ଗଛ ଲଗାଇଲେ ପିଲାଙ୍କୁ ପରୀକ୍ଷାରେ ମିଳିବ ମାର୍କ। ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଆରା ପଦକ୍ଷେପ।

162

କନକ ବ୍ୟୁରୋ : ଦିନକୁ ଦିନ ପୃଥିବୀର ତାପମାତ୍ରା ବଢିଚାଲିଛି । ଜଙ୍ଗଲ ନଷ୍ଟ ହେଉଥିବାରୁ ବାୟମଣ୍ଡଳରେ ଉତ୍ତାପ ବଢିଚାଲିଛି । ତେବେ ଏଭଳି ଏକ ଜଟିଳ ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ନିଆରା ପ୍ରୟାସ ଆରମ୍ଭ କରିଛି । ଜିଲ୍ଲାରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଅର୍ଥାତ ଯେଉଁ ଛାତ୍ରଛାତ୍ରୀ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେବେ ତାଙ୍କୁ ଭଲ ମାର୍କ ମିଳିବ । ଏହି ଅଭିଯାନରେ ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳିଛି । ସ୍କୁଲ ପକ୍ଷରୁ ପ୍ରତ୍ୟେକ ପିଲାଙ୍କୁ ଏଥିପାଇଁ ଗଛ ମଧ୍ୟ ଯୋଗାଇ ଦିଆଯାଇଛି । ସମସ୍ତେ ଗଛଟିଏ ଲଗାଇ ତାର ଉଚିତ ଯତ୍ନ ନେଉଛନ୍ତି । ଏହି ମାର୍କ ପିଲାମାନଙ୍କୁ ଏକଷ୍ଟ୍ରା କରିକୁଲାର ଆକ୍ଟିଭିଟିରେ ମିଳିବ ସେଥିପାଇଁ ମଧ୍ୟ ସମସ୍ତେ ବେସ ଉତ୍ସାହିତ ରହିଛନ୍ତି ।

ଜିଲ୍ଲାର ସମସ୍ତ ସ୍ଥାନରେ ଏଭଳି ଉଦ୍ୟମକୁ ପ୍ରଶଂସା କରାଯାଉଛି । ତେବେ ପ୍ରଶାସନ ମଧ୍ୟ ଏଥିରେ ଆଉ ଗୋଟିଏ ପାଦ ଆଗକୁ ବଢିଛି । ଏହି ଉଦ୍ୟମ ଦ୍ୱାରା ପିଲାଙ୍କୁ ଗଛ ପ୍ରତି ଆଗ୍ରହ ସୃଷ୍ଟି କରାଯାଇଛି । ସେପଟେ ସହରର ବିଭିନ୍ନ ଅନୁଷ୍ଠାନ ମଧ୍ୟ ଉଦ୍ୟମ ଆରମ୍ଭ କରିଛନ୍ତି । ତେବେ କିଛି ଜଣ ମତ ଦେଇଛନ୍ତି ପିଲାମାନେ ଗଛ ଲଗାଇବା ପରେ ତାର ସଠିକ ଯତ୍ନ ନେଉଛନ୍ତି ନା ନାହିଁ ତାଉପରେ ନଜର ରଖିବାର ଆବଶ୍ୟକତା ରହିଛି ।

ଗଞ୍ଜାମ ଜିଲ୍ଲାପ୍ରଶାସନର ଏ ଉଦ୍ୟମ ପରିବେଶର ସନ୍ତୁଳନ ଫେରାଇ ଆଣିବାରେ ପ୍ରମୁଖ ଭୂମିକା ନେଉଛି । ଯେଉଁଭଳି ଦିନକୁ ଦିନ ତାପମାତ୍ରା ବଢୁଛି ଗଛର ଆବଶ୍ୟକତା ରହିଛି । ତେଣୁ କେବଳ ପିଲାମାନେ ନୁହେଁ ଆସନ୍ତୁ ଆମେ ସମସ୍ତେ ଗଛ ଲଗାଇବା ଆଉ ଆମ ପୃଥିବୀର ସନ୍ତୁଳନ ରକ୍ଷା କରିବା ।