ମଝି ଆକାଶରେ ଘଟିଲା ଦୁର୍ଘଟଣା । କାମାକ୍ଷାନଗର ଏୟାରଷ୍ଟ୍ରିପରେ ପ୍ରଶିକ୍ଷଣ ଚାଲୁଥିବା ବେଳେ ଶହେ ଫୁଟ ତଳକୁ ଖସିଲା ବିମାନ, ମହିଳା ଟ୍ରେନି ପାଇଲଟଙ୍କ ସହ ଦୁଇ ମୃତ ।

722

କନକ ବ୍ୟୁରୋ : ଆଜି ସକାଳୁ ସକାଳୁ ଆସିଥିଲା ବିମାନ ଦୁର୍ଘଟଣାର ବଡ ଖବର । ଢେଙ୍କାନାଳ ଜିଲ୍ଲା ବିରାଶାଳ ଏୟାରଷ୍ଟ୍ରିପରେ ପ୍ରଶିକ୍ଷଣ ନେବା ବେଳେ ଏକ ଏୟାରକ୍ରାଫ୍ଟ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏଥିରେ ବିମାନରେ ଥିବା ପ୍ରଶିକ୍ଷକଙ୍କ ସହ ପ୍ରଶିକ୍ଷଣ ନେଉଥିବା ମହିଳା ଟ୍ରେନି ପାଇଲଟଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନଥିଲେ ବି ଅବତରଣ ବେଳେ ଅଘଟଣ ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବିରାଶାଳ ଏୟାଷ୍ଟ୍ରିପରୁ ଉଡାଣ ଆରମ୍ଭ କରିଥିଲା ଭିଟି-ଇଏନଏଫ ଏୟାରକ୍ରାଫ୍ଟ । କ୍ୟାପଟେନ ଏସକେ ଝାଙ୍କ ସହ ଉଡାଣ ଆରମ୍ଭ କରିଥିଲେ ମହିଳା ଟ୍ରେନି ପାଇଲଟ ଅନିସ ଫତିମା । ହେଲେ ଉଡାଣର କିଛି ସମୟ ପରେ ହିଁ ଏହି ବିମାନଟି ଖସିପଡିଥିଲା । ଏହି ଦୁର୍ଘଟଣାରେ ବିମାନରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଛି । ଅବତରଣ କଲା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଆଶଙ୍କା କରାଯାଉଛି ।

ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ବିମାନଟି ଆକାଶରେ ଉଡୁଥିଲା । ହଠାତ ୧୦୦ ଫୁଟ ଉଚ୍ଚତାରୁ ଏୟାରକ୍ରାଫ୍ଟଟି ଦ୍ରୁତ ଗତିରେ ଖସିବା ଆରମ୍ଭ କରିଥିଲା । ଏହି ବିମାନରେ ପ୍ରଶିକ୍ଷଣ ନେଉଥିଲେ ମହିଳା ଟ୍ରେନି ପାଇଲଟ ଅନିସ ଫତିମା । ଅନିସଙ୍କ ଘର ତାମିଲନାଡୁ ହୋଇଥିବା ବେଳେ ୨ବର୍ଷ ଧରି ସେ ପ୍ରଶିକ୍ଷଣ ନେଇ ଆସୁଥିଲେ । ସେହିପରି ବିମାନରେ ପ୍ରଶିକ୍ଷକ କ୍ୟାପଟେନ ଏସକେ ଝା ଥିଲେ ଝାଡଖଣ୍ଡର ମୂଳବାସିନ୍ଦା ଏସକେ ଝାଙ୍କ ବିମାନ ଉଡାଣର ଦୀର୍ଘ ଅଭିଜ୍ଞତା ରହିଛି । ହେଲେ ଏହି ଦୁର୍ଘଟଣା ଦୁଇ ଜଣ ପାଇଲଟଙ୍କ ଜୀବନ ନେଇଯାଇଛି ।

ତେବେ କାହିଁକି ଘଟିଲା ଦୁର୍ଘଟଣା ସେନେଇ ତଦନ୍ତ ଆରମ୍ଭ ହୋଇଛି । ଏନେଇ ଡିଜିସିଏ ବି ତଦନ୍ତ କରିବ । ଏସବୁ ଭିତରେ ବିଶେଷଜ୍ଞ କହିଛନ୍ତି ଯାନ୍ତ୍ରିକ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥାଇପାରେ । ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଭିଟି-ଇଏନଏଫ ବିମାନକୁ ୧୯୮୮ ମସିହାରେ କିଣାଯାଇଥିଲା । ଏହି ବିମାନ ପ୍ରଶିକ୍ଷଣ ପାଇଁ ସବୁଠୁ ଭଲ ହୋଇଥିଲେ ବି ପୁରୁଣା ବିମାନ ହୋଇଥିବାରୁ ଇଞ୍ଜିନ ଅକାମୀ ହୋଇଯାଇଥିବା ସନ୍ଦେହ କରାଯାଉଛି । ଏରୋବିକ୍ସ ପ୍ରଦର୍ଶନ ବେଳେ ବି ଏଭଳି ଏଭଳି ଦୁର୍ଘଟଣା ଘଟିଥାଇପାରେ ବୋଲି ଆଶଙ୍କା କରିଛନ୍ତି ବିଶେଷଜ୍ଞ । ଦୁର୍ଘଟଣାର କାରଣ ଯାହା ହେଉ ନା କାହିଁକି ଏହି ଦୁର୍ଘଟଣା କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ଜଣେ ଟ୍ରେନି ପାଇଲଟଙ୍କ ସହ ଜଣେ ଅଭିଜ୍ଞ ପାଇଲଟଙ୍କ ବି ଜୀବନ ନେଇଛି ।