ରୁଷିଆ ୟୁକ୍ରେନ ଯୁଦ୍ଧ ଭିତରେ ଆସୁଛି କୂଟନୀତିର ରୋଚକ ତଥ୍ୟ । ପୁଟିନଙ୍କୁ ହତ୍ୟା କରିବାକୁ ଯୋଜନା କରୁଛନ୍ତି ନିଜ ଦେଶର ଅସନ୍ତୁଷ୍ଟ ସେନାଧିକାରୀ ।

245

କନକ ବ୍ୟୁରୋ: ୟୁକ୍ରେନ ଉପରେ ନରସଂହାର କରି ବର୍ବରତାର କାଣ୍ଡ ରଚୁଥିବା ରୁଷ ରାଷ୍ଟ୍ରପତିଙ୍କ ବିରୋଧରେ କରାଯାଉଛି କି ହତ୍ୟା ଷଡଯନ୍ତ୍ର ? ବିଦେଶୀ ଗଣମାଧ୍ୟମ ସଂସ୍ଥାର ରିର୍ପୋଟ ଏଭଳି କିଛି ଦାବି କରିଛି । ଅସନ୍ତୁଷ୍ଟ ଓ ପୁଟିନଙ୍କୁ ବିରୋଧ କରୁଥିବା ସେନାର କିଛି ଜେନେରାଲ ଏଭଳି କିଛି ଷଡଯନ୍ତ୍ର କରୁଥିବା ଦାବି ହେଉଛି । ସବୁଠୁ ରୋଚକ କଥା ହେଉଛି ଗୋଟେ ପଟେ ପୁଟିନଙ୍କୁ ମାରିବା ପାଇଁ ରୁଷ ସେନାର କିଛି ଜେନେରାଲ ଷଡଯନ୍ତ୍ର କରୁଥିବାବେଳେ ଅନ୍ୟପଟେ ଯୁଦ୍ଧରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ରୁଷର ଜେନେରାଲ ମାନଙ୍କୁ ହତ୍ୟା କରିବା ପାଇଁ ୟୁକ୍ରେନକୁ କୁଆଡେ ସହଯୋଗ କରୁଛି ଆମେରିକା । ଏହି ତ୍ରିକୋଣୀୟ ଶତ୍ରୁତାର କାହାଣୀ ଯୁଦ୍ଧକୁ ହୁଏତ ଆଗକୁ ନୂଆ ମୋଡ ଦେଇପାରେ ।

  • ଯୁଦ୍ଧ ଭିତରେ ଚାଲିଛି ଛକାପଞ୍ଝା
  • ପୁଟିନଙ୍କ ହତ୍ୟା ପାଇଁ ଚାଲିଛି କି ଷଡଯନ୍ତ୍ର?

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଅଣ୍ଟା ଭିଡିଛନ୍ତି ରୁଷ ସେନାର କିଛି ଅସନ୍ତୁଷ୍ଟ ଜେନେରାଲ । ଏଥିପାଇଁ ସେମାନେ ଷଡଯନ୍ତ୍ର ମଧ୍ୟ ଆରମ୍ଭ କରି ସାରିଥିବା ଦାବି କରାଯାଉଛି । ମୌକା ମିଳିବା ମାତ୍ରକେ କ୍ରେମଲିନରେ ଧସେଇ ପସି ପୁଟିନଙ୍କୁ ବିଦା କରି ଶାସନ କମାଣ ନିଜ ହାତକୁ ନେବାକୁ ଏମାନେ ବଡ ଯୋଜନା କରୁଥିବା କୁହାଯାଉଛି । ତେବେ ପ୍ରଶ୍ନ ଉଠୁଛି, ହଠାତ ରାଷ୍ଟ୍ରନେତାଙ୍କ ବିରୋଧରେ ରୁଷର ଜେନେରାଲ ମାନେ ଏଭଳି ଷଡଯନ୍ତ୍ର କଣ ପାଇଁ କରୁଛନ୍ତି ? ପୁଟିନଙ୍କ ବିଶ୍ୱସ୍ତ ଜେନେରାଲମାନେ କଣ ରୁଷର ଶତ୍ରୁ ଦେଶ ସହ ହାତ ମିଳାଇଛନ୍ତି? ଅନ୍ୟପଟେ ମସ୍କୋରେ ଚାଲିଥିବା ଚର୍ଚ୍ଚା ଅନୁସାରେ ୟୁକ୍ରେନରେ ରୁଷ ସେନାର ବିଫଳତାକୁୁ ନେଇ ଦେଶର ଫେଡେରାଲ ସିକ୍ୟୁରିଟି ସର୍ଭିସ ଏଫଏସଭି ହତାଶ ହେବା ଏହାର ମୁଖ୍ୟ କାରଣ ।

ୟୁକ୍ରେନ ଭଳି ଛୋଟିଆ ଦେଶ ରୁଷ ସାମ୍ନାରେ ଦମ୍ଭ ସହ ଛିଡା ହୋଇଛି । ଏନେଇ ଜେନେରାଲ ମାନେ ଚିନ୍ତିତ ହୋଇପଡିଛନ୍ତି । ପୂର୍ବରୁ ରୁଷର ଯେଉଁ ଦବଦବା ଥିଲା ତାହା ଏବେ ଶିଥିଳ ହୋଇପଡିଛି । ଏହି କାରଣରୁ ରୁଷର କେତେକେ ପୂର୍ବତନ ସେନା ଅଧିକାରୀ ଓ ଜେନେରାଲ ପୁଟିନଙ୍କ ହତ୍ୟା ଯୋଜନା କରୁଥିବା ରିପୋର୍ଟରେ ଦାବି କରାଯାଇଛି ।

ସିଲୋଭିକି ନାମକ ଏମ ନିଦ୍ଧିଷ୍ଟ ଗୋଷ୍ଠୀ ପୁଟିନଙ୍କୁ ତୁରନ୍ତ ଗାଦିଚ୍ୟୁତ ପାଇଁ ଚାପ ପକାଇବାରେ ଲାଗିଛି । ଏହି ଗୋଷ୍ଠୀରେ ପୂର୍ବତନ ଏଫଏସଭି ଅଧିକାରୀ ସାମିଲ ଥିବା କୁହାଯାଉଛି । ଯେଉଁମାନେ କି ରୁଷର ରାଜନୀତି କ୍ଷେତ୍ରରେ ମଧ୍ୟ ବେଶ ସକ୍ରିୟ ରହିଛନ୍ତି । ଏମାନେ ଜିଆରୟୁ,କେଜିବି,ଏଫଏସଓ ଓ ଅନ୍ୟ ଗୁଇନ୍ଦା ଏଜେନ୍ସି ୟୁନିଟର ପୂର୍ବତନ ଅଧିକାରୀଙ୍କ ସହ ହାତ ମିଳାଇଛନ୍ତି । ଏମାନେ ମିଳିତଭାବେ ପୁଟିନଙ୍କୁ ଗାଦିରୁ ହଟାଇବା ପାଈଁ ଚେଷ୍ଟା ଚଳାଇଛନ୍ତି ।

  • ଯୁଦ୍ଧଭିତରେ ନୂଆ ଷଡଯନ୍ତ୍ରର ଆଭାସ
  • ହତ୍ୟା ପାଇଁ ଚାଲିଛି ମାଷ୍ଟରପ୍ଲାନ୍!

ବିଦେଶୀ ଗଣମାଧ୍ୟମ ଦାବି କରୁଥିବା ଏହି ଖବରକୁ ନେଇ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଆଉ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସୁଛି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ ଦାବି କରାଯାଇଛି ଯେ, ଯୁକ୍ତରାଷ୍ଟ୍ର ଆମେରିକା ଗୁଇନ୍ଦା ରିପୋର୍ଟ ଅନୁସାରେ ଯୁଦ୍ଧ ଜାରି ରଖିଥିବା କିଛି ରୁଷ ଜେନେରାଲଙ୍କୁ ମାରିବା ପାଇଁ ଆମେରିକା କୁଆଡେ ୟୁକ୍ରେନକୁ ସହାୟତା କରିଛି । ଯୁଦ୍ଧ ସମୟରେ ରୁଷ ସେନାର ଗତିବିଧି, ରୁଷର ମୋବାଇଲ ସେନା ମୁଖ୍ୟାଳୟ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସୂଚନା ୟୁକ୍ରେନକୁ ଦେବାରେ ସାହାଯ୍ୟ କରିଛି ଆମେରିକା । ଏହି ସହଯୋଗ ପାଇବା ପରେ ରୁଷ ସେନା ଉପରେ ୟୁକ୍ରେନ ଜୋରସୋର ହମଲା କରିଥିବା କଥା ରିର୍ପୋଟରେ ପ୍ରକାଶ ପାଇଛି ।

ତେବେ ଏହି ରିର୍ପୋଟ ଉପରେ ଜବାବ ରଖିନାହାଁନ୍ତି ଉଭୟ ପେଣ୍ଟାଗନ ଓ ହ୍ୱାଇଟ ହାଉସ । କିଛି ଦିନ ପୂର୍ବରୁ ୟୁକ୍ରେନ ୧୨ ଜଣ ରୁଷ ସେନା ଅଧିକାରୀଙ୍କୁ ନିହତ କରିଥିବା ଦାବି କରିଥିଲା । ଆମେରିକା ଗୁଇନ୍ଦା ସୂଚନା ଆଧାରରେ ୟୁକ୍ରେନ କେତେଜଣ ରୁଷ ସେନା ଅଧିକାରୀଙ୍କୁ ହତ୍ୟା କରିଛି ସେକଥା ଉପରେ ବୟାନ ରଖିବାକୁ ନାରାଜ ଯୁକ୍ତରାଷ୍ଟ୍ର ଆମେରିକା ।