ଆଜିଠୁ ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ଥେରାପି ଆରମ୍ଭ: ଶିତଳାପଲ୍ଲୀ କୋଭିଡ ହସପିଟାଲରେ ଗୁରୁତର ରୋଗୀଙ୍କୁ ଦିଆଯିବ ପ୍ଲାଜମା

ସମ୍ ଓ ଅଶ୍ୱିନୀ ହସ୍ପିଟାଲରେ ପ୍ଲାଜମା ଚିକିିତ୍ସାରୁ ସଫଳତା ପରେ ନିଷ୍ପତି

186

କନକ ବ୍ୟୁରୋ: ଆଜିଠାରୁ ଗଂଜାମ ଜିଲ୍ଲାରେ ଆରମ୍ଭ ହେବ ପ୍ଲାଜମା ଥେରାପି । ଜିଲ୍ଲାର ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍ ହସପିଟାଲରେ ପ୍ଲାଜମା ଥେରାପି ଚିକିତ୍ସା କରାଯିବ । ଏହାଦ୍ୱାରା ଗଂଜାମ ଓ ଆଖପାଖ ଜିଲ୍ଲାର ଗୁରୁତର କୋରୋନା ରୋଗୀମାନେ ପ୍ଲାଜମା ଥେରାପି ସୁବିଧା ପାଇପାରିବେ ଏବଂ କୋଭିଡ୍ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଭୁବନେଶ୍ୱରର ସମ୍ କୋଭିଡ୍ ହସପିଟାଲ ଓ କଟକର ଅଶ୍ୱିନୀ କୋଭିଡ୍ ହସପିଟାଲ ପରେ ଗଂଜାମରେ ଆରମ୍ଭ ହେବାକୁ ଯାଉଛି ପ୍ଲାଜମା ଚିକିତ୍ସା । ରାଜ୍ୟରେ ୬ ଜଣ କରୋନା ଆକ୍ରାନ୍ତଙ୍କୁ ଏହି ପ୍ଲାଜମା ଥେରାପି ଦ୍ୱାରା ଚିକିତ୍ସା କରାଯାଇଥିଲା ଏବଂ ଏମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇ ଖୁବଶୀଘ୍ର ଡିସଚାର୍ଜ ହେବାକୁ ଯାଉଛନ୍ତି । ସେମାନଙ୍କ ପାଇଁ ଆଉ ଅକ୍ସିଜେନ ସପୋର୍ଟର ଆବଶ୍ୟକତା ମଧ୍ୟ ପଡୁନାହିଁ ।

ଅନ୍ୟ ଦୁଇଜଣ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ଖୁବଶୀଘ୍ର ସେମାନେ ବିପଦମୁକ୍ତ ହେବେ ବୋଲି ଆଶା କରାଯାଉଛି । ୪ ଜଣଙ୍କଠାରୁ ୮ ୟୁନିଟ ପ୍ଲାଜମା ସଂଗ୍ରହ କରାଯାଇଥିଲା । ଏହି ପ୍ଲାଜମାକୁ ସମ୍ ହସ୍ପିଟାଲର ୪ଜଣ ରୋଗୀ ଓ ଅଶ୍ୱିନୀର ୨ଜଣ ରୋଗୀଙ୍କଠାରେ ପ୍ରୟୋଗ କରାଯାଇଥିଲା । ଅନ୍ୟପଟେ ଓଡ଼ିଶାରେ ପ୍ଲାଜମା ଚିକିତ୍ସାର ସଫଳତା ପରେ ପ୍ଲାଜମା ଦାନ ପାଇଁ ଆଗ୍ରହ ବଢ଼ିବାରେ ଲାଗିଛି । ଏନଡିଆରଏଫର ୪ ଜଣ ଯବାନ ଗତକାଲି କଟକ ବଡ ମେଡିକାଲରେ ପ୍ଲାଜମା ଦାନ କରିଛନ୍ତି । କିଛି ଦିନ ତଳେ କରୋନା ଆକ୍ରାନ୍ତ ହୋଇ ଏହି ଯବାନ ମାନେ ସୁସ୍ଥ ହୋଇଥିଲେ । ଓଡିଶା ସମେତ ଦେଶର କିଛି ହାତ ଗଣତି ରାଜ୍ୟରେ ଏହି ପ୍ଲାଜମା ଥେରାପି ଆରମ୍ଭ କରାଯାଇଛି ।