ଅଭିମନ୍ୟୁଙ୍କ ଅଜବ ଅଭିଯାନ: ପରିବେଶକୁ ପ୍ଲାଷ୍ଟିକମୁକ୍ତ କରିବାକୁ ପାଗଳର ଅଭିନୟ

315

କନକ ବ୍ୟୁରୋ: ହଁଁ ! ସେ ପାଗଳ । ଗାଁ ପାଇଁ, ସାରା ସମାଜ ପାଇଁ ପାଗଳ । କିଏ ଚୋର କହି ଗୋଡାଉଛି ତ ଆଉ କିଏ ପାଗଳ କହି ଖେଦି ଦେଉଛି । ମୁଣ୍ଡରେ ଗାମୁଛା, ହାତରେ ସିମେଣ୍ଟ ବସ୍ତା ଆଉ ବେକରେ ବୋତଲର ମାଳ ପିନ୍ଧିଥିବା ଏ ମଣିଷ ଜଣଙ୍କ ହେଉଛନ୍ତି ପ୍ଲାଷ୍ଟିକ ପାଗଳ । ଯେଉଁଠି ଗୋଟେ ବି ପ୍ଲାଷ୍ଟିକ ବୋତଲ, ଚିରା ଜରି କିମ୍ବା ପଲିଥିନ ଦେଖନ୍ତି ତାକୁ ଗୋଟାଇ ଆଣନ୍ତି ଆଉ ନିଜ ମୁଣିରେ ଭରି ଦିଅନ୍ତି ।

ତେବେ ପାଗଳ ଭଳି ଦିଶୁଥିବା ଏ ଯୁବକ ଜଣଙ୍କ ହେଉଛନ୍ତି ଜଣେ ଉଚ୍ଚ ଶିକ୍ଷିତ ଇଞ୍ଜିନିୟର । ବାଲେଶ୍ୱର ସିମୁଳିଆ ବ୍ଲକ ଦଧିବାମନପୁର ଗାଁର ଅଭିମନ୍ୟୁ ମିଶ୍ର ଦୀର୍ଘ ଦୁଇ ବର୍ଷ ହେବ ପାଗଳର ଅଭିନୟ କରିଆସୁଛନ୍ତି । ପରିବେଶ ପ୍ରେମରେ ପଡିଥିବା ଅଭିମନ୍ୟୁ ପରିବେଶକୁ ପ୍ଲାଷ୍ଟିକମୁକ୍ତ କରିବାକୁ ପାଗଳର ପନ୍ଥା ଆପଣେଇଛନ୍ତି ଯାହା ଘର ଲୋକ ଛଡା ଅନ୍ୟ କେହି ଜାଣିନାହାନ୍ତି ।

ତେବେ ପୁଅ ପାଠ ପଢି ଭଲ ଚାକିରି କରିବ ଏଇ ସ୍ୱପ୍ନ ଦେଖିଥିଲେ ବାପାମାଆ । ହେଲେ ଚାକିରି ପରିବର୍ତ୍ତେ ପୁଅ ସମାଜ ସେବାର ରାସ୍ତା ବାଛିନେବା ପରେ ଏବେ ପରିବାର ଲୋକ ବି ତାଙ୍କୁ ସମର୍ଥନ ଦେଉଛନ୍ତି ।

ସରକାର ଦେଶ ଆଉ ରାଜ୍ୟକୁ ପ୍ଲାଷ୍ଟିକମୁକ୍ତ କରିବାକୁ ବାରମ୍ବାର ନିୟମ କରୁଛନ୍ତି । ନିୟମ କଡାକଡି ହେବା ପରେ ବି ଲୋକେ ଆଇନକୁ ଆଖିଠାର ମାରି ପ୍ଲାଷ୍ଟିକକୁ ଅତ୍ୟଧିକ ବ୍ୟବହାର କରୁଛନ୍ତି । ଗାନ୍ଧି ଜୟନ୍ତୀରୁ ନିୟମ ପୁଣି କଠୋର ହେବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଅଭିମନ୍ୟୁଙ୍କ ଏ ଅଭିଯାନ ଆଇନ ଉଲ୍ଲଙ୍ଘନକାରୀଙ୍କୁ ସଚେତନ କରିବ ବୋଲି ଆଶା ।