କରୋନା ପାଇଁ ପ୍ଲାଜମା ଚିକିତ୍ସା, ରୋଗ ଭଲ କରିବେ ରୋଗୀ । ଓଡ଼ିଶାର ୪ ପ୍ରମୁଖ କୋଭିଡ୍ ହସ୍ପିଟାଲରେ ଆରମ୍ଭ ହେବ ପ୍ଲାଜମା ଥେରାପି । ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବୈଠକରେ ନିଷ୍ପତ୍ତି, ପ୍ଲାଜମା ଥେରାପି ସହ ଓଡ଼ିଶାରେ ପ୍ରତିଷ୍ଠା ହେବ ପ୍ଲାଜମା ବ୍ୟାଙ୍କ୍ ।

1,604

କନକ ବ୍ୟୁରୋ: ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମାଧ୍ୟମରେ ରୋଗ ଭଲ କରିବା ପାଇଁ ଉଦ୍ୟମ ଆରମ୍ଭ କରିବ ଓଡ଼ିଶା । ଅର୍ଥାତ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଅତ୍ୟାଧୁନିକ ପ୍ଲାଜମା ଥେରାପି । ଦିଲ୍ଲୀ ଭଳି ଓଡ଼ିଶାରେ ପ୍ଲାଜ୍ମା ବ୍ୟାଙ୍କ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ କଟକ ମେଡିକାଲ ସମେତ ରାଜ୍ୟର ୪ଟି ପ୍ରମୁଖ ହସପିଟାଲରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ ହେବ । ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏପରି ନିଷ୍ପତି ନିଆଯାଇଛି । ଚିକିତ୍ସା ପଦ୍ଧତି ନିର୍ଦ୍ଧାରଣ କରିବା ପାଇଁ ଏକ ବୈଷୟିକ କମିଟି ଗଠନ ହେବ ।

ରୋଗୀ ଭଲ କରିବେ ରୋଗ! 

ଓଡ଼ିଶାରେ ପ୍ଲାଜ୍ମା ଥେରାପିରେ ହେବ କରୋନା ଚିକିତ୍ସା

କରୋନା ସଂକ୍ରମଣରେ ଗୁରୁତର ହୋଇ ପଡିଥିବା ରୋଗୀଙ୍କ ପାଇଁ ଖୁସି ଖବର । ଓଡ଼ିଶାରେ ଅତ୍ୟାଧୁନିକ ପ୍ଲାଜ୍ମା ଥେରାପି ଉପଲବ୍ଧ କରିବା ପାଇଁ ନିଆଯାଇଛି ପଦକ୍ଷେପ । ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଏପରି ନିଷ୍ପତି ନିଆଯାଇଛି । ଚିକିତ୍ସା ପଦ୍ଧତି ନିର୍ଦ୍ଧାରଣ କରିବା ପାଇଁ ଏକ ବୈଷୟିକ କମିଟି ଗଠନ କରାଯିବ । ପ୍ଲାଜ୍ମା ଥେରାପି ଲାଗି ମାର୍ଗଦର୍ଶିକା, ଜନ ସଚେତନତା ସୃଷ୍ଟି, କେଉଁ ରୋଗୀ ଏଥିରେ ଉପକୃତ ହେବେ, ଏ ସଂପର୍କରେ ସରକାରଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିବେ ଏହି ବୈଷୟିକ କମିଟି । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୪ଟି ପ୍ରମୁଖ ଚିକିତ୍ସା ଅନୁଷ୍ଠାନ – କଟକର ଏସସିବି ମେଡିକାଲ କଲେଜ, ଅଶ୍ୱନୀ ହସପିଟାଲ, ଭୁବନେଶ୍ୱରର ସମ୍ ଓ କିମ୍ସ ହସପିଟାଲ୍ରେ ଆରମ୍ଭ ହେବ ପ୍ଲାଜ୍ମା ବ୍ୟାଙ୍କ ।

କ’ଣ ଏହି ପ୍ଲାଜମା ଥେରାପୀ 

– କରୋନା ଭୂତାଣୁ ସଂକ୍ରମିତ ସୁସ୍ଥ ହେବା ପରେ ସେମାନଙ୍କ ଶରୀରରେ ଆଂଟି ବଡି ବା ପ୍ରତିଷେଧକ ବିକଶିତ ହୋଇଥାଏ

– ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ରକ୍ତରୁ ଏହି ଆଂଟି ବଡି ବାହାର କରାଯାଇ ଅନ୍ୟ କରୋନା ଆକ୍ରାନ୍ତଙ୍କ ଶରୀରରେ ଛଡାଯାଏ

– କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ରୋଗୀଙ୍କ ରକ୍ତ ହିଁ ପ୍ଲାଜମା ଥେରାପୀ ପାଇଁ ଉପଯୋଗୀ

– ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବାର ୨ ସପ୍ତାହ ପରେ ହିଁ ନିଜ ରକ୍ତ, ପ୍ଲାଜମା ଥେରାପୀ ପାଇଁ ଦେଇ ପାରିବେ

– ରକ୍ତ ଦେବା ପୂର୍ବରୁ ତାଙ୍କର କୋଭିଡ୍-୧୯ ପରୀକ୍ଷା ଦୁଇଥର ନେଗେଟିଭ ଆସିବା ଜରୁରୀ ହୋଇଥାଏ

ଦିଲ୍ଲୀ ସମେତ କିଛି ରାଜ୍ୟରେ ଗୁରୁତର ହୋଇଥିବା ରୋଗୀଙ୍କୁ ପ୍ଲାଜ୍ମା ଥେରାପୀ ଜରିଆରେ ଚିକିତ୍ସା କରାଯାଉଛି । ଓଡ଼ିଶାରେ ଏହି ଅତ୍ୟାଧୁନିକ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ବରିଷ୍ଠ ଡାକ୍ତରମାନେ ସାମିଲ ହୋଇ ସେମାନଙ୍କ ମତାମତ ଦେଇଥିଲେ ।