କରୋନା ରୋଗୀଙ୍କୁ ଭଲ କରିବାକୁ ଓଡିଶାରେ ଆରମ୍ଭ ହେଲା ପ୍ଲାଜମା ଥେରାପି । ଜାଣନ୍ତୁ କେଉଁମାନେ ଦାନ କରିପାରିବେ ପ୍ଲାଜମା ? କେଉଁମାନେ ଦାନ କରିପାରିବେନି ?

1,577

କନକ ବ୍ୟୁରୋ: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦେଶରେ ପ୍ଲାଜମା ଥେରାପିକୁ ଅଳ୍ପ କେତେକ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଛି। ଦେଶରେ ଅନେକ ସ୍ଥାନରେ ଏବେ ପ୍ଲାଜମା ବ୍ୟାଙ୍କ ଉଦଘାଟନ କରାଯାଇଛି। ତେବେ ଏହି ଥେରାପିକୁ କରୋନା ରୋଗୀଙ୍କୁ ସୁସ୍ଥ କରିବାରେ ବ୍ୟବହାର କରାଯାଉଥିବା ବେଳେ ଆଜି ଆମେ ଆପଣଙ୍କୁ ପ୍ଲାଜମା ଥେରାପି କ’ଣ ଏବଂ କେଉଁ ଲୋକମାନେ ନିଜର ପ୍ଲାଜମା ଦାନ କରି ପାରିବେ ନାହିଁ ସେ ବିଷୟରେ ଜଣାଇବୁ ।

ପ୍ଲାଜମା ଥେରାପି କ’ଣ ?

ଯେଉଁମାନେ କୋଭିଡ-୧୯ରୁ ସୁସ୍ଥ ହୁଅନ୍ତି ସେମାନେ ନିଜ ରକ୍ତରେ ରୋଗର ପ୍ରାକୃତିକ ପ୍ରତିରକ୍ଷା ବିକାଶ କରନ୍ତି, ଯାହାକୁ ଆଣ୍ଟିବଡି ବୋଲି କୁହାଯାଏ । ରକ୍ତରେ ପ୍ଲାଜମା ବାଦ୍ ଆରବିସି, ଡବ୍ଲ୍ୟୁବିସି ଓ ପ୍ଲେଟଲେଟ ରହିଛି। ତେବେ ଯେଉଁ କରୋନା ସଂକ୍ରମିତ ସୁସ୍ଥ ହୋଇ ସାରିଛନ୍ତି ତାଙ୍କ ଶରୀରରୁ ସ୍ବତନ୍ତ୍ର ମେସିନ୍ ସହାୟତାରେ ରକ୍ତରୁ ପ୍ଲାଜ୍‌ମାକୁ କଢ଼ାଯାଇ ଗୁରୁତର ଅବସ୍ଥାରେ ଥିବା ବ୍ୟକ୍ତିଙ୍କ ଶରୀରରେ ଏହାକୁ ଦିଆଯାଇଥାଏ। ଫଳରେ ଗୁରୁତର ରୋଗୀଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ, ଯାହାକି କରୋନା ଭୂତାଣୁ ସହ ଲଢ଼ିବାରେ ସାହାଯ୍ୟ କରିଥାଏ। ତେବେ ପ୍ଲାଜମା ଦାନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ କରୋନାରୁ ମୁକ୍ତ ହେବାର ୨ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଦେଶରେ କୌଣସି କରୋନା ପ୍ରତିଷେଧକ ବା ଔଷଧ ବାହାରିବା ପୂର୍ବରୁ ଡାକ୍ତରମାନେ ପ୍ଲାଜମା ଥେରାପି ଜରିଆରେ କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବା ଆରମ୍ଭ କରିଥିଲେ । କେତେକ ରାଜ୍ୟରେ ଏହା ସଫଳ ହୋଇଥିବା ବେଳେ କିଛି କିଛି ସ୍ଥାନରେ ଏହି ଥେରାପି ଭଲ ପ୍ରଭାବ ଦେଖାଇ ନ ଥିବା ଜଣା ପଡିଛି ।

କେଉଁମାନେ ପ୍ଲାଜମା ଦାନ କରି ପାରିବେ ନାହିଁ ?

କେଉଁମାନଙ୍କ ଠାରେ ପ୍ରୟୋଗ କରାଯାଇ ପାରିବ, କେଉଁ ବର୍ଗର ବ୍ୟକ୍ତିମାନେ କରୋନା ରୋଗୀଙ୍କୁ ପ୍ଲାଜମା ଦେଇପାରିବେ ସେ ସମ୍ପର୍କରେ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ ବିଲିୟାରି ସାଇ‌୍ଲ ସେସ୍‌ (ଆଇଏଲ୍‌ବିଏସ୍‌)ର ନିର୍ଦ୍ଦେଶକ ଡାକ୍ତର ଏସ କେ ସରିନ ଏକ ସାକ୍ଷାତକାର ଦେଇଛନ୍ତି। ତାଙ୍କ ମତରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି ୧୪ ଦିନ ପରେ ପ୍ଲାଜମା ଦେଇପାରିବେ। କିନ୍ତୁ ସଂପୃକ୍ତ ବ୍ୟକ୍ତିଙ୍କୁ ୬୦-୬୫ ବର୍ଷରୁ ଅଧିକ ବୟସ ହୋଇ ନ ଥିବ। ସେହିଭଳି ମଧୁମେହ କିମ୍ବା ହାଇପରଟେନସନ ଭଳି ରୋଗ ତାଙ୍କଠାରେ ଅନିୟନ୍ତ୍ରିତ ଅବସ୍ଥାରେ ନଥିବ।

ଏଥିସହିତ ସଂପୃକ୍ତ ବ୍ୟକ୍ତିଙ୍କ ଠାରେ ଦୀର୍ଘଦିନ ଧରି କିଡନି, ହାର୍ଟ, ଲଙ୍ଗ୍ ଏବଂ ଲିଭରଜନିତ ରୋଗ ମଧ୍ୟ ନ ଥିବା ଆବଶ୍ୟକ ବୋଲି ଡା. ସରିନ କହିଛନ୍ତି। କେବଳ ସେତିକି ନୁହେଁ, ପ୍ଲାଜମା ଦାନ କରୁଥିବା ବ୍ୟକ୍ତିଙ୍କ ପୌଷ୍ଟିକତତ୍ତ୍ବ ଭଲ ଥିବା ସହିତ ତାଙ୍କର ଓଜନ ୫୦ କିଗ୍ରାରୁ ଅଧିକ ହୋଇଥିବା ଆବଶ୍ୟକ। ସେହିଭଳି ‌ହେମୋଗ୍ଲୋବିନ୍ ସ୍ତର ମଧ୍ୟ ୮ରୁ ଅଧିକ ରହିଥିବା ଉଚିତ। ମହିଳାଙ୍କ ଦୃଷ୍ଟିରୁ ଦେଖିଲେ ସେମାନେ କଦାପି ଗର୍ଭବତୀ ହୋଇ ନ ଥିବା ଆବଶ୍ୟକ ‌ଓ ସେମାନଙ୍କ ଆଣ୍ଟିବଡିସ୍ତର ମଧ୍ୟ ଭଲ ଥିବା ଉଚିତ। ଏହି ଥେରାପିର ଏକ ଭଲଦିଗ ହେଲା ରକ୍ତର ଗୋଟିଏ ଉପାଦାନକୁ ପ୍ରଦାନକାରୀଙ୍କୁ ଦେବାକୁ ପଡ଼ିଥାଏ। ୧୫ ଦିନ ପରେ ଦ୍ବିତୀୟ ଥର ପାଇଁ ମଧ୍ୟ ସଂପୃକ୍ତ ବ୍ୟକ୍ତି ଏହାକୁ ଦାନ କରିପାରିବା ସୁଯୋଗ ରହିଛି।

ଗର୍ଭବତୀ ହୋଇଥିବା ମହିଳା ପ୍ଲାଜମା ଦାନ ନ କରି ପାରିବାର କାରଣ ହେଉଛି , ଗୋଟିଏ ଶିଶୁର ଦେହରେ ଉଭୟ ବାପା ଓ ମାଆଙ୍କ ଜିନୀୟ ଉପାଦାନ ରହିଥାଏ। ତେଣୁ ଜଣେ ମହିଳା ଯେତେବେଳେ ଗର୍ଭବତୀ ହୁଅନ୍ତି ସେତେବେ‌ଳେ ତାଙ୍କଠାରେ ସ୍ବାମୀଙ୍କ ଜୀନୀୟ ଉପାଦାନ (ହ୍ୟୁମାନ ଲ୍ୟୁକୋସାଇଟ୍ ଆଣ୍ଟିଜେନ୍‌) ବିରୋଧରେ ଆଣ୍ଟିବଡିର ବିକାଶ ହୋଇଥାଏ। ତେଣୁ ରକ୍ତଦାନବେଳେ ଏଚଏଲଏ ଆଣ୍ଟିବଡି ଫୁସଫୁସ ନଷ୍ଟ ଭଳି କେତେକ ସମସ୍ୟା ସୃଷ୍ଟି କରିଥାଏ। କୋଭିଡ-୧୯ ରୋଗୀଙ୍କ ଫୁସଫୁସ୍ ପୂର୍ବରୁ ଦୁର୍ବଳ ହୋଇସାରିଥିବାରୁ ଗର୍ଭବତୀ ମହିଳାଙ୍କ ପ୍ଲାଜମା ନେଲେ ଏହା ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଥାଏ। ତେଣୁ ଗର୍ଭବତୀ ମହିଳାଙ୍କଠାରୁ ପ୍ଲାଜମା ନିଆଯାଇ ନଥାଏ ବୋଲି ଡା. ସରିନ କହିଛନ୍ତି।

ପ୍ଲାଜମା ଦାନ କରୁଥିବା ବ୍ୟକ୍ତି ମିଳିଗଲେ ପ୍ରଥମେ ତାଙ୍କର ଏଚଆଇଭି, ହେପାଟାଇଟିସ ବି ଓ ସି ଆଦିର ପରୀକ୍ଷା ହୋଇଥାଏ। ଏହାପରେ ଆଣ୍ଟିବଡି ସ୍ତର ଯାଞ୍ଚ କରାଯାଇଥାଏ। ପ୍ଲାଜମାର ପ୍ରକ୍ରିୟାକରଣ ବାବଦରେ ୧୦ ହଜାରରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଏଥିରେ ମାନବ ସମ୍ବଳ ଓ ଭିତ୍ତିଭୂମି ଖର୍ଚ୍ଚ ସାମିଲ ନଥାଏ।