କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲାରେ ଗ୍ରୀନ୍ ମହାନଦୀ ମିଶନ ଫେଲ୍ ମାରିବା ପରେ ଜନସାଧାରଣ ଅଭିନବ ଉପାୟରେ ଚଲାଇଛନ୍ତି ବନୀକରଣ । ମହାନଦୀ କୂଳ ରାସ୍ତାରେ ଗଛ ଲଗାଉଛନ୍ତି ସ୍ଥାନୀୟ ଜନତା । ସବୁ ଦିନ ସକାଳକୁ ଘଣ୍ଟାଏ ପରିଶ୍ରମ କରି ରିଂ ରୋଡକୁ କରୁଛନ୍ତି ସବୁଜ ସୁନ୍ଦର ।
ମହାନଦୀକୁ ବଞ୍ଚାଇବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ଗ୍ରୀନ୍ ମହାନଦୀ ମିଶନ । ସମ୍ବଲପୁର ରିଂ ରୋଡରେ କରାଯାଇଥିଲା ବୃକ୍ଷରୋପଣ । ହେଲେ ଅବହେଳା ଯୋଗୁଁ ଗୋଟିଏ ବର୍ଷରେ ଗଛ ଗୁଡିକ ମରି ଜାଳ ହୋଇଗଲା । ଗଛର ଚିହ୍ନବର୍ଣ୍ଣ ରହିଲା ନାହିଁ । ସରକାରୀ ଯୋଜନା ହଜିଯିବା ପରେ ବନୀକରଣ କରିବାକୁ ଚିନ୍ତା କଲେ ସ୍ଥାନୀୟ ବାସିନ୍ଦା । ସକାଳୁ ମର୍ଣ୍ଣିଂ ୱାକ ବେଳେ ରିଂ-ରୋଡରେ ଲଗାଉଛନ୍ତି ଗଛ ।
ସମ୍ବଲପୁରକୁ ସବୁଜ ସୁନ୍ଦର କରିବା ପାଇଁ ୫ଜଣ ଲୋକଙ୍କୁ ନେଇ ଆରମ୍ଭ ହୋଇଥିବା ବନୀକରଣ ଅଭିଯାନରେ ସାମିଲ ହୋଇଛନ୍ତି ୧୦୦ରୁ ଅଧିକ ଜନତା । ଏହାର ନାମ ପ୍ଲାଣ୍ଟ ଆମ୍ବୁଲାନ୍ସ ସମ୍ବଲପୁର ରଖାଯାଇଛି । ସକାଳୁ ସକାଳୁ ମହାନଦୀ ଅବବାହିକାରେ ଦୁଇ ଘେରା ଚାଲିବା ପରେ ଗଛ ଲଗାଇବା ସହ ସେଗୁଡିକର ଯତ୍ନ ନେଉଛନ୍ତି ସମ୍ବଲପୁର ସହର ବରିଷ୍ଠ ନାଗରିକ, ମହିଳା ଓ ଯୁବତୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/7-26.jpg)