ପ୍ଲାଷ୍ଟିକ ଧରିଲେ ଦଣ୍ଡ! ପ୍ଲାଷ୍ଟିକ କଟକଣା ନେଇ ଜାରି ହେଲା କଠୋର ନିର୍ଦ୍ଦେଶନାମା, ପଲିଥିନ ବ୍ୟାଗ ଧରି ବଜାରକୁ ଗଲେ ଗଣିବାକୁ ପଡିବ ଜରିମାନା

51

କନକ ବ୍ୟୁରୋ : ଆପଣ ପଲିଥିନ ବ୍ୟାଗ ଧରି ବଜାରକୁ ଯାଉଛନ୍ତି କି? ତେବେ ସେହି ଅଭ୍ୟାସ ପରିବର୍ତନ କରନ୍ତୁ, ନହେଲେ ବାଟରେ ଆପଣଙ୍କୁ ଫାଇନ ଗଣିବାକୁ ପଡ଼ିବ । ନିଷେଧ ହୋଇଥିବା ପ୍ଲାଷ୍ଟିକ ବିକ୍ରି ଓ ଉତ୍ପାଦନ କଲେ ହୋଇପାରେ ଜେଲ । ପାଷ୍ଟିକ ବନ୍ଦ ପାଇଁ ସରକାର ଆଣିଲେ କଠୋର ଆଇନ । ଗାନ୍ଧୀ ଜୟନ୍ତୀ ଦିନରୁ ପ୍ରଥମ ପର୍ଯ୍ୟାୟରେ ୫ଟି ମହାନଗର ନିଗମ ଏବଂ ପର୍ଯ୍ୟଟନ କ୍ଷେତ୍ର ପୁରୀରେ କଡାକଡି ଭାବେ ପ୍ଲାଷ୍ଟିକ କଟକଣା ଲାଗୁ ହେବ । ଏ ନେଇ ଛଅଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଦିନ ବନ୍ଦ ହେବ ପ୍ଲାଷ୍ଟିକ୍, ପଲିଥିନ୍ ବ୍ୟାଗ୍ ଓ ଥର୍ମୋକୁଲ୍ ବ୍ୟବହାର । ପ୍ରଥମ ପର୍ଯ୍ୟାୟରେ ୫ଟି ମହାନଗର ନିଗମ-ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଏବଂ ପର୍ଯ୍ୟଟନ କ୍ଷେତ୍ର ପୁରୀରେ କଡାକଡି ଭାବେ ଏହି କଟକଣା ଲାଗୁ ହେବ । ରାଜ୍ୟ ସରକାର ଡ୍ରାଫ୍ଟ ନିର୍ଦ୍ଦେଶନାମା ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ପ୍ଲାଷ୍ଟିକ ବିକ୍ରି, ଉତ୍ପାଦନ, ବ୍ୟବହାର ଓ ଗଚ୍ଛିତ ରଖିବାକୁ ନିଷେଧ କରାଯାଇଛି । ଏ ନେଇ ଏହି ଛଅଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ବ୍ୟାନ୍ ହେବ
– ପିଇବା ପାଣି ପାଉଚ୍
– ୫୦୦ ମିଲିମିଟରରୁ କମ୍ ପାଣି ବୋତଲ
– ପଲିଥିନ୍ ବ୍ୟାଗ୍
– ଡିସ୍ପୋଜେବଲ ପ୍ଲାଷ୍ଟିକ କପ୍, ପ୍ଲେଟ୍, ଗ୍ଲାସ, ବାଉଲ ଓ ଚାମଚ
– ଥର୍ମୋକୁଲ କପ୍, ପ୍ଲେଟ୍, ଗ୍ଲାସ ଓ ବାଉଲ
– ହୋଟେଲରେ ଖାଦ୍ୟ ପ୍ୟାକିଙ୍ଗ ପାଇଁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଡିସ୍
– ମୃଦୁ ପାନୀୟରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଷ୍ଟ୍ର

ବ୍ୟାନ୍ ହେବନାହିଁ
– ରକ୍ତ ଥଳି ଓ ହସପିଟାଲରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ, ହଟିକଲ୍ଚର ଓ ଫର୍ଟିଲାଇଜରରେ ବ୍ୟବହୃତ ପ୍ଲାଷ୍ଟିକ
– ୫୦ ମାଇକ୍ରୋନରୁ ଅଧିକ ଓ ୨୦% ପୁନଃ ବ୍ୟବହାରକ୍ଷମ ପ୍ଲାଷ୍ଟିକ କଟକଣାମୁକ୍ତ
– ୫୦୦ ମିଲିଲିଟର ଓ ତାଠୁ ଅଧିକ କ୍ଷମତା ବିଶିଷ୍ଟ ପାଣି ବୋତଲ
– ଖାଲି ବୋତଲ ଫେରାଇଲେ ବ୍ୟବହାରକାରୀଙ୍କୁ ସେ ବାବଦରେ ଟଙ୍କା ମିଳିବ
– ଅର୍ଥାତ୍ ବାଏ ବ୍ୟାକ ନୀତି ଲାଗୁ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର
– ଇଲେକଟ୍ରୋନିକ୍ସ ସାମଗ୍ରୀରେ ବ୍ୟବହାର ହେଉଥିବା ଥର୍ମୋକୁଲ ମଧ୍ୟ ଫେରସ୍ତ ହେବ

ବିବାହ ,ବ୍ରତ ଘରରେ ଥର୍ମୋକୁଲରେ ସାଜସଜ୍ଜା ମଧ୍ୟ ବନ୍ଦ ହେବ । ସର୍ବସାଧାରଣ ସ୍ଥାନକୁ ମଧ୍ୟ ଲୋକେ ପଲିଥିନ ନେଇ ଯାଇପାରିବେନାହିଁ । ନିର୍ଦ୍ଦେଶନାମାକୁ ଧର୍ମୀୟ ଅନୁଷ୍ଠାନ, ହୋଟେଲ, ରେଷ୍ଟୁରାଂଟ୍ର ମାଲିକମାନେ ମଧ୍ୟ ମାନିବେ । ଏନେଇ ଗଣମାଧ୍ୟମରେ ସଚେତନତା ସୃଷ୍ଟି କରିବା ସହ ଗୋଟିଏ ବର୍ଷ ପାଇଁ ମାଗଣାରେ ସିନେମାହଲ ମାଲିକମାନେ ହଲରେ ସ୍ଲାଇଡ୍ ସୋ ମାଧ୍ୟମରେ ଏହାର ପ୍ରଚାର କରିବାକୁ ଡ୍ରାଫଟ୍ରେ ଉଲ୍ଲେଖ ରହିଛି ।

ଏଣିକି ଆପଣ ପଲିଥିନ ବ୍ୟାଗ ଧରି ମାର୍କେଟକୁ ଯାଇପାରିବେ ନାହିଁ ଏଭଳି କଲେ ଆପଣଙ୍କୁ ଜରିମାନା ଦେବାକୁ ହେବ । ସବୁକିଛି ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାର ତଦାରଖ କରିବେ ମ୍ୟୁନିସପାଲ କମିଶନର ଓ ସ୍ଥାନୀୟ ପୋଲିସ । ଏହି ଆଇନ ଖିଲାପ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ୫ ବର୍ଷ ଜେଲ ସହ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି । ଏହା ସହ ଦିନକୁ ୫ ହଜାର ଟଙ୍କା ଅତିରିକ୍ତ ଫାଇନ ଆଦାୟ କରିବା ଲାଗି ବ୍ୟବସ୍ଥା କରାଯାଇଛି ।