ଓଡ଼ିଶାରେ ଆରମ୍ଭ ହେଲା ପ୍ଲାଜମା ଥେରାପି । କଟକ ଅଶ୍ୱିନୀ କୋଭିଡ ହସପିଟାଲରେ ହେଲା ପ୍ରଥମ ପ୍ରୟୋଗ, ୨୪ ଘଣ୍ଟା ନଜର ରଖିଛନ୍ତି ଡାକ୍ତର । ସପ୍ତାହକ ମଧ୍ୟରେ ଆଂଟିବଡି ସୃଷ୍ଟି ହେବା ଆଶା 

326

କନକ ବ୍ୟୁରୋ : ଗତକାଲି ଓଡିଶାରେ ପ୍ଲାଜମା ଚିକିତ୍ସା ଆରମ୍ଭ ହୋଇଯିବା ପରେ ପ୍ରଥମ କରି ଜଣେ ୪୮ ବର୍ଷିୟ କରୋନା ରୋଗୀଙ୍କୁ ପ୍ଲାଜମା ଦିଆଯାଇଛି । ତାଙ୍କ ଉପରେ ଏବେ ୨୪ ଘଂଟା ନଜର ରଖାଯାଇଛି । ଡାକ୍ତର କହିଛନ୍ତି, ସେ ସୁସ୍ଥ ଅଛନ୍ତି ଏବଂ ୧ ସପ୍ତାହ ଭିତରେ ତାଙ୍କ ଶରୀରରେ ଆଂଟିବଡି ସୃଷ୍ଟି ହେବ ।

କଟକ ଏସସିବି ମେଡିକାଲରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ ହେବା ପରେ ସୁସ୍ଥ ହୋଇଥିବା ୪ ଜଣ କରୋନା ରୋଗୀ ସେମାନଙ୍କ ବ୍ଲଡ ପ୍ଲାଜମା ଦାନ କରିଥିଲେ । ଏହାପରେ ଅଶ୍ୱିନୀ କୋଭିଡ୍ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣେ ୪୮ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ଦେହରେ ପ୍ଲାଜମା ପ୍ରୟୋଗ କରାଯାଇଛି । ବି-ପଜିଟିଭ୍ ପ୍ଲାଜମାର ଗୋଟିଏ ୟୁନିଟ ସଂପୃକ୍ତ ରୋଗୀଙ୍କୁ ଦିଆଯାଇଛି । ୭ ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ରହିବେ ରୋଗୀ । ଯଦି ସବୁକିଛି ଠିକ୍ ଠାକ୍ ଚାଲେ ତେବେ ପ୍ରାୟ ସପ୍ତାହକ ମଧ୍ୟରେ କରୋନା ବିରୋଧରେ ଲଢ଼େଇ ପାଇଁ ଆବଶ୍ୟକ ଆଂଟିବଡି ଶରୀରରେ ସୃଷ୍ଟି ହେବ ଓ ରୋଗ ମୁକ୍ତ ହେବେ ଆକ୍ରାନ୍ତ ।

ପ୍ଲାଜମା ଥେରାପି ଦ୍ୱାରା ଗୁରୁତର ଆଡକୁ ମୁହାଁଉଥିବା କରୋନା ରୋଗୀ ସୁସ୍ଥ ହେବା ନେଇ  ବେଶ ଆଶାବାଦୀ ଅଛନ୍ତି ଡାକ୍ତର ଓ ବିଶେଷଜ୍ଞ । ପ୍ଲାଜମା ହେଉଛି ଡବ୍ଲୁବିସି ବା ଧଳା ରକ୍ତ କଣିକା, ଆରବିସି ବା ଲାଲ ରକ୍ତ କଣିକା ଓ ପ୍ଲେଟଲେଟକୁ ବାଦ ଦେବା ପରେ ରକ୍ତର ତରଳ ଅଂଶ । ରକ୍ତର ପ୍ରାୟ ୫୫ ପ୍ରତିଶତ ଅଂଶ ହେଉଛି ପ୍ଲାଜମା । ଏଥିରେ ଜଳ, ଲୁଣ, ଏନଜାଇମ୍, ଆଂଟିବଡି ଓ ଅନ୍ୟାନ୍ୟ ପ୍ରୋଟିନ ରହିଛି । କରୋନାରେ ଜଣେ ଆକ୍ରାନ୍ତ ହେବା ପରେ ଏହି ଭୂତାଣୁ ସହ ଲଢ଼େଇ କରିବା ପାଇଁ ଶରୀରରେ ଆଂଟିବଡି ବା ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ । ସୁସ୍ଥ ହୋଇଥିବା ରୋଗୀଙ୍କ ପ୍ଲାଜମାରେ ଆଂଟିବଡି ଅଧିକ ପରିମାଣରେ ଥାଏ । ଭଲ ହୋଇଥିବା ରୋଗୀଙ୍କ ଠାରୁ ପ୍ଲାଜମା ଆଣି କରୋନା ରୋଗୀଙ୍କୁ ଦିଆଗଲେ, ସଂପୃକ୍ତ ବ୍ୟକ୍ତିଙ୍କ ଶରୀରରେ ଶୀଘ୍ର ସୃଷ୍ଟି ହୋଇଥାଏ ଭୂତାଣୁ ସହ ଲଢ଼ିବା ପାଇଁ ଆଂଟିବଡି । ଏହା ହିଁ ସୁସ୍ଥ କରିଥାଏ ରୋଗୀଙ୍କୁ ।

କିଛି ରାଜ୍ୟରେ କୋରାନା ଚିକତ୍ସା ପାଇଁ ପ୍ଲାଜମା ଥେରାପି ଚାଲିଥିବା ବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଛି ଏହି ଥେରାପି । କରୋନା ଟିକା ଆସିବା ପୂର୍ବରୁ ଏହା ଗୁରୁତର ଆଡକୁ ମୁହାଁଉଥିବା ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଂଚାଇବ ବୋଲି ଆଶା କରାଯାଉଛି ।