ଦିଲ୍ଲୀ ଏମ୍ସରେ ଅଲଗା ହେଲେ ଜଗା-ବଳିଆ । ପ୍ଲାଷ୍ଟିକ ସର୍ଜରୀ ଶେଷ, ଆଇସିୟୁରେ ଅବଜରଭେସନରେ ରହିବେ ୭୨ଘଂଟା

125

କନକ ବ୍ୟୁରୋ : ଅଲଗା ହେଲେ ଜଗା-ବଳିଆ । କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଦିଲ୍ଲୀ ଏମ୍ସରେ ଅପରେସନ୍ ଦ୍ୱାରା ଅଲଗା କରାଯାଇଛି । ବୁଧବାର ସକାଳ ପ୍ରାୟ ୯ଟାରେ ଆରମ୍ଭ ହୋଇଥିଲା ଜଗା ବଳିଆଙ୍କ ଦ୍ୱିତୀୟ ପର୍ଯ୍ୟାୟ ଅପରେସନ୍ । ଦୀର୍ଘ ୧୧ ଘଂଟା ପରେ ରାତି ପ୍ରାୟ ୮ ଟାରେ ଜଗା-ବଳିଆଙ୍କ ଯୋଡାମୁଣ୍ଡକୁ ଅଲଗା କରିଛନ୍ତି ଡାକ୍ତର । ବର୍ତମାନ ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଦୁଇ ଶିଶୁଙ୍କର ପ୍ଲାଷ୍ଟିକ ସର୍ଜରୀ କାମ ବି ସରିଛି । ବର୍ତମାନ ସେମାନଙ୍କୁ ଆଇସିୟୁରେ ଅବଜେରଭେସନରେ ରଖାଯାଇଥିବା ସୂଚନା ମିଳିଛି । ଅପରେସନ ପରେ ଜଗାବଳିଆଙ୍କୁ ୭୨ ଘଂଟା ଅବଜରଭେସନରେ ରଖାଯିବ ।

joint headed child operationଚିକିତ୍ସା ବିଜ୍ଞାନରେ ବିରଳ ସଫଳତା । ଜଗା ବଳିଆଙ୍କ ଅପରେସନ ଉପରେ ସାରା ବିଶ୍ୱର ଡାକ୍ତରଙ୍କ ନଜର ରହିଛି । ଆଉ ଏହାରି ଭିତରେ ସରିଛି ସବୁଠାରୁ ଜଟିଳ ପ୍ରକ୍ରିୟା । ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କ ମୁଣ୍ଡ ଅଲଗା ହୋଇଛି । ଦିଲ୍ଲୀ ଏମ୍ସ ନ୍ୟୁରୋ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ପ୍ରାୟ ୨୦ ଜଣିଆ ଡାକ୍ତରୀ ଟିମ୍ ଶିଶୁଙ୍କ ଅପରେସନ୍ କରିଛନ୍ତି । ନ୍ୟୁରୋ ସର୍ଜରୀ ଦ୍ୱାରା ଶିଶୁଙ୍କ ମୁଣ୍ଡ ଅଲଗା ହେବା ପରେ ଏବେ ପ୍ଲାଷ୍ଟିକ ସର୍ଜରୀ ହୋଇଛି ।

ଗତକାଲି ସକାଳ ପ୍ରାୟ ୬ଟାରେ ଜଗା ବଳିଆଙ୍କୁ ଅପରେସନ୍ ରୁମକୁ ନିଆଯାଇଥିଲା । ପରେ ସକାଳ ପ୍ରାୟ ୯ଟାରେ ଆରମ୍ଭ ହୋଇଥିଲା ଅପରେସନ୍ । ଏହା ପୂର୍ବରୁ ଅଗଷ୍ଟ ୨୮ ରେ ଜଗା ବଳିଆଙ୍କ ପ୍ରଥମ ପର୍ଯ୍ୟାୟ ଅପରେସନ୍ ହୋଇଥିଲା । ଦୁଇ ଭାଇଙ୍କୁ ଏକ ୪୦ ଜଣିଆ ଡାକ୍ତରୀ ଦଳ ପ୍ରାୟ ୨୦ ଘଂଟା ଧରି ଅପରେସନ କରିଥିଲେ । ଆଉ ଏହି ପର୍ଯ୍ୟାୟରେ କୃତ୍ରିମ ଶିରାପ୍ରସିରାର ଢାଂଚା ତିଆରି କରି ବଳିଆ ଦେହରେ ରୋପଣ କରାଯାଇଥିଲା । ଏହାପରେ ଦୁଇ ଜଣଙ୍କ ମସ୍ତିଷ୍କକୁ ଅଲଗା କରିବାର ସବୁଠାରୁ ଜଟିଳ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ସେପଟେ ଜଗାବଳିଆଙ୍କ ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚନା କରିଛନ୍ତି ଲୋକେ । ଦୀପ ଜଳାଇ ଭଗବାନଙ୍କ ନିକଟରେ ଜଗାବଳିଆଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଜଗାବଳିଆ ସୁସ୍ଥ ହୋଇ ଫେରିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଓଡିଶାବାସୀ । ଜଗାବଳିଆଙ୍କ ନିଜ ଅଂଚଳ କନ୍ଧମାଳ ଜିଲ୍ଲାରେ ବି ପ୍ରାର୍ଥନା କରାଯାଉଛି ।

ଅଗଷ୍ଟ ୨୮ରେ ଜଗା –ବଳିଆଙ୍କର ପ୍ରଥମ ପର୍ୟ୍ୟାୟ ଅପରେସନ କରାଯାଇଥିଲା । ଏକ ୪୦ ଜଣିଆ ଡାକ୍ତରୀ ଦଳ ଏହି ଅପରେସନରେ ସାମିଲ ହୋଇଥିଲେ । ଏଥିରେ ଜାପାନରୁ ଆସିଥିବା ବିଶେଷଜ୍ଞ ମଧ୍ୟ ସାମିଲ ହୋଇଥିଲେ । କେ. ତାକି ଜାୱାଙ୍କ ନେତୃତ୍ୱରେ ହୋଇଥିଲା ଅପରେସନ । ଫୁଲବାଣୀର ଯାଆଁଳା ଶିଶୁ ଜଗା-ବଳିଆଙ୍କୁ ଦିଲ୍ଲୀରେ ଅପରେସନ ପାଇଁ ସରକାର ସବୁ ପ୍ରକାରର ବ୍ୟବସ୍ଥା କରିଥିଲେ । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ଦୁଇ ଶିଶୁଙ୍କ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଏଥିପାଇଁ ନିଜ ରିଲିଫ ପାଣ୍ଠିରୁ ଏକ କୋଟି ଟଙ୍କା ଦେଇଥିଲେ । ପ୍ରଥମେ ଦୁଇ ଶିଶୁଙ୍କୁ କଟକ ବଡ ମେଡ଼ିକାଲ ଅଣାଯାଇ ଚିକିତ୍ସା କରାଯାଇଥିଲା । ଆଉ ପରେ ଉଭୟଙ୍କୁ ଅଲଗା କରିବା ପାଇଁ ଦିଲ୍ଲୀ ଏମ୍ସ ହସ୍ପିଟାଲକୁ ନିଆଯାଇଥିଲା ।

ସୂଚନାଯୋଗ୍ୟ ଲଗାତର ମାସେ ଧରି ସବୁ ପରୀକ୍ଷା କରିବା ପରେ ସ୍ୱତନ୍ତ୍ର ଡାକ୍ତର ଟିମ୍ ନେତୃତ୍ୱରେ ଅପରେସନ ହୋଇଥିଲା । ହସପିଟାଲରେ ଆଡମିଟ୍ ପରେ ଦୁଇ ଶିଶୁଙ୍କ ଇସିଜି, ସିଟି ସ୍କାନ, ଏମ୍ଆରଆଇ, ଅଲଟ୍ରାସାଉଣ୍ଡ ଏବଂ ଏକ୍ସରେ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ରକ୍ତ ପରୀକ୍ଷା କରାଯାଇଥିଲା । ଯେଉଁଥିରେ ପ୍ଲାଷ୍ଟିକ ସର୍ଜରୀ, ଆନାସ୍ଥେସିଆ ଓ ସର୍ଜରୀ ବିଭାଗର ବିଶେଷଜ୍ଞ ଓ ଡାକ୍ତର ମଧ୍ୟ ସାମିଲ ହୋଇଥିଲେ ।