କନକ ବ୍ୟୁରୋ : ରାଜ୍ୟରେ ସଫଳ ହୋଇଛି ପ୍ଲାଜମା ଥେରାପି । ପ୍ଲାଜମା ନେଇଥିବା ରାଜ୍ୟର ପ୍ରଥମ କରୋନା ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । କଟକର ଜଣେ ୪୮ ବର୍ଷିୟ ମହିଳା ମମତା ସେନ୍ ପ୍ଲାଜମା ଥେରାପିରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ପ୍ଲାଜମା ନେଇଥିବା ଆଉ ୧୩ଜଣଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି । କରୋନା ଚିକିତ୍ସା ପାଇଁ କୌଣସି ଟିକା ବାହାରି ନଥିବାବେଳେ ପ୍ଲାଜମା ଥେରାପି ନୂଆ ଆଶାର ସଂଚାର କରିଛି ।
କରୋନାରୁ ଭଲ ହେବାର ଖବର ପ୍ରତିଦିନ ହଜାର ହଜାର ଆସୁଛି । କିନ୍ତୁ ୪୮ ବର୍ଷିୟ ମମତା ସେନ କରୋନାରୁ ଭଲ ହୋଇଯିବାର ଖବର ଏକ ଅସାଧାରଣ ଖବର । କାରଣ ଏହି ମହିଳାଙ୍କ ଶରୀରରେ ଓଡିଶାରେ ପ୍ରଥମ କରି ପ୍ଲାଜମା ଚିକିତ୍ସା କରାଯାଇଥିଲା । ଏବଂ ସମସ୍ତଙ୍କର ଅପେକ୍ଷା ଥିଲା ପ୍ଲାଜମା ଥେରାପି ଓଡିଶାରେ କେମିତି କାମ କରିବ । ଆଉ ଶେଷରେ ଭଲ ଖବର ଆସିଛି, ଯେ ଏହି ମହିଳା ଗୁରୁତର ଅବସ୍ଥାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଯାଉଛନ୍ତି ।
ପ୍ଲାଜମା ଚିକିତ୍ସାରେ ଆକ୍ରାନ୍ତ ବ୍ୟକ୍ତିର ଶରୀରରେ ଆଂଟିବଡି ବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଉଦ୍ୟମ କରାଯାଏ । ରକ୍ତର ପ୍ରାୟ ୫୫ ପ୍ରତିଶତ ଅଂଶ ହେଉଛି ପ୍ଲାଜମା । ଏଥିରେ ଜଳ, ଲୁଣ, ଏନଜାଇମ୍, ଆଂଟିବଡି ଓ ଅନ୍ୟାନ୍ୟ ପ୍ରୋଟିନ ରହିଛି । କରୋନାରେ ଜଣେ ଆକ୍ରାନ୍ତ ହେବା ପରେ ଏହି ଭୂତାଣୁ ସହ ଲଢ଼େଇ କରିବା ପାଇଁ ଶରୀରରେ ଆଂଟିବଡି ବା ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ । ସୁସ୍ଥ ହୋଇଥିବା ରୋଗୀଙ୍କ ପ୍ଲାଜ୍ମାରେ ଆଂଟିବଡି ଅଧିକ ପରିମାଣରେ ଥାଏ । ଭଲ ହୋଇଥିବା ରୋଗୀଙ୍କ ଠାରୁ ପ୍ଲାଜ୍ମା ଆଣି କରୋନା ରୋଗୀଙ୍କୁ ଦିଆଗଲେ, ସଂପୃକ୍ତ ବ୍ୟକ୍ତିଙ୍କ ଶରୀରରେ ଶୀଘ୍ର ସୃଷ୍ଟି ହୋଇଥାଏ ଭୂତାଣୁ ସହ ଲଢ଼ିବା ପାଇଁ ଆଂଟିବଡି । ଏହା ହିଁ ରୋଗୀଙ୍କୁ ସୁସ୍ଥ କରିଥାଏ । ପ୍ରାଥମିକ ଭାବେ ସଫଳ ହେବା ପରେ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ୍ ପ୍ରତିଷ୍ଠା କରାଯାଇଛି । ଏଥିସହ କ୍ୟାପିଟାଲ ହସ୍ପିଟାଲ ଓ ଏମକେସିଜିରେ ମଧ୍ୟ ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସା କରାଯିବ ।