ଯେଉଁ ପ୍ରକଳ୍ପକୁ ଉଦଘାଟନ କରିଥାନ୍ତେ ମୁଖ୍ୟମନ୍ତ୍ରୀ, ସେଠି ଲାଗିଲା କଂଗ୍ରେସ ବିଧାୟକଙ୍କ ଫଳକ; ସୂଚନା ପାଇ ଓପାଡ଼ି ଫୋପାଡ଼ି ଦେଲା ପ୍ରଶାସନ

ବିଧାୟକ ରମେଶ ଜେନା କହିଲେ, ପିଇବା ପାଣି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସ୍ୱାଗତଯୋଗ୍ୟ

175

କନକ ବ୍ୟୁରୋ : ଯେଉଁ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥାନ୍ତେ ସେଠାରେ କଂଗ୍ରେସ ବିଧାୟକଙ୍କ ନାଁରେ ଲାଗିଲା ଫଳକ । ତେବେ ଏନେଇ ପ୍ରଶାସନ ପାଖରେ ଖବର ପହଂଚିବା ପରେ ଏହି ଫଳକକୁ ଓପାଡି ଫିଙ୍ଗି ଦିଆଯାଇଥିବା ଜଣାପଡିଛି । ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଏପକିକି ଛକାପଂଝା ହୋଇ ରହିଛନ୍ତି କଂଗ୍ରେସ ଓ ବିଜେଡି ସମର୍ଥକ । ସାନଖେମୁଣ୍ଡି ବ୍ଲକ ଛଣମେରୀ ପଂଚାୟତକୁ ବସୁଧା ଯୋଜନାରେ ୨ କୋଟି ୬୫ ଲକ୍ଷ ଟଙ୍କାରେ ଏକ ଦେଢଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି ନିର୍ମାଣ ହୋଇଛି ।

ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁସାରେ ଏହାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ହେଲେ ଏହା ପୂର୍ବରୁ ସାନଖେମୁଣ୍ଡି ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ରମେଶ ଜେନାଙ୍କ ଏକ ଫଳକ ଲଗାଯାଇଥିଲା । ହେଲେ ଜିଲ୍ଲା ପ୍ରଶାସନ ଖବର ପାଇ ପୋଲିସ ଉପସ୍ଥିତିରେ ଫଳକଟିକୁ ଓପାଡି ଦିଆଯାଇଛି । ତେବେ ବିଧାୟକ କହିଛନ୍ତି ମୁଖ୍ୟମନ୍ତ୍ରୀ ଯଦି ପାଣିଟାଙ୍କି ପ୍ରକଳ୍ପ ଉଦଘାଟନ କରିବାକୁ ଆସିବେ ତାଙ୍କୁ ସ୍ୱାଗତ କରାଯିବ । କିନ୍ତୁ ନିୟମ ଅନୁସାରେ ସ୍ଥାନୀୟ ବିଧାୟକଙ୍କୁ ଏଥିପାଇଁ ସୂଚନା ଦିଆଯିବା କଥା ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ପ୍ରଶାସନ ଏଭଳି ଏକପାଖିଆ ନିଷ୍ପତିକୁ ତୀବ୍ର ନିନ୍ଦା କରିଛନ୍ତି ସାନଖେମୁଣ୍ଡି ବିଧାୟକ ।