କନକ ବ୍ୟୁରୋ : ଭୁବନେଶ୍ୱରର ଡେଲଟା ଛକ ଏକ ସୁନା ଗହଣା ଦୋନାରୁ କୋଟିଏ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଶନିବାର ରାତି ପ୍ରାୟ ସାଢେ ୩ଟାରେ ଏହି ଲୁଟ୍ ହୋଇଛି । ଏନେଇ ଅଳଙ୍କାର ଦୋକାନର ମାଲିକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ଯୋଜାନାବଦ୍ଧ ଭାବେ ସଟରକୁ କାଟି କାଚଭାଙ୍ଗି ଲୁଟେରା ମାନେ ଦୋକାନ ଭିତରେ ପଶିଛନ୍ତି । ଚୋରି ଗହଣା ମଧ୍ୟରେ ଏକ କିଲୋ ସୁନା, ଦେଢଲକ୍ଷ ନଗଦ ଟଙ୍କା ଓ ୧୦ କିଲୋଗ୍ରାମ ରୂପା ଥିବା ଅଭିଯୋଗ ହୋଇଛି । ଦୋକାନର ଷ୍ଟ୍ରଙ୍ଗରୁମକୁ ବି ଭାଙ୍ଗିଦେଇଛନ୍ତି ଲୁଟେରା ।
ସବୁଠାରୁ ବଡ କଥା ହେଲା, ଦୋକାନରେ ଲାଗିଥିବା ସିସିଟିଭର ହାର୍ଡଡିସ୍କ ବି ଲୁଟେରାମାନେ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଏତଲା ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ଛାନଭିନ ଆରମ୍ଭ କରିଛି । ଆଖପାଖର ସିସିଟିଭି ସହାୟତାରେ ଯାଂଚକୁ ଜୋରଦାର କରାଯାଇଛି । କମିଶନରେଟ ପୁଲିସ ଏକ ଟିମ ଗଠନ କରିଛି । ଗତକାଲି ରାତିରେ ବର୍ଷା ଲାଗିରହିଥିବା ବେଳେ ଏହାର ସୁଯୋଗ ନେଇ ଲୁଟେରା ଚୋରି କରିଥିବା ଅନୁମାନ କରାଯାଉଛି ।
ଅଭିଯୋଗ ଅନୁଯାୟୀ, ସନ୍ଦୀପ ରବିବାର ସକାଳ ପ୍ରାୟ ୭ଟା ବେଳେ ଦୋକାନ ଖୋଲିବାକୁ ଯାଇଥିବା ବେଳେ ଦୋକାନ ସଟର୍ କଟା ଯାଇଥିବା ଦେଖିବାକୁ ପାଇଥିଲେ । ଦୋକାନ ଭିତରେ ପଶିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ଦୋକାନ କବାଟଠାରୁ ଆରମ୍ଭ କରି ଷ୍ଟ୍ରଙ୍ଗରୁମ୍ ପର୍ଯ୍ୟନ୍ତ ସବୁ କବାଟକୁ ଗ୍ୟାସ୍ କଟର୍ରେ କଟା ଯାଇଥିଲା । ଦୋକାନରେ ଥିବା ପ୍ରାୟ ୭୦ଲକ୍ଷ ଟଙ୍କାର ଅଳଙ୍କାର ସମେତ କ୍ୟାସ୍ ଡ୍ର’ରେ ଥିବା ଦେଢ଼ ଲକ୍ଷ ଟଙ୍କା ଲୁଟ୍ ହୋଇଯାଇଥିଲା । ଲୁଟେରାମାନଙ୍କ କାରନାମା ସିସି କ୍ୟାମେରାରେ କଏଦ୍ ହୋଇଥିବ ଭାବି ଡିବିଆର୍ ମେସିନ୍ ଖୋଜିବା ବେଳକୁ ତାହା ମଧ୍ୟ ନଥିଲା। ଲୁଟେରାମାନେ ଧରାପଡ଼ିଯିବା ଭୟରେ ତାକୁ ବି ସାଥିରେ ନେଇ ପଳାଇଥିଲେ ।
ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଛକରେ ଲାଗିଥିବା ସିସି କ୍ୟାମେରା ଏବଂ ପାଖ ଦୋକାନରେ ଥିବା ସିସି ଫୁଟେଜ୍ ଆଧାରରେ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ କରିଛି। ଫରେନ୍ସିକ୍ ଟିମ୍ ଲୁଟ୍ ଗହଣା ଦୋକାନରେ ପହଞ୍ଚି ନମୁନା ସଂଗ୍ରହ କରିଛି । ଘଟଣାସ୍ଥଳରୁ ଅଧାକଟା ସଟର୍, ଗହଣା ଦୋକାନର କବାଟ, ସୁନା ବାକ୍ସ ଏବଂ କ୍ୟାସ୍ ଡ୍ର’ରୁ ଫିଙ୍ଗର୍ ପ୍ରିଣ୍ଟ ନମୁନା ସଂଗ୍ରହ କରିଛି । ମୋଟ ୩ଜଣ ନୂଆ ଲୋକଙ୍କ ଫିଙ୍ଗର୍ ପ୍ରିଣ୍ଟ ଠାବ କରାଯାଇଥିବା ସୂଚନା ମିଳିଛି । ତେଣୁ ୩ କିମ୍ବା ତଦୂର୍ଦ୍ଧ୍ବ ଲୁଟେରା ଏହି କାଣ୍ଡ ଭିଆଇଥିବା ପୁଲିସ ଜାଣିବାକୁ ପାଇଛି ।