କନକ ବ୍ୟୁରୋ: ରାଜ୍ୟରେ ବିଜେପି ପ୍ରଥମଥର ପାଇଁ ଏକାକୀ କ୍ଷମତାକୁ ଆସିଛି । ବିଜେପିକୁ ସରକାର ଗଢ଼ିବାରେ ବହୁ ଆଗଧାଡିର ନେତାଙ୍କ ହାତ ରହିଛି । ଯେଉଁମାନେ ପରଦା ଆଗରେ ରହି ବିଜେଡିକୁ ଟାର୍ଗେଟ କରୁଥିଲେ । ଦଳକୁ ଜିରୋରୁ ହିରୋ କରିବାରେ ପୂର୍ଣ୍ଣପ୍ରାଣ ଦେଇଥିଲେ । ଏବେ ସେହି ଆଗ ଧାଡିର ନେତାଙ୍କୁ ଦଳ ନିଗମ, ବୋର୍ଡ ଓ ପରିଷଦ ମାଧ୍ୟମରେ ଥଇଥାନ କରିବାକୁ ଯୋଜନା କରୁଛି ।
ବିଜେପି ସରକାରକୁ ଆସିବାରେ ରାଜ୍ୟ ବିଜେପିର ବହୁ ବଡ ନେତା ପ୍ରମୁଖ ଭୂମିକା ତୁଲାଇଥିଲେ। ମଂଗୁଆଳ ସାଜି ଦଳକୁ ଜିତାଇଥିଲେ। ଆଉ ଏବେ ଯେତେବେଳେ ବିଜେପି କ୍ଷମତାକୁ ଆସିଛି ସେତେବେଳେ, ପ୍ରମୁଖ ନେତାଙ୍କ ନଜର ଏବେ ଚଉକି ଉପରେ ଥିବା ଚର୍ଚ୍ଚା ହେଉଛି।
ମନମୋହନ ସାମଲ, ରାଜ୍ୟ ବିଜେପି ସଭାପତି। ନିର୍ବାଚନରେ ଦଳର ମଂଗୁଆଳ ସାଜିଥିଲେ।
ସମୀର ମହାନ୍ତି, ପୂର୍ବତନ ରାଜ୍ୟ ବିଜେପି ସଭାପତି। ରାଜ୍ୟ ସଂଗଠନର କ୍ରାଇସିସ ଆସିଲେ ଖୋଜାପଡନ୍ତି ସମୀର ।
କଟକ-ବାରବାଟିର ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଜଣାଶୁଣା ଡାକ୍ତର ଭାବେ ପରିଚିତ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦଳ କିଛି ବଡ ଦାୟିତ୍ବ ଦେଇପାରେ ।
ନିର୍ବାଚନ ନ ଲଢି ନିର୍ବାଚନ ମଣ୍ଡଳୀରେ ନିଜର ପ୍ରଭାବ ପକାଇ ବିଜେପିକୁ ବିଜୟୀ କରିଥିବା ସମୀର ଦାସ, ବିଜେପିର ଗୁଡବୁକରେ ଅଛନ୍ତି ।
ଦିଲ୍ଲୀପ ରାୟ, କୁସୁମ ଟେଟେ, ନାଉରୀ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁବାଷ ପାଣିଗ୍ରାହୀ, ଗୋଲକ ମହାପାତ୍ରଙ୍କ ଭଳି ନେତା ମଧ୍ୟ ଏହି ରେସରେ ଅଛନ୍ତି।
ସବୁଠୁ ଅଧିକ ନଜର ରହିଛି ଯୋଜନା ବୋର୍ଡ ଉପାଧକ୍ଷ ପଦ ଉପରେ। କିନ୍ତୁ ଧିରେ ଧିରେ ଏହି ପଦ ଗୁରୁତ୍ବ ହରାଉଛି। ବିଶେଷ କରି ନୀତି ଆୟୋଗ ଗଠନ ପରେ ରାଜ୍ୟ ଯୋଜନା ବୋର୍ଡର ସେଭଳି ଆବଶ୍ୟକତା ଅନୁଭୂତ ହେଉନାହିଁ। ପୂର୍ବ ସରକାର ସମୟରେ ଏହି ପଦକୁ ଏକ ରାଜନୈତିକ ଥଇଥାନ କେନ୍ଦ୍ର ଭାବରେ ବ୍ୟବହାର କରାଯାଉଥିଲେ । ଏହାଛଡା ଓଏମସି, ଇପିକଲ ଭଳି ସଂସ୍ଥାରେ ରାଜନୈତିକ ବ୍ୟକ୍ତି ବିଶେଷଙ୍କୁ ପଦରେ ବସାଇ ପଦମର୍ଯ୍ୟାଦା କ୍ଷୁର୍ଣ୍ଣ କରାଯାଉଥିବା ଅଭିଯୋଗ କରୁଥିଲା ବିଜେପି । ଏବେ ରାଜ୍ୟରେ ବିଜେପି ସରକାର ଏହି ଧାରାରେ ପରିବର୍ତନ କରିବ ବୋଲି ଚର୍ଚ୍ଚା ହେଉଛି । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟ ସରକାର ଏସବୁ ପଦବୀ ପୂରଣ କରିବ ବୋଲି ବୋଲି ଚର୍ଚ୍ଚା ହେଉଛି ।