image courtesy - www.pri.org
ପଲିଥିନ ବ୍ୟବହାର ଓ ଗୁଟଖା ବିକ୍ରି ଉପରେ ସରକାର ସମ୍ପୂର୍ଣ୍ଣ କଟକଣା ଜାରି କରିଛନ୍ତି । ପଲିଥିନ ଓ ଗୁଟଖା ବିକ୍ରି କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଥିବା ବେଳେ ଏହା ସରକାରୀ ନାଲିଫିତା ତଳେ ଚାପି ହୋଇ ରହିଯାଇଛି । ବେଗୁନିଆ ତଥା ଏହାର ଆଖପାଖ ଅଞ୍ଚଳରେ ଆଇନକୁ ଉଲ୍ଲଂଘନ କରି ବ୍ୟବସାୟୀମାନେ ଅବାଧରେ ଦୋକାନରେ ପଲିଥିନ ଓ ଗୁଟଖା ବେପାର ଚଳାଇ ଆସୁଥିବାର ଦେଖିବାକୁ ମିଳୁଛି। ମାତ୍ର ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।
ପ୍ରତିଦିନ ଅଞ୍ଚଳର ବିଭିନ୍ନ ତେଜରାତି ଦୋକାନ, ଚା ଓ ପାନ ଦୋକାନ ମାନଙ୍କରେ ବିଭିନ୍ନ କମ୍ପାନିର ଗୁଟଖା ମାଳ ମାଳ ହୋଇ ଛୁଲୁଛି। ଏପରିକି କିଛି ଯାଗାରେ ସ୍କୁଲ କଲେଜ ନିକଟରେ ମଧ୍ୟ ଗୁଟଖା ବିକ୍ରି ହେଉଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସର ଉଦାସୀନତା ଏହି ବେପାରକୁ ଅଧିକ ଉତ୍ସାହିତ କରୁଛି।
ସେହିପରି ପଲିଥିନ ବ୍ୟବହାର ନିଷିଦ୍ଧ କେବଳ ଏକ ସ୍ଲୋଗାନ ପରି ରହି ଯାଇଛି। ପ୍ରତ୍ୟେକ ଦୋକାନରେ ଏହାର ବ୍ୟାପକ ବ୍ୟବହାର ଯୋଗୁ ଜନସାଧାରଣ ଆଉ ପୂର୍ବଭଳି ବ୍ୟାଗ ନେଇ ଦୋକାନକୁ ଯାଉନାହାନ୍ତି। ତେବେ ଆଇନ ଉଲ୍ଲଂଘନକାରୀ ବ୍ୟବସାୟୀ ମାନଙ୍କ ପ୍ରତି ପ୍ରଶାସନର କୋହଳ ମନୋଭାବ ଏହାର ପ୍ରସାରଣକୁ ଏକପ୍ରକାର ଉତ୍ସାହିତ କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏ ସମ୍ପର୍କରେ ବେଗୁନିଆ ଥାନା ଅଧିକାରୀ ରଶ୍ମିରଞ୍ଜନ ସାହୁଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏ ନେଇ ଅବକାରୀ ବିଭାଗ ସହିତ ଆଲୋଚନା କରାଯାଇଛି। ଖୁବ୍ ଶୀଘ୍ର ବେଗୁନିଆ ଅଞ୍ଚଳରେ ଚଢ଼ାଉ କରାଯିବ।
Follow Us
/kanak/media/post_attachments/wp-content/uploads/2019/03/plastic-300x167.jpg)