିତରକୁ ଆସିଲେ ପ୍ଲାଟଫର୍ମ ଟିକେଟ ବାବଦକୁ ଦୁଇଗୁଣ ଅଧିକ ଅର୍ଥ ଦେବାକୁ ପଡିବ ।

କେବଳ ଏତିକି ନୁହେଁ ୧୨୧ ଷ୍ଟେସନରେ କେବଳ ପ୍ଲାଟଫର୍ମ ଟିକେଟ ବୃଦ୍ଧି କରାଯିବ ନାହିଁ ବରଂ ଏହି ଷ୍ଟେସନରେ ଟ୍ରେନରେ ଚଢ଼ୁଥିବା ଯାତ୍ରୀଙ୍କ ଭଡା ମଧ୍ୟ ବୃଦ୍ଧି କରାଯାଇପାରେ । ଯାତ୍ରୀଙ୍କୁ ଅଧିକ ସୁବିଧା ଦେବାକୁ ଉପଭୋକ୍ତା ଚାର୍ଜ ଆଦାୟ କରାଯାଏ । ବର୍ତ୍ତମାନ ଏହା କେବଳ ବିମାନବନ୍ଦରରେ ଆଦାୟ କରାଯାଉଛି ।

ବିମାନ ବନ୍ଦରରେ ଆଦାୟ କରାଯାଉଥିବା ଏହି ଚାର୍ଜକୁ ବିମାନ ଟିକେଟ୍ ସହିତ ଯୋଡା ଯାଇଥାଏ । ଅର୍ଥାତ୍ ଆପଣ ବିମାନ ଟିକେଟ୍ ପାଇଁ ଯେଉଁ ମୂଲ୍ୟ ଦେଇଥାନ୍ତି ସେଥିରେ ଉପଭୋକ୍ତା ଚାର୍ଜ ଅନ୍ତର୍ଭୁକ୍ତ ହୋଇ ରହିଥାଏ । ଆଉ ଭାରତୀୟ ରେଳ ଏହି ପନ୍ଥା ଆପଣାଇବାକୁ ଯାଉଛି । ଏହା ପୂର୍ବରୁ ଭାରତୀୟ ରେଳ ଚେୟାରମ୍ୟାନ୍ ଭି.କେ ଯାଦବ କହିଥିଲେ ଯେ ଯେଉଁ ରେଳ ଷ୍ଟେସନରେ ଅଧିକ ଭିଡ଼ ରହୁଛି ସେହି ଷ୍ଟେସନରେ ସାମାନ୍ୟ ଉପଭୋକ୍ତା ଚାର୍ଜ ଆଦାୟ କରାଯିବ । ଏହି ସ୍ଥାନଗୁଡିକରେ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଯୋଗାଇବାର ଆବଶ୍ୟକତା ଅଛି ।