କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରୁଛି ପ୍ଲାଜମା ଥେରାପୀ: ଦାବି କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କହିଲେ, ପ୍ରାରମ୍ଭିକ ଫଳାଫଳ ସନ୍ତୋଷଜନକ ।

927

କନକ ବ୍ୟୁରୋ: ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ଚିକିତ୍ସା ପ୍ଲାଜମା ଥେରାପୀ ଦ୍ୱାରା କରାଯାଇଛି । ଏହି ହସ୍ପିଟାଲ ଦାବି କରିଛି ଯେ, ପ୍ଲାଜମା ଥେରାପୀ ଦ୍ୱାରା କରୋନା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି । ଏହାକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ପ୍ଲାଜମା ଥେରାପୀର ପ୍ରାରମ୍ଭିକ ଫଳାଫଳ ସନ୍ତୋଷଜନକ ରହିଛି ।

ପ୍ଲାଜମା ଥେରାପୀରେ କରୋନା ଭୂତାଣୁ ସଂକ୍ରମିତଙ୍କ ଚିକିତ୍ସା ସମ୍ଭବ । ଏହି ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ସେ କହିଛନ୍ତି ପ୍ଲାଜମା ଥେରାପୀ ଦ୍ୱାରା ୪ ଜଣ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଉଛି । ଏମିତି କି ଅତି ଗୁରୁତର ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ସୁଧାର ଆସିଥିବା ସେ କହିଛନ୍ତି । ଶୁକ୍ରବାର ଏକ ଅନଲାଇନ୍ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବା ବେଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ଲାଜମା ଥେରାପୀ ସମ୍ବଧରେ ବିସ୍ତୃତରେ ବୁଝାଇବା ସହ ଅଧିକରୁ ଅଧିକ ଆକ୍ରାନ୍ତଙ୍କ ଏହି ପ୍ଲାଜମା ଥେରାପୀ ଦ୍ୱାରା ଚିକିତ୍ସା କରିବାକୁ ସେ ଅପିଲ୍ କରିଛନ୍ତି । ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲର ୪ ଗୁରୁତର ଆକ୍ରାନ୍ତଙ୍କ ଉପରେ ପ୍ଲାଜମା ଥେରାପି କରାଯାଇଥିବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ।

ପ୍ରଥମେ ପଢ଼ନ୍ତୁ କଣ ଏହି ପ୍ଲାଜମା ଥେରାପୀ । କିପରି ପ୍ଲାଜମା ଥେରାପୀ ଶୈଳୀରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରାଯାଏ?
ପ୍ଲାଜମା ଥେରାପୀ
– କରୋନା ଭୂତାଣୁ ସଂକ୍ରମିତ ସୁସ୍ଥ ହେବା ପରେ ସେମାନଙ୍କ ଶରୀରରେ ଆଂଟି ବଡି ବା ପ୍ରତିଷେଧକ ବିକଶିତ ହୋଇଥାଏ
– ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ରକ୍ତରୁ ଏହି ଆଂଟି ବଡି ବାହାର କରାଯାଇ ଅନ୍ୟ କରୋନା ଆକ୍ରାନ୍ତଙ୍କ ଶରୀରରେ ଛଡାଯାଏ
– କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ରୋଗୀଙ୍କ ରକ୍ତ ହିଁ ପ୍ଲାଜମା ଥେରାପୀ ପାଇଁ ଉପଯୋଗୀ
– ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବାର ୨ ସପ୍ତାହ ପରେ ହିଁ ନିଜ ରକ୍ତ, ପ୍ଲାଜମା ଥେରାପୀ ପାଇଁ ଦେଇ ପାରିବେ
– ରକ୍ତ ଦେବା ପୂର୍ବରୁ ତାଙ୍କର କୋଭିଡ୍-୧୯ ପରୀକ୍ଷା ଦୁଇଥର ନେଗେଟିଭ ଆସିବା ଜରୁରୀ ହୋଇଥାଏ

ଦିଲ୍ଲୀରେ ପ୍ଲାଜମା ଥେରାପୀ ଦ୍ୱାରା କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଅନୁମତି ଦେବା ପରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ଚିକିତ୍ସା ଏହି ପଦ୍ଧତିରେ କରାଯାଇଥିଲା । ୧୦ ଦିନର ଚିକିତ୍ସା ପରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ଜଣା ପଡିଛି । ଏପରିକି ଭେଂଟିଲେଟରରେ ଥିବା ରୋଗୀ ଏବେ ଆଉ ଭେଂଟିଲେଟର ଆବଶ୍ୟକ କରୁନାହାନ୍ତି । ତଥାପି ତାଙ୍କୁ ଡାକ୍ତର ସତର୍କ ଅନୁଧ୍ୟାନରେ ରଖାଯାଇଛି ।

ପ୍ଲାଜମା ଥେରାପୀ ଦ୍ୱାରା ୪ ଜଣ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ମୁଖ୍ୟମନ୍ତ୍ରୀ କେଜରିୱାଲ ସମଗ୍ର ଦିଲ୍ଲୀରେ ଥିବା ସମସ୍ତ କରୋନା ଆକ୍ରାନ୍ତଙ୍କ ଠାରେ ପ୍ଲାଜମା ଥେରାପୀ ଦ୍ୱାରା ଚିକିତ୍ସା କରିବା ପାଇଁ ଅନୁମତି ମାଗିଛନ୍ତି । କେବଳ ସେତିକି ନୁହେଁ ସୁସ୍ଥ ହୋଇ ଫେରିଥିବା ରୋଗୀଙ୍କୁ ମଧ୍ୟ ଏହି ଚିକିତ୍ସା ପ୍ରଣାଳୀରେ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ।