ଅକ୍ଟୋବର ୨ରୁ ୫ ମହାନଗର ନିଗମ ସହ ପୁରୀ ଓ ଚିଲିକାରେ ପ୍ଲାଷ୍ଟିକ ବ୍ୟାନ । ଜାଣନ୍ତୁ ନିୟମ ଭାଙ୍ଗିଲେ ଦେବାକୁ ପଡିବ କେତେ ଟଙ୍କା

112

କନକ ବ୍ୟୁରୋ : ପ୍ଲାଷ୍ଟିକ ମୁକ୍ତ ଅଭିଯାନରେ ୫ଟି ମହାନଗର ନିଗମ ଓ ପୁରୀ ସହିତ ଏବେ ଯୋଡି ହୋଇଯାଇଛି ଚିଲିକା । ଚିଲିକାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ଆସନ୍ତା ୨ ତାରିଖ ଗାନ୍ଧି ଜୟନ୍ତୀଠାରୁ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣାକୁ କଡାକଡି ଭାବେ ଲାଗୁ କରାଯାଉଥିବା ବେଳେ ଚିଲିକାରେ ଏହାକୁ ଲାଗୁ କରିବା ପାଇଁ ଜନସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି । ବିଶେଷକରି ମତ୍ସ୍ୟଜୀବୀ ଏବଂ ବୋଟ ମାଲିକମାନଙ୍କୁ ଏନେଇ ଅବଗତ କରିବାକୁ ଚିଲିକା ଉନ୍ନୟନ କର୍ତୃପକ୍ଷ ଅଂଟା ଭିଡିଛନ୍ତି ।

ପ୍ଲାଷ୍ଟିକ ମୁକ୍ତ ଚିଲିକା ଅଭିଯାନ । କାଳିଜାଇକୁ ସମ୍ପୂର୍ଣ୍ଣ ଭାବେ ପ୍ଲାଷ୍ଟିକ ମୁକ୍ତ କରାଯିବା ପରେ ଏବେ ଚିଲିକାକୁ କିପରି ପ୍ଲାଷ୍ଟିକ ପଲିଥିନ ମୁକ୍ତ କରାଯିବ ଏବେ ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗାନ୍ଧୀ ଜୟନ୍ତୀରୁ ୫ଟି ମହାନଗର ନିଗମ-ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଏବଂ ପର୍ଯ୍ୟଟନ କ୍ଷେତ୍ର ପୁରୀରେ ପ୍ଲାଷ୍ଟିକ କଟକଣାକୁ କଡାକଡି ଭାବେ ଲାଗୁ କରାଯିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି । ଏବେ ଏହି ଅଭିଯାନ ଅନ୍ତର୍ଗତ ଚିଲିକାକୁ କିପରି ପ୍ଲାଷ୍ଟିକ ମୁକ୍ତ କରାଯିବ ସେନେଇ ମତ୍ସ୍ୟଜୀବୀ, ବୋଟ ମାଲିକ, ଚିଲିକା ଆଖପାଖ ଗାଁରେ ସଚେତନତା ଅଭିଯାନ ଆରମ୍ଭ କରିଛି ସିଡିଏ ।

ତେବେ ଯଦି କେହି ନିୟମକୁ ଉଲ୍ଲଙ୍ଘନ କରେ ତେବେ ସେନେଇ ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ରହିଛି । ପରିବେଶ ଉଲ୍ଲଙ୍ଘନ ଆଇନ ୧୯୮୬ ଅନୁସାରେ ଆଇନ ଉଲ୍ଲଙ୍ଘନକାରୀ କମ୍ପାନୀକୁ ୫ବର୍ଷ ଜେଲ କିମ୍ବା ଲକ୍ଷେ ଟଙ୍କା ଜୋରିମାନାର ଦଣ୍ଡବିଧାନ ହେବ । ଏହା ସହ ଦିନକୁ ୫ ହଜାର ଟଙ୍କା ଅତିରିକ୍ତ ଫାଇନ ଆଦାୟ କରାଯିବ । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ବନ୍ଦ ହେବ ପ୍ଲାଷ୍ଟିକ୍, ପଲିଥିନ୍ ବ୍ୟାଗ୍ ଓ ଥର୍ମୋକୁଲ୍ ବ୍ୟବହାର । ପ୍ଲାଷ୍ଟିକ ବିକ୍ରି, ଉତ୍ପାଦନ, ବ୍ୟବହାର ଓ ଗଚ୍ଛିତ ରଖିବାକୁ ନିଷେଧ କରାଯାଇଛି । ପିଇବା ପାଣି ପାଉଚ୍, ୫୦୦ ମିଲିମିଟରରୁ କମ୍ ପାଣି ବୋତଲ, ପଲିଥିନ୍ ବ୍ୟାଗ୍, ଡିସ୍ପୋଜେବଲ ପ୍ଲାଷ୍ଟିକ କପ୍, ପ୍ଲେଟ୍, ଗ୍ଲାସ, ବାଉଲ ଓ ଚାମଚ, ଥର୍ମୋକୁଲ କପ୍, ପ୍ଲେଟ୍, ଗ୍ଲାସ ଓ ବାଉଲ , ହୋଟେଲରେ ଖାଦ୍ୟ ପ୍ୟାକିଙ୍ଗ ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଡିସ୍, ମୃଦୁ ପାନୀୟରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଷ୍ଟ୍ର ବ୍ୟାନ ହେବ । ବିବାହ ,ବ୍ରତ ଘରରେ ଥର୍ମୋକୁଲରେ ସାଜସଜ୍ଜା ମଧ୍ୟ ବନ୍ଦ ହେବ । ସର୍ବସାଧାରଣ ସ୍ଥାନକୁ ମଧ୍ୟ ଲୋକେ ପଲିଥିନ ନେଇ ଯାଇପାରିବେନାହିଁ । ନିର୍ଦ୍ଦେଶନାମାକୁ ଧର୍ମୀୟ ଅନୁଷ୍ଠାନ, ହୋଟେଲ, ରେଷ୍ଟୁରାଂଟର ମାଲିକମାନେ ମଧ୍ୟ ମାନିବେ ।