ଏବେ ବ୍ୟବହାର ପରେ ବେକାର ଯିବନି ପ୍ଲାଷ୍ଟିକ ବ୍ୟାଗ୍ ! ମାଟିରେ ପୋତିବା କ୍ଷଣି ୩ ରୁ ୪ ମାସ ଭିତରେ ମିଳେଇଯିବ ବ୍ୟାଗ୍ । 

159

ବଜାରରୁ ପରିବା ହେଉ କିମ୍ବା ଅନ୍ୟ କୌଣସି ସାମଗ୍ରୀ ଘରକୁ ଆଣିବା ପରେ ଅଲୋଡା ହୋଇପଡେ ପଲିଥିନ୍ ବ୍ୟାଗ୍ । ଏହି ପ୍ଲାଷ୍ଟିକ୍ ପଲିଥିନ୍ ବ୍ୟାଗ୍ ର କାମ ଶେଷ ହେବା ପରେ ଆମେ ଏହାକୁ ବାହାରେ ଫୋପାଡିଦେଉ । ତେବେ ଏହା ପରିବେଶକୁ କେତେ କ୍ଷତି ପହଁଚାଉଛି କ’ଣ ଆପଣ ଜାଣିଛନ୍ତି? ଦେଶରେ ପ୍ରାୟ ୭୫ ପ୍ରତିଶତ ପଶୁ ପ୍ଲାଷ୍ଟିକ ବ୍ୟାଗ୍ କାରଣରୁ ଅକାଳରେ ମରୁଛନ୍ତି । ବର୍ତ୍ତମାନ ପଲିଥିନ୍ ବ୍ୟାଗ୍ ବ୍ୟାନ୍ ହୋଇଥିଲେ ମଧ୍ୟ ଏବେ ବି ଏହାକୁ ବ୍ୟବହାର କରିବାରେ ପଛଘୁଞ୍ଚା ଦେଉନାହାନ୍ତି ଲୋକେ । କିନ୍ତୁ କାଶୀପୁର ଉଦ୍ଧମସିଂହ ନଗରରେ ସ୍ଥାପିତ ହୋଇଥିବା ଷ୍ଟାର୍ଟଅପ୍ କମ୍ପାନୀରେ ଜର୍ମାନୀ ଟେକନିକ୍ ମାଧ୍ୟମରେ କମ୍ପୋଷ୍ଟେବଲ୍ ବାୟୋଡିଗ୍ରେଡେବଲ୍ ବ୍ୟାଗ୍ ପ୍ରସ୍ତୁତ କରାଯାଉଛି । ଏହି ବ୍ୟାଗ୍ ର ଖାସ୍ କଥା ହେଉଛି ଅଲୋଡା ହେବା ପରେ ବାହାରେ ଫୋପାଡିଲେ ମଧ୍ୟ ଏହା ମାଟିରେ ମିଶିଯାଉଛି । ଯାହାର ବ୍ୟବହାର ଚାରା ଏବଂ ଅନ୍ୟପ୍ରକାର ଫସଲରେ ମଧ୍ୟ କରାଯାଏ । ଏହି ବ୍ୟାଗ୍ ର ପରୀକ୍ଷଣ ପରେ କେନ୍ଦ୍ର ଜଙ୍ଗଲ ଏବଂ ପର୍ଯ୍ୟାବରଣ ମନ୍ତ୍ରାଳୟ ପକ୍ଷରୁ ଏହାକୁ ଉଚିତ୍ ମାନକର ବ୍ୟାଗ୍ ର ମାନ୍ୟତା ଦିଆଯାଇଛି । ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ହେଉ କିମ୍ବା କୌଣସି ଗରମ ଖାଦ୍ୟ ପଦାର୍ଥ ପାଇଁ ଆପଣ ଏହି ବ୍ୟାଗକୁ ବ୍ୟବହାର କରିପାରିବେ ।

କେନ୍ଦ୍ର ଏବଂ ପ୍ରଦେଶ ସରକାର ପରିବେଶ ସଂରକ୍ଷଣ ପାଇଁ ପ୍ଲାଷ୍ଟିକ ବ୍ୟାଗ୍ ଉପରେ ପ୍ରତିବନ୍ଧ ଲଗାଇଛନ୍ତି । କିନ୍ତୁ କାଶୀପୁରର ଏହି ଇକୋ ଗ୍ରୀନ୍ ଇଣ୍ଡଷ୍ଟ୍ରି କମ୍ପାନୀରେ ଏହାର ବିକଳ୍ପ ବାହାର କରାଯାଇଛି । ଜର୍ମାନୀ ଟେକନିକ୍ ମାଧ୍ୟମରେ ଏହି ବ୍ୟାଗକୁ ପ୍ରସ୍ତୁତ କରାଯାଇଛି । ବ୍ୟାଗ୍ କୁ ମାଟିରେ ପୋତିଲେ ଏହା ୩ ରୁ ୪ ମାସ ଭିତରେ ମାଟିରେ ମିଳେଇଯିବାର ସାମର୍ଥ୍ୟ ରଖୁଛି । ବର୍ତ୍ତମାନ ପ୍ଲାଣ୍ଟ୍ ରେ ପ୍ରତିଦିନ ପାଖାପାଖି ୫୦ ଟନ୍ ବ୍ୟାଗ୍ ପ୍ରସ୍ତୁତି କରାଯାଉଛି । ଏହାକୁ ୧୦୦ ଟନ୍ କରିବା ପାଇଁ କମ୍ପାନୀ ଜର୍ମାନୀରୁ ଉନ୍ନତ ମେସିନ୍ ଆଣିବାକୁ ଯାଉଛି ଯାହାପରେ ଏହି ବ୍ୟାଗ୍ କୁ ସମ୍ପୁର୍ଣ୍ଣ ଦେଶରେ ବିକ୍ରି କରାଯିବ ।